କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଦୁଷ୍କର୍ମକାରୀକୁ ଫାଶୀ

ଛଅ ମାସ ଛଅ ଦିନରେ ଆସିଲା ରାୟ

ଅନୁଗୁଳ : ଆଜିକୁ ଠିକ୍ ୬ ମାସ ୬ ଦିନ ତଳେ ଅନୁଗୁଳର କାଙ୍ଗୁଲା ଗାଁରେ ଘଟିଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା ମାମଲାର ଐତିହାସିକ ରାୟ ପ୍ରକାଶ ପାଇଛି। ଏଭଳି ଜଘନ୍ୟ ଓ ବର୍ବର ହତ୍ୟାକାଣ୍ଡ ପାଇଁ ଅନୁଗୁଳ ଏଡିଜେ ତଥା ପକ୍‌ସୋ ସ୍ବତନ୍ତ୍ର କୋର୍ଟ ଅଭିଯୁକ୍ତ ଅନାମ ଦେହୁରୀ ଓରଫ୍‌ ଶ୍ରୀନିବାସ (୨୨)କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ରାଜ୍ୟର ପକ୍‌ସୋ ଅଦାଲତରେ ଏଭଳି ଦଣ୍ଡାଦେଶ ପ୍ରଥମ ଏବଂ ଦୃଷ୍ଟାନ୍ତମୂଳକ ବୋଲି କୁହାଯାଉଛି।

୨୦୧୯ମସିହା ଜାନୁଆରି ୨୦ତାରିଖ ଅପରାହ୍ଣ ୨ଟାରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଅନୁଗୁଳ ଥାନା କାଙ୍ଗୁଲା ଗାଁ ମଶାଣି ଭୂଇଁ ନିକଟରେ ଘଟିଥିଲା। ଗାଁର ସରୋଜ ମହାରଣାଙ୍କ ୧୨ବର୍ଷୀୟା ଝିଅ ଷଷ୍ଠୀ ମହାରଣା ସେଦିନ ବାପାଙ୍କ ପାଇଁ ଘରୁ ଖାଦ୍ୟ ନେଇ ତାଙ୍କ ଦୋକାନକୁ ଯାଉଥିବା ବେଳେ ବାଟରେ ନରରୂପୀ ପିଶାଚ ଅନାମର ହାବୁଡ଼ରେ ପଡ଼ିଥିଲେ। ନିଛାଟିଆ ସ୍ଥାନ ଏବଂ ଏକୁଟିଆର ସୁଯୋଗ ନେଇ କାମାନ୍ଧ ଅନାମ ସେଦିନ ଷଷ୍ଠୀଙ୍କୁ କଣ୍ଟା ଗଛ ମୂଳକୁ ଘୋଷାଡ଼ି ନେଇ ଦୁଷ୍କର୍ମ କରିଥିଲା। ତା’ ପରେ ଧରା ପଡ଼ିଯିବା ଭୟରେ ପଥରରେ ଛେଚି ହତ୍ୟା କରିଥିଲା। ଅଭିଯୁକ୍ତ ଅନାମ ଏତେ କାମାତୁର ଥିଲା ଯେ ଷଷ୍ଠୀଙ୍କୁ ମାରି ସାରିଲା ପରେ ବି ମୃତଦେହ ସହ ଆଉ ଥରେ ଦୁଷ୍କର୍ମ କରିବାକୁ ପଛେଇ ନ ଥିଲା।

ସେତେବେଳେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ପ୍ରମାଣ ନଷ୍ଟ କରିବା ପାଇଁ ଅନାମ ସବୁ ପ୍ରକାର ଅପଚେଷ୍ଟା କରିଥିଲା। ନାବାଳିକାଙ୍କ ପୋଷାକପତ୍ର ସବୁ ଲିଙ୍ଗରା ନାଳରେ ଭସାଇ ଦେବା ସହ ନିଜେ ଗାଁରୁ ଖସି ପର୍ଜଙ୍ଗ ରାସ୍ତା ଦେଇ କୋଲକାତା ପଳାଇଥିଲା। ଅନୁଗୁଳ ପୁଲିସ ଧରପଗଡ଼ ପରେ ଶେଷରେ ଅନାମକୁ କୋଲକତାରୁ ବାନ୍ଧିବାରେ ସକ୍ଷମ ହୋଇଥିଲା । ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ଅତି ଗୁରୁତ୍ବର ସହ ବିଚାର କରି ରାଜ୍ୟ ପୁଲିସ ପ୍ରଶାସନ ମଧ୍ୟ ଏହାକୁ ରେଡ୍‌ ଫ୍ଲାଗ୍‌ ମାମଲା ଭାବେ ଗ୍ରହଣ କରିଥିଲା।

ପ୍ରାୟ ମାସକ ମଧ୍ୟରେ ମାମଲାର ଚାର୍ଜସିଟ୍‌ ଦାଖଲ ପରେ ଅନୁଗୁଳ ଏଡିଜେ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟର ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ବିଚାର ପ୍ରକ୍ରିୟାକୁ ଆଗେଇ ନେଇଥିଲେ। ସମୁଦାୟ ୩୬ଜଣଙ୍କ ସାକ୍ଷ୍ୟ ଏବଂ ସମସ୍ତ ପ୍ରମାଣକୁ ଭିତ୍ତି କରି ଆଜି ସେ ଏଭଳି ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଶୁଣାଇଛନ୍ତି। ଦୁଷ୍କର୍ମ ପାଇଁ ଦଫା ୩୭୬(୩)ରେ ଆଜୀବନ ଜେଲ୍‌ ସହିତ ୧୦ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ନରହତ୍ୟା ପାଇଁ ଦଫା ୩୦୨ରେ କୋର୍ଟ ଅନାମଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ହାଇକୋର୍ଟ ଦଣ୍ଡାଦେଶକୁ ଦୃଢ଼ୀକରଣ କଲା ପରେ ତାହା କାର୍ଯ୍ୟକାରୀ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ସେହିପରି ପ୍ରମାଣ ନଷ୍ଟ ପାଇଁ ଦଫା ୨୦୧ରେ ୭ବର୍ଷ ଜେଲ୍ ଓ ୫ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ୬ମାସ ଜେଲ୍ ପାଇଁ ରାୟରେ ସ୍ପଷ୍ଟ କରାଯାଇଛି। ପକ୍‌ସୋ ଆଇନ୍‌ର ଧାରା ୬ବଳରେ ୧୦ହଜାର ଟଙ୍କା ଜରିମାନା କିମ୍ବା ଏହା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ଜଣେ ନାବାଳିକା ଦୁଷ୍କର୍ମକାରୀ ଓ ହତ୍ୟାକାରୀ ବିରୋଧରେ କୋର୍ଟଙ୍କ ଏଭଳି ଦୃଷ୍ଟାନ୍ତମୂଳକ ରାୟକୁ ସାଧାରଣରେ ସ୍ବାଗତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଆଜକୁ ଠିକ୍‌ ୧୨ବର୍ଷ ତଳେ ଅନୁଗୁଳ ଏଡିଜେଙ୍କ ଅଦାଲତରେ ଠାକୁରଗଡ଼ ଥାନା କୁଣ୍ଡାଝରୀ ଗାଁ‌େର ସଂଘଟିତ ଏକ ଅନୁରୂପ ମାମଲାର ବିଚାର ହୋଇଥିଲା। ଦଫା ୩୦୨ରେ ସେଦିନ ମଧ୍ୟ ଅଦାଲତ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ପକ୍‌ସୋ ଆଇନ ନ ଥିବାରୁ ବିଚାର ପ୍ରକ୍ରିୟା ଏତେ ତ୍ବରାନ୍ବିତ ହୋଇ ପାରି ନ ଥିଲା। ପକ୍‌ସୋ ଅଦାଲତ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦିଆଯିବା ଅନୁଗୁଳ ଜିଲ୍ଲା ସହିତ ଓଡ଼ିଶା ନ୍ୟାୟିକ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପି.ପି. ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର