ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଖୁସି ଖବର: ନିଷ୍ଠାପର ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ମିଳିବ ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫ଟି କାର୍ଯ୍ୟକ୍ରମରେ ଡାକ୍ତର ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

୫ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଅନେକ ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌ ଓ ଅନ୍ୟ କର୍ମଚାରୀମାନେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି ଏବଂ ଅତ୍ୟନ୍ତ ସମ୍ଭେଦନଶୀଳ ଭାବେ ରୋଗୀଙ୍କ ଯତ୍ନ ନେଉଛନ୍ତି। ତେଣୁ ଏହି ନିଷ୍ଠାପର ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି।

thedragflick

ଡାକ୍ତରଙ୍କୁ ମୁଣ୍ଡପିଛା ୧୦ଲକ୍ଷ ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯିବା ବେଳେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅନ୍ୟ କର୍ମଚାରୀଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତେବେ ଏହି ପୁରସ୍କାର ଶ୍ରେଷ୍ଠ ୧୦ଜଣ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମିଳିବ । ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନର ଚୂଡ଼ାନ୍ତ ନିଷ୍ପତ୍ତି କମିଟି ନେବ। ଏଥିସହିତ ଭଲ କାମ କରୁଥିବା ସରକାର ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ବି ପୁରସ୍କାର କରାଯିବ।

କେବଳ ଏତିକି ନୁହେଁ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟାଜିତ ଜଣେ ସ୍ଥାୟୀ କର୍ମଚାରୀ ତାଙ୍କ ଚାକିରିକାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତ୍ତି କରି ଏହି ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ପୁରସ୍କାର ପାଇଁ ମନୋନୀତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତ୍ତୀ ଉଚ୍ଚପଦବିକୁ ପଦୋନ୍ନତି ଦିଆଯିବ। ଏଥିପାଇଁ ସେ ସର୍ବନିମ୍ନ ୨୫ବର୍ଷ ସ୍ଥାୟୀ ଚାକିରି କରିଥିବା ଆବଶ୍ୟକ।

ସେବା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର :
ତେବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସର୍ବୋଚ୍ଚ ପୁରସ୍କାର ଭାବେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଦିଆଯିବ । ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଶ୍ରେଷ୍ଠ ବିବେଚିତ ୧୦ଜଣ ଡାକ୍ତରଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରଖାଯାଇଥିବା ବେଳେ, ଅନ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି ।

ସ୍ୱାସ୍ଥ୍ୟସେବା ବୃତ୍ତିଧାରୀ ମାନଙ୍କ ପାଇଁ କ୍ୟାରିୟର ଆୱାର୍ଡ :
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ଜଣେ ସ୍ଥାୟୀ କର୍ମଚାରୀ ତାଙ୍କ ଚାକିରି କାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତ୍ତି କରି ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ମନୋନୀତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତ୍ତୀ ଉଚ୍ଚପଦବୀକୁ ପଦୋନ୍ନତି ଦିଆଯିବ । ଏଥିପାଇଁ ସେ ସର୍ବନିମ୍ନ ୨୫ ବର୍ଷ ସ୍ଥାୟୀ ଚାକିରୀ କରିଥିବା ଆବଶ୍ୟକ ।

କାୟାକଳ୍ପ ପ୍ରମାଣପତ୍ର :
କାୟାକଳ୍ପ ପ୍ରମାଣପତ୍ର ପାଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବରେ ଦିଆଯିବ ।

ଲକ୍ଷ୍ୟ ପ୍ରମାଣ ପତ୍ର :
ଲକ୍ଷ୍ୟ ପ୍ରମାଣପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ପ୍ରସବ ଗୃହ ଓ ମାତୃତ୍ୱ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କ ପାଇଁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବରେ ଦିଆଯିବ ।

ମୋ ସରକାର କାର୍ଯ୍ୟକ୍ରମ ଅନୁଯାୟୀ ରୋଗୀଙ୍କ ମତାମତ ଭିତ୍ତିରେ ଶ୍ରେଷ୍ଠ ୫ ଗୋଟି ଅନୁଷ୍ଠାନ ପାଇଁ ପୁରସ୍କାର :
ସରକାରୀ ଡାକ୍ତରଖାନା ଯାଉଥିବା ରୋଗୀମାନଙ୍କର ମତାମତକୁ ଭିତ୍ତି କରି ସ୍ଥିର କରାଯାଇଥିବା ଶ୍ରେଷ୍ଠ ୫ ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମେଡିକାଲ ଅଫିସରଙ୍କୁ ତ୍ରୈମାସିକ ପ୍ରଂଶସା ପତ୍ର ପ୍ରଦାନ କରାଯିବ । ଏହା ସହ ବର୍ଷ ସାରା ଭଲ କାମ କରିଥିବା ସ୍ଥାୟୀ ମେଡିକାଲ କର୍ମଚାରୀମାନଙ୍କୁ ଏଲଟିସିରେ ବିଦେଶ ଭ୍ରମଣର ସୁଯୋଗ ଦିଆଯିବ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ତାଲିମ ନିମନ୍ତେ ବିଦେଶ ପଠାଯିବ ।

ପ୍ରସବ ଓ ତଦଜନିତ ଅସ୍ତ୍ରୋପଚାର ନିମନ୍ତେ ପୁରସ୍କାର :
ପ୍ରସବ ଓ ତଦଜନିତ ଅସ୍ତ୍ରୋପଚାର ନିମନ୍ତେ ଭଲ କାମ କରିଥିବା ଟିମକୁ ସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ । ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ଏବଂ ସେମାନଙ୍କର ସଫଳତାର ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର