ନୟାଗଡ଼ ଚିନିକଳ କାର୍ଯ୍ୟକ୍ଷମ କରିବା ଦାବି : କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ବନ୍ଦ

ନୟାଗଡ଼ : ନୟାଗଡ଼ ପାଣିପୋଇଲା ଠାରେ ସମବାୟ ବିଭାଗ ଦ୍ବାରା ପ୍ରତିଷ୍ଠିତ ଅଚଳ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦାବିରେ ଆଜି ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୟାଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ଏହି ଅବସରରେ ଜିଲ୍ଲା ସଦର ମହକୁମା ସହିତ ବିଭିନ୍ନ ବ୍ଲକ୍‌ରେ କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ ଚାଷୀମାନେ ଧାରଣାରେ ବସିଥିଲେ। ଅପରାହ୍ନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିଲା। ତେବେ ଏହା ପରେ ସ୍ଥିତି ସ୍ବାଭାବିକ ହୋଇଯାଇଥିଲା।

ସକାଳୁ କ୍ରିୟାନୁଷ୍ଠାନ କମିଟି ନେତା ନୟାଗଡ଼ ରେଳ ଷ୍ଟ‌େସନ୍‌ରେ ପହଞ୍ଚି ରେଳ ରୋକ କରିଥିଲେ। ଜିଲ୍ଲା ସଦର ମହକୁମାରେ ଆନ୍ଦୋଳନର ନେତୃତ୍ବ ନେଉଥିବା କ୍ରିୟାନୁଷ୍ଠାନ କମିଟି ନେତା ବିଶ୍ବ‌ନାଥ ମହାପାତ୍ର, ମନୋଜ ସାହୁ, ଯୋ‌ଗେନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ପ୍ରଧାନ, ଶିବରାମ ମହାପାତ୍ରଙ୍କ ସମେତ ୧୯ ଜଣଙ୍କୁ ସକାଳ ପ୍ରାୟ ୯ଟାରେ ପୁଲିସ ଉଠାଇ ନେଇ ଇଟାମାଟି ଥାନାରେ ଅଟକ ରଖିଥିଲା। ସେହିଭଳି ଶରଣକୁଳରେ ଲଡ଼ୁବାବାଙ୍କ ମନ୍ଦିର ସମ୍ମୁଖରେ ରାସ୍ତା ଅବରୋଧ କରି ବସିଥିବା ୧୦ ଜଣ ଚାଷୀ ନେତାଙ୍କୁ ପୁଲିସ ଶରଣକୁଳ ଥାନ‌ାରେ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିଲା। ଦଶପଲ୍ଲାରେ ସକାଳ ସମୟରେ ଆନ୍ଦୋଳନକାରୀ ପାଖାପାଖି ୩୦ ମିନିଟ୍ ରାସ୍ତା ଅବରୋଧ କରିଥି‌ଲେ। ରଣପୁର ଓ ଗଣିଆରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆନ୍ଦୋଳନକାରୀ ଯାଇ ବନ୍ଦ କରିଥିଲେ। ରଣପୁର‌ରେ ବଜାର କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା। ନୂଆଗାଁରେ ପାଖାପାଖି ଏକ ଘଣ୍ଟା କାଳ ବନ୍ଦ ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଖଣ୍ଡପଡ଼ା ଓ ଭାପୁରରେ ବନ୍ଦର ଆଂଶିକ ପ୍ରଭାବ ଦେଖା ଯାଇଥିଲା। ଓଡ଼ଗାଁରେ ସକାଳେ କିଛି ଘଣ୍ଟା ପାଇଁ ଦୋକାନ ବଜାର ବନ୍ଦ ରହିଥିଲା।

ସାରା ଜିଲ୍ଲା‌ରେ ବନ୍ଦର ଆଂଶିକ ପ୍ରଭାବ ଦେଖା ଦେଇଥିଲା। ଯେଉଁ ପର୍ଯ୍ୟନ୍ତ ସରକାର ଚିନିକଳ ଚଳାଇବା ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଏଭଳି ସଂଗ୍ରାମ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି। ୨୦୧୪ ମସିହାରୁ ଚିନିକଳ ସଂପୂର୍ଣ୍ଣ ବନ୍ଦ ରହିଥିବାବେଳେ, ଜିଲ୍ଲାର ଆଖୁଚାଷୀ ଦୁର୍ଦ୍ଦଶା ଭୋଗୁଛନ୍ତି। ନୟାଗଡ଼ରେ ଆଖୁଚାଷ ଏକରକମ ବୁଡ଼ିବାକୁ ବସିଲାଣି। ପ୍ରଶାସନ ଏହି କାରଖାନାର ପୁନରୁଦ୍ଧାର ପାଇଁ ଦୃଷ୍ଟି ଦେଉ ନଥିବାରୁ ଅସନ୍ତୋଷ ଦେଖାଦେଇଛି।

ଜିଲ୍ଲାର ଏକମାତ୍ର ଶିଳ୍ପ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଥିବାରୁ ଏହା ଚାଷୀଙ୍କ ଜୀବନଧାରଣ ମାନକୁ ଗଭୀର ଭାବେ ପ୍ରଭାବିତ କରିଛି। ଗତ ଛଅ ବର୍ଷ ହେବ ନୟାଗଡ଼ ଚିନିକଳ କାର୍ଯ୍ୟକ୍ଷମ କରାଇବାକୁ ଅନେକବାର ଆନ୍ଦୋଳନ, ବିକ୍ଷୋଭ ଏପରିକି ନିକଟ ଅତୀତରେ ନୟାଗଡ଼ରୁ ନବୀନ ନିବାସ ଅଭିମୁଖେ ଏକ ପଦଯାତ୍ରା ବାହାରି ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ପାରି ନ ଥିଲେ। ଫଳରେ ବାଧ୍ୟ ହୋଇ ଆଜି ଜିଲ୍ଲା ବନ୍ଦ କରିଥିଲେ।

ସମ୍ବନ୍ଧିତ ଖବର