ଓଡ଼ିଆ ପୁଅ ତଥା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିବା ନକ୍ସଲ ଗିରଫ

ଦାନ୍ତେୱାଡା: ଓଡ଼ିଆ ପୁଅ ତଥା ଡିଡି(ଦୂରଦର୍ଶନ)ରେ କ୍ୟାମେରାମ୍ୟାନ ଥିବା ଅଚ୍ୟୁତାନନ୍ଦ ସାହୁଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ ନକ୍ସଲକୁ ଆଜି ପୁଲିସ ଗିରଫ କରିଛି | ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ନକ୍ସଲର ନାମ କେଶା କୋହରାମ ହୋଇଥିବା ବେଳେ ସେ ଦାନ୍ତେଓ୍ଵାଡାର ଦରଭା ଆକ୍ସନ ଟିମର ସଦସ୍ୟ ଅଛି।

ମିଳିଥିବା ସୂଚନା ମୁତାବକ, ସୁରକ୍ଷାକର୍ମୀ ବୁଧବାର ଦିନ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବାବେଳେ କେଶାକୁ ଗିରଫ କରାଯାଇଥିଲା | କେଶା ପାଖରୁ ଡେ଼ଟୋନେଟର ସହ ଲ୍ୟାଣ୍ଡମାଇନ ପାଇଁ ବ୍ୟବହୃତ ତାର ଜବତ କରାଯାଇଛି | କେଶା ଲ୍ୟାଣ୍ଡମାଇନ ଓ ଡିଟୋନେଟର ଲଗାଇବାରେ ସିଦ୍ଧହସ୍ତ ହୋଇଥିବାବେଳେ ତାହାର ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା |

www.deccanchronicle.com

ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୨୦୧୮ ମସିହାରେ ଦାନ୍ତେୱାଡା ଜଙ୍ଗଲରେ ହୋଇଥିବା ନକ୍ସଲ ଆକ୍ରମଣରେ କେଶାର ମଧ୍ୟ ହାତ ରହିଥିଲା | ଏହି ଆକ୍ରମଣରେ ଅଚ୍ୟୁତାନନ୍ଦଙ୍କ ସହ ଅନ୍ୟ ଦୁଇ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ | ଏଠାରେ ସୂଚନା ଥାଉ କି ଅକ୍ଟୋବର ୩୦ ତାରିଖ ୨୦୧୮ ମସିହାରେ ଦୂରଦର୍ଶନରେ ଗ୍ରେଡ-୨ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରୁଥିବା କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ଦୂରଦର୍ଶନ ଟିମ୍ ସହ ଛତିଶଗଡ଼ରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମ୍ବାଦ ସଂଗ୍ରହ ଲାଗି ଆସିଥିଲେ। ଦାନ୍ତେଓ୍ଵାଡା ଅଞ୍ଚଳର ଅରଣପୁର ଠାରେ ନକ୍ସଲଙ୍କ ଆକ୍ରମଣରେ ତାଙ୍କର ଅକାଳରେ ମୃତ୍ୟୁ ହୋଇଥିଲା ।

୨୦୧୧ ମସିହାରେ ଅଚ୍ୟୁତାନନ୍ଦ ଦୂରଦର୍ଶନରେ ଯୋଗ ଦେଇଥିଲେ। ନୂଆଦିଲ୍ଲୀରେ ରହୁଥିବା ଅଚ୍ୟୁତାନନ୍ଦଙ୍କ ସ୍କୁଲ ଓ କଲେଜ ଜୀବନ କଟିଥିଲା ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ। ସେ ବୀରମହାରାଜପୁର ହାଇସ୍କୁଲ ଓ ବୀରମହାରାଜପୁର କଲେଜରେ ପାଠ ପଢ଼ିଥିଲେ। ଏହାପରେ ସେ ଭାରତୀୟ ସେନାରେ ଚାକିରି କରିଥିଲେ ଏବଂ ସେନାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଇନଷ୍ଟିଚ୍ୟୁଟରେ ସିନେମାଟୋଗ୍ରାଫି ପଢ଼ିଥିଲେ। ଏହାପରେ ସେ ଦୂରଦର୍ଶନରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର