ଏନ୍‌ଏଚ୍-୫୫ କାମ ଶୀଘ୍ର ସାର, ଗଡ଼କରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର : କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଉନ୍ନତି କାମରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୭ ମସିହାରୁ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ଏହି କାମ କରୁଛି। ତେବେ ୪ ଲେନ୍ ବିଶିଷ୍ଟ ଏହି ରାଜପଥର ୦.୪୦୦ କି.ମିରୁ ୨୬୫.୦୦ କି.ମି. କାମ ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ ରାସ୍ତା କାମ ଶୀଘ୍ର ସାରିବା ଲାଗି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ଆଜି ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫୫ ନମ୍ବର ଜାତୀୟ ରାଜପଥ ହେଉଛି ପଶ୍ଚିମ ଓଡ଼ିଶାର ଜୀବନ ରେଖା। ଅଧାପନ୍ତରିଆ କାମ ଯୋଗୁଁ ସେଠାରେ ନିୟମିତ ବ୍ୟବଧାନରେ ଦୁର୍ଘଟଣା ଘଟିବା ସହିତ ଜୀବନହାନୀ ଘଟୁଛି। ଗତ ୨ବର୍ଷ ଭିତରେ ୩୯୯ଟି ଦୁର୍ଘଟଣା ହେବା ସହିତ ୧୯୬ଜଣଙ୍କ ଜୀବନ ଯାଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ପୂର୍ବରୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ପରିବହନ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି। ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ଅଧିକାରୀମାନେ ନିୟମିତ ବ୍ୟବଧାନରେ ରାସ୍ତା କାର୍ଯ୍ୟର ସମୀକ୍ଷା କରୁଥିଲେ ହେଁ ସନ୍ତୋଷଜନକ ଫଳାଫଳ ମିଳିନାହିଁ। ତେଣୁ କେନ୍ଦ୍ର ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ଲାଗି ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର