ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ପଦକ୍ଷେପ ନେଉଛନ୍ତି ନବୀନ, ଟାର୍ଗେଟରେ ପୌର ନିର୍ବାଚନ

ଭୁବନେଶ୍ୱର(ସୁବ୍ରତ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ଲାଗି ରାଜ୍ୟରେ କ୍ଷମତା ଦାଖଲ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଳମ୍ବିତ ହୋଇଥିବା ପୌର ନିର୍ବାଚନ ତାରିଖ ଯେ କୌଣସି ସମୟରେ ଘୋଷଣା କରାଯାଇପାରେ।

ରାଜ୍ୟବାସୀଙ୍କର ହୃଦୟ ଜୟ କରିବା ଲାଗି ‘କାଳିଆ’ ଯୋଜନାର ଅବଧି ୫ବର୍ଷ ବଢ଼ାଇବା ସଙ୍ଗେସଙ୍ଗେ ସାଧାରଣ ଜନତାଙ୍କର ସେବାକୁ ଅଧିକ ସକ୍ରିୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଗତ ମେ ୨୯ ତାରିଖ ଦିନ ପଞ୍ଚମ ଥର ଲାଗି ଗାଦିରେ ବସିବା ମାତ୍ରେ ନବୀନ ତାଙ୍କର ନୂତନ ଟିମ୍‌ର ପ୍ରଥମ ବୈଠକରେ ନିର୍ବାଚନୀ ପ୍ରସ୍ତୁତି ପାଳନ ଉପରେ ପ୍ରାଥମିକତା ଦିଆଯିବ ବୋଲି ସ୍ଥିର କରିଥିଲେ। ସେହି ମର୍ମରେ ସେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କର ବୈଠକ ଡକାଇ ଜନସାଧାରଣଙ୍କର ସେବା ଉପରେ ଗୁରୁତ୍ୱ ଦେଇଥିଲେ।

ନବୀନ ତାଙ୍କର ୩ ‘ଟି’ ମନ୍ତ୍ର (ଟିମ୍‌ଓ୍ଵାର୍କ, ଟ୍ରାନ୍ସପ୍ୟାରେନ୍ସି, ଟେକ୍ନୋଲଜି)ରେ ଆଉ ୨ଟି ‘ଟି’ (ଟାଇମ୍‌ ଏବଂ ଟ୍ରାନ୍ସଫର୍ମେସନ୍‌) ଯୋଡ଼ିଥିଲେ। ତୃଣମୂଳ ସ୍ତରରେ ସରକାରୀ ବିଭାଗଗୁଡ଼ିକ ଜନସାଧାରଣଙ୍କୁ ଠିକ୍‌ ସେବା ଯୋଗାଇ ଦେଉଛନ୍ତି କି ନାହିଁ ଏବଂ ଲୋକମାନଙ୍କର ପ୍ରତିକ୍ରିୟା ସଂଗ୍ରହ କରିବାକୁ ସେ ସରକାରୀ ଅଫିସରମାନଙ୍କୁ ପରାମର୍ଶ ଦେଇଥିଲେ।

ଗତକାଲି ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ ନାମରେ ଏକ ନୂତନ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏହା ଆସନ୍ତା ଗାନ୍ଧୀ ଜୟନ୍ତୀଠାରୁ କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ତୃଣମୂଳସ୍ତରରେ ସରକାରୀ ବିଭାଗଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ ସେହି ବିଷୟରେ ଫୋନ୍‌ କରି ଜନସାଧାରଣଙ୍କଠାରୁ ପଚାରି ବୁଝିବେ।

ପ୍ରଶାସନକୁ ଲୋକମାନଙ୍କର ନିକଟତର କରିବା ପାଇଁ ନବୀନ ବିଭିନ୍ନ ପ୍ରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଜନସାଧାରଣ ଭୂରାଜସ୍ୱ ଅନ୍‌ଲାଇନ୍‌ରେ ପଇଠ କରିବା ପାଇଁ ଏକ କାର୍ଯ୍ୟକ୍ରମ ଗତକାଲି ଆରମ୍ଭ କରାଯାଇଛି।

୫ ‘ଟି’ର ସଫଳ ରୂପାୟନ ପାଇଁ ଏହି କାର୍ଯ୍ୟକ୍ରମ ତଦାରଖ ଦାୟିତ୍ୱ ନବୀନ ନିଜ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍‌କୁ ଦେଇଛନ୍ତି। ଏଥିପାଇଁ ଏକ ନୂଆ ବିଭାଗ ଖୋଲା ଯାଇ ଶ୍ରୀ ପାଣ୍ଡିଆନ୍‌ଙ୍କୁ ତାର ସଚିବ ଭାବେ ନିଯୁକ୍ତ କରାଯାଇଛି।

ମୁଖ୍ୟମନ୍ତ୍ରୀ ନିକଟରେ ପୁଲିସ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ ଉନ୍ନୟନ କମିଶନର ଏବଂ କୃଷି ଉତ୍ପାଦନ କମିଶନର ସମେତ ବହୁ ବରିଷ୍ଠ ପଦବୀରେ ନୂତନ ନିଯୁୁକ୍ତି କରି ପ୍ରଶାସନିକ ପୁନର୍ବିନ୍ୟାସ ଆରମ୍ଭ କରିଛନ୍ତି।

ସରକାରୀ ସ୍ତରରେ ଉପରୋକ୍ତ ସଂସ୍କାରମୂଳକ ପଦକ୍ଷେପ ନେବା ସଙ୍ଗେସଙ୍ଗେ ଶାସକ ଦଳରେ ନେତା ଓ କର୍ମୀମାନଙ୍କର ମନୋବଳ ବୃଦ୍ଧି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଦଳର ୨୦ ଜଣ ପୁରୁଖା ଓ ନବୀନ ବିଧାୟକଙ୍କୁ ନେଇ ନବୀନ ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିବା ସାଙ୍ଗକୁ ୧୭ଜଣ ମନ୍ତ୍ରୀ ଏବଂ ଶାସକ ଦଳର ୧୨ଜଣ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଆଜି ୩୫ଜଣ ଦଳୀୟ କର୍ମକର୍ତ୍ତାଙ୍କୁ ବିଭିନ୍ନ ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷ ଏବଂ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର