ଓଡ଼ିଆ ହକି ତାରକାଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ନବୀନ: ବୀରେନ୍ଦ୍ର-ଅମିତଙ୍କୁ ୫ କୋଟି

ଦୁଇ ଖେଳାଳିଙ୍କୁ ମିଳିଲା ପୁଲିସ ଡିଏସ୍‌ପି ଚାକିରି, ଦୀପଗ୍ରେସ୍ ଓ ନମିତାଙ୍କୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର

ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସରେ ଚମକପ୍ରଦ ପ୍ରଦର୍ଶନ କରି ରାଜ୍ୟର ଟେକ ରଖିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଚାରି ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭଣ୍ଡାର ଖୋଲି ଦେଇଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଭାରତୀୟ ହକିଦଳର ପ୍ରାୟୋଜକ ହେବାର ସାହସିକ, ସ୍ମରଣୀୟ ଓ ପ୍ରେରଣାଦାୟୀ ପଦକ୍ଷେପ ନେଇଥିବା ନବୀନ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଟୋକିଓ ଅଲିମ୍ପିକ୍ସର ଦୁଇ କାଂସ୍ୟ ପଦକ ବିଜୟୀ ଓଡ଼ିଆ ତାରକା ବୀରେନ୍ଦ୍ର ଓ ଅମିତଙ୍କୁ ଅଢ଼େଇ କୋଟି ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଏହା ସହିତ ଓଡ଼ିଶାକୁ ପ୍ରଥମ ଅଲିମ୍ପିକ୍ସ ପଦକ ଆଣିବାର ବିରଳ ସଫଳତା ଲାଭ କରିଥିବା ଏହି ଦୁଇ ହକି ନାୟକଙ୍କୁ ରାଜ୍ୟ ପୁଲିସ ବିଭାଗରେ ଡିଏସ୍‌ପି ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି। ସେହିଭଳି ନିଜ ଶ୍ରେଷ୍ଠ ପ୍ରଦର୍ଶନର ସମକକ୍ଷ ହେବା ସହ ପ୍ରଥମ ଥର ଅଲିମ୍ପିକ୍ସର ସେମିଫାଇନାଲ୍ ଖେଳିଥିବା ଭାରତୀୟ ମହିଳା ହକି ଦଳର ଦୁଇ ଓଡ଼ିଆ ଖେଳାଳି ଦୀପଗ୍ରେସ୍ ଓ ନମିତାଙ୍କୁ ନବୀନ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି।

ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଚାରି କ୍ରୀଡ଼ାବିତଙ୍କୁ ‌ଚେକ୍ ଓ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେ‌ହେରା, ୫-ଟି ସଚିବ ଭିକେ ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର୍‌ ଭିନିଲକ୍ରିଷ୍ଣା, ହକି ପ୍ରମୋସନ୍ କାଉନସିଲର ଅଧ୍ୟକ୍ଷ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କି, କଳିଙ୍ଗ ଷ୍ଟାଡିୟମରେ କାର୍ଯ୍ୟରତ ହକି ହାଇପର୍ଫରମାନ୍ସ ସେଣ୍ଟର ଓ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀମାନେ ଯୋଗଦେଇଥିଲେ। ଏହି ଅବସରରେ ପୁରସ୍କୃତ ଚାରି ସଫଳ ହକି ତାରକା ବୀରେନ୍ଦ୍ର, ଅମିତ, ଦୀପଗ୍ରେସ୍ ଓ ନମିତା ସହଯୋଗ, ସହାୟତା, ସମର୍ଥନ ଏବଂ ପ୍ରୋତ୍ସାହନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା ୧୬ କିମ୍ବା ୧୭ ତାରିଖରେ ଓଡ଼ିଶା ସରକାର ଟୋକିଓ ଅଲିମ୍ପିକ୍ସ ଖେଳି ଭାରତକୁ ଗର୍ବିତ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ମଧ୍ୟ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି।

କଠିନ ପରିଶ୍ରମ କର, ଆହୁରି ଗୌରବ ଆଣ: ମୁଖ୍ୟମନ୍ତ୍ରୀ
ଓଡ଼ିଶା ପାଇଁ ଐତିହାସିକ ସଫଳତା ଆଣିଥିବା ହକି ଖେଳାଳିଙ୍କୁ ବୁଧବାରର ସମ୍ବର୍ଦ୍ଧନା ଉତ୍ସବରେ ସାବାସୀ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ପୁରସ୍କାର ରାଶି ଓ ନିଯୁକ୍ତିପତ୍ର ଦେଲା ବେଳେ ସେମାନଙ୍କୁ ଆହୁରି କଠିନ ପରିଶ୍ରମ କରି ଦେଶ ଓ ରାଜ୍ୟ ପାଇଁ ଅଧିକରୁ ଅଧିକ ଗର୍ବ ଓ ଗୌରବ ଆଣିବାକୁ ପରାମର୍ଶ ଦେଇଥିଲେ ନବୀନ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିବା ସହ ଏହି ଐତିହାସିକ ସଫଳତା ଦେଶ ପାଇଁ ମାଇଲଖୁଣ୍ଟ ବୋଲି ମତ ଦେଇଥିଲେ। ସୂଚନାଯୋଗ୍ୟ ଯେ ୨୦୨୩ ମସିହାରେ ଲଗାତାର ଦ୍ବିତୀୟ ଥର ପାଇଁ ଓଡ଼ିଶାରେ ହକି ବିଶ୍ବକପ୍ ଆୟୋଜିତ ହେବାକୁ ଯାଉଛି। ସେଥିପାଇଁ ଖେଳାଳିମାନେ ଉତ୍ସାହିତ ଥିଲା ବେଳେ ଆଗମୀ ସମୟରେ ସେମାନଙ୍କୁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର