ମାଓ ହମ୍‌ଲା: ସହିଦ ୯ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରୁ ଜଣେ ଓଡ଼ିଆ! ମାଲକାନଗିରିରେ ହାଇଆଲର୍ଟ ଜାରି

ମାଲକାନଗିରି: ଛତିଶଗଡ଼ର ସୁକୁମା ଜିଲ୍ଳାରେ ପୁଣି ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ସହିଦ ହୋଇଥିବା ୯ଜଣ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଥିବା ଜଣାପଡ଼ିଛି। ତେବେ ଏଯାବତ୍‌ ତାଙ୍କ ବିଷୟରେ ସବିଶେଷ ବିବରଣୀ ପ୍ରାପ୍ତ ହୋଇନାହିଁ। ଅନୁସନ୍ଧାନ ଜାରି ରହିଛି। ସହିଦ ଯବାନମାନେ ହେଲେ ଏଏସ୍‌ଆଇ ଆରକେଏସ୍‌ ତୋମାର୍‌, କନେଷ୍ଟବଳ ଅଜୟ କୁମାର ଯାଦବ, ମନୋରଞ୍ଜନ ଲେଙ୍କା, ଜିତେନ୍ଦ୍ର ସିଂ, ଶୋଭିତ କୁମାର ଶର୍ମା, ମନୋଜ ସିଂହ, ଧର୍ମେନ୍ଦ୍ର ସିଂହ, ଚନ୍ଦ୍ର.ଏଚ.ଏସ୍‌ ଓ ହେଡ୍‌ କନେଷ୍ଟବଳ ଲକ୍ଷ୍ମଣ। ସେହିପରି ଗୁରୁତର ଆହତ ୫ ଯବାନଙ୍କ ମଧ୍ୟରୁ ଦୁଇଜଣଙ୍କ ନାମ ଜଣାପଡ଼ିଛି। ସେମାନେ ହେଲେ ମଦନ କୁମାର ଓ ରାଜେଶ କୁମାର ।

ମିଳିଥିବା ସୂଚନା ଅନୁସାରେ ସିଆର୍‌ପିଏଫ୍‌ର ୨୧୨ ଇଟାଲିଅନ୍‌ ସୁକମା ଜିଲ୍ଳାର କିଷ୍ଟାରାମ୍‌ ଅଞ୍ଚଳକୁ କମ୍ବିଂ ଅପରେସନରେ ଯାଇଥିବା ଏକ ପାଟ୍ରୋଲିଂ ଦଳକୁ ମାଓବାଦୀମାନେ ଟାର୍ଗେଟ କରିଥିଲେ। ଏକ ଆଣ୍ଟି -ଲ୍ୟାଣ୍ଡମାଇନ୍‌ ଯାନରେ ଯବାନମାନେ କିଷ୍ଟାରାମ୍‌ରୁ ପାଲୋଡି ଯାଉଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟାଇଥିଲେ। ଫଳରେ ଯାନଟି ସଂପୂର୍ଣ୍ଣ ବିଧ୍ୱସ୍ତ ହୋଇଯାଇଥିଲା। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ୯ ଯବାନ ସହିଦ ହୋଇଥିବା ବେଳେ ୫ ଯବାନ ଗୁରୁତର ଆହତ ହୋଇଥିବା ଖବର ମିଳିିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି ଓ ମୃତାହତମାନଙ୍କୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ଛତିଶଗଡର ସ୍ୱତନ୍ତ୍ର ଡିଜି ( ମାଓ-ବିରୋଧୀ ଅଭିଯାନ) ଡି.ଏମ୍‌.ଅବସ୍ତି ସୂଚନା ଦେଇଛନ୍ତି। ଏଥିସହିତ ଗୁରୁତରଙ୍କୁ ସୁକମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମାଓବାଦୀଙ୍କ ଆକ୍ରମଣ ପରେ ଓଡ଼ିଶାର ମାଲକାନଗିରିରେ ହାଇଆଲର୍ଟ ଜାରି କରାଯାଇଥିବା ସହିତ ସୀମାନ୍ତରେ ସମସ୍ତ ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। କେବଳ ଏତିକି ନୁହେଁ, ସମସ୍ତ ଥାନା ଅଧିକାରୀଙ୍କୁ ସଜାଗ ରହିବା ସହିତ ବିଏସ୍‌ଏଫ୍‌ କ୍ୟାମ୍ପ୍‌ଗୁଡ଼ିକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାରଣ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ରହିଛି ଯେ ି ମାଓବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରି ପାରନ୍ତି । ପୁଣିଥରେ ମାଓବାଦୀ ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ।

 

ସମ୍ବନ୍ଧିତ ଖବର