ନିଜକୁ ସରକାରୀ କର୍ମଚାରୀ ନୁହେଁ, ପରିବର୍ତ୍ତନର ବାହକ ଭାବ

୧୦୬ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୬ଜଣ ନବନିଯୁକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି। ଏହି ନିଯୁକ୍ତିପତ୍ର ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ତୁମେ ନିଜକୁ ଜଣେ ସାଧାରଣ ସରକାରୀ କର୍ମଚାରୀ ବୋଲି ଭାବିବନି, ବରଂ ଜଣେ ପରିବର୍ତ୍ତନର ବାହକ ଭାବି କାମ କରିବ। ତୁମେ ଯେଉଁ ଲୋକମାନଙ୍କ ପାଇଁ କାମ କରୁଛ, ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସେଠାରେ ଅଛ ବୋଲି ଭାବିବ। ମୁଁ ଆଶା କରିବି ଯେ ତୁମେମାନେ ସଂପୂର୍ଣ୍ଣ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରିବାରେ ଓଡ଼ିଶା ଏବେ ଆଦର୍ଶ ରାଜ୍ୟ ପାଲଟିଛି। ଆମ ଜନକଲ୍ୟାଣ ଯୋଜନାଗୁଡ଼ିକ ଅନ୍ୟମାନଙ୍କ ଦ୍ବାରା ବେଶ୍‌ ପ୍ରଶଂସିତ ହେବା ସହ ଅନ୍ୟ ରାଜ୍ୟମାନେ ଏହାକୁ ଅନୁଧାବନ କରୁଛନ୍ତି। ମୁଁ ସର୍ବଦା ସାଧାରଣ ଲୋକଙ୍କୁ ପ୍ରଶାସନିକ ପଦକ୍ଷେପର କେନ୍ଦ୍ରରେ ରଖି ନିଷ୍ପତ୍ତି ନେବାକୁ ଗୁରୁତ୍ବ ଦେଇଛି। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଲୋକଙ୍କ ବିକାଶକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ସେମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି।

ତୁମେମାନେ ୫ଟି ମନ୍ତ୍ର ପ୍ରତି ସଚେତନ ହେବ। ରାଜ୍ୟରେ ପରିବର୍ତ୍ତନ ଆଣିବା ପାଇଁ ଆମେ ଏହାକୁ କାର୍ଯ୍ୟକାରୀ କରୁଛୁ। ତୁମେ ଏହାକୁ ଅନୁଧାବନ କରିବା ସହ ସମସ୍ତ ଆନୁଷ୍ଠାନିକ କାର୍ଯ୍ୟରେ ଏହାକୁ ଲାଗୁ କରିବ।

ଏହି ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗର କଲ୍ୟାର ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ପାଇଁ କରାଯାଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ନିର୍ଦ୍ଦେଶକ (ଅନୁସୂଚିତ ଜନଜାତି) ସଚିନ୍ ରାମଚନ୍ଦ୍ର ଯାଦବ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତି କଳା ଓ କଳା ବସ୍ତୁର ପ୍ରସାର ଓ ବିକ୍ରୟ ପାଇଁ ଜନଜାତି ଉନ୍ନୟନ ନିଗମ ଲିମିଟେଡ୍ ଦ୍ବାରା ପ୍ରସ୍ତୁତ ଇ-କମର୍ସ ପୋର୍ଟାଲର ଉଦ୍‌ଘାଟନ କରିଥିଲେ। ଏହାସହ ୧୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀ ବିକାଶ ନିମନ୍ତେ ଓପିଇଏଲ୍‌ଆଇପି କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଓ ପରିଚାଳନା ଉଦ୍ଦେଶ୍ୟରେ ପ୍ରସ୍ତୁତ ଇ-ସମୃଦ୍ଧ ଆପ୍‌, ଏବଂ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ୱେବସାଇଟ୍‌ www.ostm.inର ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର