ବିଜେପୁର ଉପନିର୍ବାଚନ: ପ୍ରଚାରକୁ ଶେଷ ସ୍ପର୍ଶ ଦେବେ ନବୀନ

ଷ୍ଟାର୍‌ ପ୍ରଚାରକ କଲେଣି ଅଡ଼ୁଆ

ବରଗଡ଼: ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପ୍ରଚାରକୁ ଶେଷ ସ୍ପର୍ଶ ଦେବା ପାଇଁ ଆସୁଥିବା ଜଣାପଡିଛି। ଗୁରୁବାର ପହଂଚିବା ପରେ ସେ ଏଠାରେ ଦୁଇଦିନ ରହି ମାରାଥନ ନିର୍ବାଚନ ପ୍ରଚାର କରିବେ। ଏଥିପାଇଁ ଭୋଟରମାନଙ୍କ ଅପେକ୍ଷା ଏଠାରେ ଦାୟିତ୍ୱରେ ଥିବା ବିଜେଡି ନେତାମାନଙ୍କର ହୃଦ୍‌ସ୍ପନ୍ଦନ ବଢ଼ିଯାଇଛି। ବରପାଲି ଏନ୍‌ଏସି ଓ ବ୍ଲକ, ବିଜେପୁର, ଗାଇସିଲେଟ ପାଇଁ ବହୁ ପୂର୍ବରୁ ବିଜେଡି ବିଭିନ୍ନ ନେତାମାନଙ୍କୁ ଦାୟିତ୍ବ ଦେଇସାରିଛି। ତେଣୁ ମୁଖ୍ୟମନ୍ତ୍ରୀ ଆସିବା ଦିନ ସେମାନେ କିପରି ତାଙ୍କୁ ନିଜର ପାରିବାପଣ ଦେଖାଇବେ ସେ ନେଇ ପୂରା ବଳ ଖଟାଇବା ଆରମ୍ଭ କରିଦେଇଛନ୍ତି। ବିଜେପୁରରେ ବିଜେଡି ପ୍ରଚାରର ସାମଗ୍ରିକ ଦାୟିତ୍ୱରେ ଥିବା ସଂଜୟ ଦାସବର୍ମା, ନିରଂଜନ ପୂଜାରୀ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ନିଜର ପତିଆରା ଜାହିର କରିବା ପାଇଁ ଚେଷ୍ଟା କରିବେ। ମୁଖ୍ୟମନ୍ତ୍ରୀ ରୋଡ ସୋ କରିବା ସହ କେତେକ ସାଧାରଣ ସଭାରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।‌ ତେଣୁ ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟେ ସେଥିପାଇଁ ପୁଲିସ ଏବେଠାରୁ ସତର୍କ ହୋଇ ଆଜି ବିଜେପୁରରୁ ପଡା ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଥିବା ଜଣାପଡିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ନିର୍ବାଚନରେ କୁମ୍ଭାରୀଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ତାଙ୍କ ଉପରେ ଚପଲ ଫିଙ୍ଗା ଯାଇଥିବାରୁ ଏହା ଦଳୀୟ ତଥା ପ୍ରଶାସନିକ ମହଲରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ତେଣୁ ଏଥର ଉଭୟ ବିଜେଡି ଓ ପୁଲିସ ପ୍ରଶାସନ ଏଥିପାଇଁ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ନିର୍ବାଚନ ପ୍ରଚାର କାର୍ଯ୍ୟ ମଧ୍ୟ ସମୀକ୍ଷା କରିବାର ଥିବାରୁ ଏଥିପାଇଁ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତି ମଧ୍ୟ ଚାଲିଛି। ୨୦୧୯ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀର ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟୀ କରାଇଥିଲେ। ତେବେ ସେହି ସମୟରେ ମଧ୍ୟ ସେ ଦୁଇ ଦିନ ପାଇଁ ଏହି ନିର୍ବାଚନ ମଣ୍ଡଳୀକୁ ପ୍ରଚାର କରିବାକୁ ଆସିଥିଲେ। ନିର୍ବାଚିତ ହେବା ପରେ ସେ ଏହି ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇ ହିଂଜିଳିକୁ ରଖିଥିବାରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ଏକ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି କହୁଛନ୍ତି। ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ବିଜେପୁର ଛାଡ଼ିଲେ ବୋଲି ଏଠାରେ ପ୍ରଶ୍ନ ଉଠାଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଏହି ପ୍ରଶ୍ନର କି ଉତ୍ତର ଦେବେ ଏହା ଉପରେ ରାଜନୈତିକ ମହଲର ନଜର ରହିଛି। ୨୦୧୮ ଉପନିର୍ବାଚନରେ ସଂପୂର୍ଣ୍ଣ ନବାଗତ ରୀତା ସାହୁଙ୍କୁ ପ୍ରାର୍ଥୀ କଲା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ସେ ନିଜେ ପ୍ରତ୍ୟକ୍ଷ ଭାବରେ ବିଜେପୁର କଥା ବୁଝିବେ। ଏବେ ସେହି ରୀତା ସାହୁ ପୁଣି ଥରେ ବିଜେଡିରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି। ୨୦୧୮ ଉପନିର୍ବାଚନରେ ଅନେକ ପ୍ରକଳ୍ପ ଘୋଷଣା କରାଯାଇଥିଲା। ତେବେ ଏହା ମଧ୍ୟରୁ ପ୍ରମୁଖ ଥିଲା ଗଙ୍ଗାଧର ମେହେର ଜଳସେଚନ ଯୋଜନା। ଦେଢ଼ ବର୍ଷରୁ ଅଧିକ ବିତି ଯାଇଥିଲେ ବିଜେପୁରରେ ଏକ ଜଳସେଚନ ବିଭାଗର ଅଫିସ୍‌ ଖୋଲି ୨/୩ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସେପରି ଆଖିଦୃଶିଆ ଅଗ୍ରଗତି ହୋଇ ନ ଥିବାରୁ ଏହାକୁ ମଧ୍ୟ ବିରୋଧୀ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ଚଳିତ ଗସ୍ତରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ଅନେକ ପ୍ରତିଶ୍ରୁତି ଦେବାର ସମ୍ଭାବନା ରହିଛି । ମାତ୍ର ନିର୍ବାଚନ କଟକଣା ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ସିଧାସଳଖ କୌଣସି ଘୋଷଣା କରିପାରିବେ ନାହିଁ। ଦୁଇ ବର୍ଷ ମଧ୍ୟରେ ତୃତୀୟଥର ନିର୍ବାଚନ ସାମ୍ନା କରୁଥିବା ବିଜେପୁର ନିର୍ବାଚନମଣ୍ଡଳୀର ଜନସାଧାରଣ କେତେ ଦୂର ଗ୍ରହଣ କରିବେ ତା ଉପରେ ଦଳର ସଫଳତା ନିର୍ଭର କରିବ। ‌ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏହି ଉପନିର୍ବାଚନ ମୋଡ଼କୁ ବଦଳାଇବ ଏଥିରେ କୌଣସି ସନ୍ଦେହ ନାହିଁ।

ଷ୍ଟାର୍‌ ପ୍ରଚାରକ କଲେଣି ଅଡ଼ୁଆ
ବରଗଡ଼: ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକର ନିଦ ସେତିକି ଉଡ଼ି ଯାଉଛି। ଦିନରାତି ଏକ୍‌ କରି ସଭିଏଁ ବିଜେପୁର ଆସନ ଦଖଲ କରିବାକୁ ପ୍ରୟାସ ଚଳାଇଛନ୍ତି। ଏଥିପାଇଁ ସବୁ ବଳବୁଦ୍ଧି ଅଜାଡ଼ି ଦିଆଯାଉଛି। ପ୍ରଚାର ଅଭିଯାନକୁ ଶାଣିତ ଏବଂ ଆକର୍ଷଣୀୟ କରିବାକୁ କସରତ ଚାଲିଛି। ଷ୍ଟାର ପ୍ରଚାରକ ଯୋଗାଡ଼ ସାଂଗକୁ ସିନେଷ୍ଟାରଙ୍କୁ ଅଭିଯାନରେ ଓହ୍ଲାଇବାକୁ ଉଦ୍ୟମ ଚାଲିଛି। ପ୍ରଚାର ବେଳେ ଆଶାନୁରୂପକ ଭିଡ଼ ହେଉନଥିବାରୁ ଚିନ୍ତା ଆହୁରି ବଢ଼ୁଛି। ତିନି ପ୍ରମୁଖ ଦଳ ନିଜ ନିଜ ୪୦ ଜଣିଆ ଷ୍ଟାର୍‌ ପ୍ରଚାରକଙ୍କ ତାଲିକା ଆଗରୁ ପ୍ରକାଶ କରି ଦେଇଛନ୍ତି। କିନ୍ତୁ ଏହି ଷ୍ଟାର୍‌ ପ୍ରଚାଚକମାନେ ହିଁ ବେଶି ମୁଣ୍ଡବିନ୍ଧା ଦେଉଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ବିଜେଡିର ଷ୍ଟାର୍‌ ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷରେ ଅଛନ୍ତି। ଆସନ୍ତା ୧୭ ଓ ୧୮ ତାରିଖ ସେ ନିର୍ବାଚନ ମଣ୍ଡଳୀରେ ରୋଡ୍‌ ସୋ’ ତଥା ସାଧାରଣ ସଭା କରିବେ। ବର୍ତମାନ ଦଳର ଅନ୍ୟ ପ୍ରଚାରକମାନେ ନିର୍ବାଚନ ମଣ୍ଡଳୀ ସାରା ବିକ୍ଷିପ୍ତ ହୋଇ ପ୍ରଚାର ଚଳାଇଛନ୍ତି। ଏଥର ଦଳର ଷ୍ଟାର୍‌ ପ୍ରଚାରକ ତାଲିକାରେ ଉପକୂଳରୁ ୧୬ଜଣ ନେତାଙ୍କ ନାମ ରହିଛି। କିନ୍ତୁ ନିଜ ପତିଆରା ଦେଖାଇବା ପାଇଁ ତାଲିକାରେ ନଥିବା ନେତା ବି ଡେରା ମାରିଛନ୍ତି। ଭୋଟର୍‌ ଆଦୌ ଚିହ୍ନିନଥିବା ନେତା ମଧ୍ୟ ଚକ୍କର ମାରୁଛନ୍ତି।   ଉଭୟ ଉପକୂଳ ତଥା ପଶ୍ଚିମ ଓଡ଼ିଶାର ଦ୍ବିତୀୟ ଶ୍ରେଣୀର ନେତାମାନେ ପ୍ରଚାର ଦାୟିତ୍ବ ପାଇନଥିଲେ ହେଁ ନିଜ ଇଚ୍ଛାରେ ଭୋଟ୍‌ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଦଳରେ ନିଜ ଉପସ୍ଥିତି ଜାହିର କରିବାକୁ ଏମାନେ ଭିଡ଼ ଜମାଉଥିବାରୁ ତୁଙ୍ଗ ନେତାଙ୍କ ଚିନ୍ତା ବଢ଼ି ଯାଇଛି। ବିଜେପିକୁ ମଧ୍ୟ ଷ୍ଟାର୍‌ ପ୍ରଚାରକ ଚିନ୍ତା ଘାରିଛି। ବର୍ତମାନ ଯାଏ ଦଳର ଶୀର୍ଷସ୍ତରର ଷ୍ଟାର୍‌ ପ୍ରଚାରକ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍‌ ଓରାମ ପ୍ରଚାରକୁ ଆସିଛନ୍ତି। ପ୍ରଚାରକ ତାଲିକାରେ ଥିବା କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ଅରୁଣ ସିଂହ, ସ୍ମୃତି ଇରାନୀ, ମନୋଜ ତିୱାରୀଙ୍କ ଏଯାଏ ଦେଖା ନାହିଁ। ସ୍ମୃତି ଇରାନୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେଉହେଉ ବାତିଲ୍‌ ହୋଇଥିବା ଜଣାପଡ଼ିଛି। ତେଣୁ ଦଳ ନିଜ ପଶ୍ଚିମ ଓଡ଼ିଶାର ପ୍ରଚାରକଙ୍କ ଉପରେ ବେଶି ଭରସା କରିବାକୁ ବାଧ୍ୟ ହୋଇଛି। କେନ୍ଦ୍ରୀୟ ନେତାମାନେ ଅନ୍ୟ ରାଜ୍ୟର ନିର୍ବାଚନରେ ବ୍ୟସ୍ତ ରହୁଥିବାରୁ ବିଜେପୁର ପ୍ରଚାର ମଇଦାନରେ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓହ୍ଲାଇବାକୁ ପଡ଼ିବ। ଷ୍ଟାର୍‌ ପ୍ରଚାରକ କ୍ଷେତ୍ରରେ ସବୁଠୁ ବେଶି ଧୋକା ଖାଇଛି କଂଗ୍ରେସ। ଦଳର ତାଲିକାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଡ. ମ‌ନମୋହନ ସିଂହ, ଜିତେନ୍ଦ୍ର ସିଂହ, ଟିଏସ୍‌ ସିଂଦେଓ, ଭୁପେଶ ବାଘେଲ, ମନୀଷ ତିୱାରୀ, ସଚିନ ପାଇଲଟ୍‌ଙ୍କ ଭଳି ଜାତୀୟ ସ୍ତରର ନେତା ଅଛନ୍ତି। କିନ୍ତୁ ଏମାନେ ତ ଦୂରର କଥା ରାଜ୍ୟସ୍ତରର ନେତା ବି ପ୍ରଚାରକୁ ଆସି ନାହାନ୍ତି।  

ସମ୍ବନ୍ଧିତ ଖବର