ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ନବୀନ

ସମର୍ଥନ ପାଇଁ ସମସ୍ତଙ୍କୁ ନିବେଦନ କଲେ, ଧନ୍ୟବାଦ ଜଣାଇଲେ ଦ୍ରୌପଦୀ

ଭୁବନେଶ୍ବର : ରାଜନୈତିକ ମହଲରେ ଯାହା ଆକଳନ କରାଯାଉଥିଲା ତାହା ହିଁ ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଖୋଲା ସମର୍ଥନ ଘୋଷଣା କରିଛନ୍ତି। କେବଳ ନିଜ ଦଳର ସମର୍ଥନ ଦେଇନାହାନ୍ତି, ବରଂ ଓଡ଼ିଶା ବିଧାନସଭାରେ ସବୁ ଦଳର ସଭ୍ୟମାନେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ଯିବା ପାଇଁ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି। ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଟ୍ବିଟ୍ କରି ଏହି ନିବେଦନ କରିଛନ୍ତି।

ଗତକାଲି ନବୀନଙ୍କ ଟ୍ବିଟ୍‌ରୁ ବିଜେଡିର ସମର୍ଥନର ସ୍ପଷ୍ଟ ସଙ୍କେତ ମିଳିଥିଲା। ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଗଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୁରନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ। ଆଉ ପାଦେ ଆଗେଇ ଯାଇ ଏକଥା ବି ପରୋକ୍ଷରେ ଜଣାଇ ଦେଇଥିଲେ ଯେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ବିଜେଡିର ସମର୍ଥନ ମିଳିବା ସ୍ପଷ୍ଟ ହୋଇଯାଇଥିବାରୁ ଆଉ ଶ୍ରୀମତୀ ମୁର୍ମୁଙ୍କୁ ରାଇସିନା ହିଲ୍‌ରେ ପହଞ୍ଚିବା ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ।

ସମର୍ଥନ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍‌ ପରେ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମତୀ ମୁର୍ମୁ। ଟ୍ବିଟ୍‌ କରି ସେ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକଙ୍କୁ ଦଳ ଅପେକ୍ଷା ଓଡ଼ିଶା ମାଟିର ଝିଅଙ୍କୁ ପ୍ରଥମ କରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିସର୍ତ୍ତ ସମର୍ଥନ କରିବାକୁ ଆହ୍ବାନ କରିଥିବାରୁ ଅଶେଷ ଧନ୍ୟବାଦ। ଏହା ତାଙ୍କର ଓଡ଼ିଶା ମାଟି ତଥା ଓଡ଼ିଶାବାସୀଙ୍କ ପ୍ରତି ଥିବା ଶ୍ରଦ୍ଧ‌ା ଓ ନିଷ୍ପାପ ଭଲ ପାଇବାକୁ ପ୍ରତିଫଳନ କରୁଛି।

ସୂଚନାଯୋଗ୍ୟ ଯେ ୨୦୧୭ରେ ମଧ୍ୟ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ କରିଥିଲା। ଫଳରେ ଏନ୍‌ଡିଏ ପାଖରେ ଆବଶ୍ୟକ ସଂଖ୍ୟା ନ ଥାଇ ମଧ୍ୟ ଶ୍ରୀ କୋବିନ୍ଦ ସହଜରେ ବିଜୟ ହାସଲ କରିଥିଲେ। ଅବଶ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଇ ନ ଥିଲା।

ସମ୍ବନ୍ଧିତ ଖବର