ଏନ୍‌ସିବି ରିପୋର୍ଟ: ଓଡ଼ିଶାରେ ୨୦୨୧ରେ ୧୭୨ ଟନ୍‌ ଗଞ୍ଜେଇ ଜବତ

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୧ ମସିହା ଡିସେମ୍ବର ସୁଦ୍ଧା ୧୭୧ ଟନ୍‌ ୭ କୁଇଣ୍ଟାଲ ୧୩ କେଜି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଜବତ ଘଟଣାରେ ଉକ୍ତ ବର୍ଷ ଓଡ଼ିଶାର ସ୍ଥାନ ସମଗ୍ର ଦେଶରେ ଦ୍ବିତୀୟ ଥିଲା। ପ୍ରଥମ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶରେ ୨୦୦ ଟନ୍‌ ୫ କୁଇଣ୍ଟାଲ ୮୮ କେଜି ଉକ୍ତ ବର୍ଷ ଜବତ ହୋଇଛି। ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁ‌ରୋ (ଏନ୍‌ସିବି) ଦ୍ବାରା ସଦ୍ୟ ପ୍ରକାଶିତ ୨୦୨୧ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ଓଡ଼ିଶାରେ ୨୦୨୦ ତୁଳନାରେ ୨୦୨୧ରେ ଗଞ୍ଜେଇ ଜବତ ପରିମାଣ ବୃଦ୍ଧିପାଇଛି। ୨୦୨୦ରେ ଓଡ଼ିଶାରେ ୧୩୮ ଟନ୍‌ ୪ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ଜବତ ହୋଇଥିଲା। ରିପୋର୍ଟ ଅନୁସାରେ ୨୦୨୧ରେ ସାରା ଦେଶରେ ଡ୍ରଗ୍‌ ଲ ଏନଫୋର୍ସମେଣ୍ଟ ଏଜେନ୍ସି (ଡିଏଲ୍‌ଇଏ) ଦ୍ବାରା ୭୪୯ ଟନ୍‌ ୭ କୁଇଣ୍ଟାଲ ୬୧ କେଜି ଗଞ୍ଜେଇ ଜବତ କରାଯାଇଥିଲା। ୨୦୨୦ରେ ଏହି ପରିମାଣ ଥିଲା ୫୮୧ ଟନ୍‌ ୬ କୁଇଣ୍ଟାଲ୍‌ ୪୪ କେଜି। ୨୦୨୦ ତୁଳନାରେ ୨୦୨୧ରେ ଦେଶରେ ଗଞ୍ଜେଇ ଜବତ ପରିମାଣ ବୃଦ୍ଧିପାଇଛି।

ରିପୋର୍ଟରେ କୁହାଯାଇଛି ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର , ତ୍ରିପୁରା ଓ ତେଲେଙ୍ଗାନାର ୨୭ ହଜାର ୫୧୦ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ଚିହ୍ନଟ ହୋଇଥିଲା। ଯାହାକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିକ ସଂସ୍ଥା ଦ୍ବାରା ନଷ୍ଟ କରାଯାଇଥିଲା। ୨୦୨୦ ରେ ଏହି ଜମି ପରିମାଣ ଥିଲା ୨୧ ହଜାର ୫୫୯ ଏକର। ଓଡ଼ିଶା ସମେତ ଆସାମ, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ, ନାଗାଲାଣ୍ଡ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଗଞ୍ଜେଇ ପ୍ରେରଣ ମାର୍ଗ ରହିଛି। ଏହା ଉତ୍ତର-ପୂର୍ବ ରାଜ୍ୟମାନଙ୍କରୁ ପୂର୍ବ ଭାରତ ରାଜ୍ୟମ‌ାନଙ୍କୁ ସ୍ଥଳ ପଥରେ ଆସୁଛି।

ଗଞ୍ଜେଇ ବାଦ୍‌ ୨୦୨୧ରେ ଓଡ଼ିଶାରେ ୪୯.୬୩ କେଜି ହେରୋଇନ ଜବତ ହୋଇଥିଲା। ୨୦୨୦ରେ ଏହି ପରିମାଣ ଥିଲା ୩୪.୨୩ କେଜି। ୨୦୨୦ ତୁଳନାରେ ୨୦୨୧ରେ ରାଜ୍ୟରେ ହେରୋଇନ ଜବତ ପରିମାଣରେ ମଧ୍ୟ ବୃଦ୍ଧି ଘଟିଥିଲା। ରାଜ୍ୟରେ ୨୦୨୧ରେ ୩୦.୦୧ କେଜି ଅଫିମ୍ ଜବତ ହୋଇଥିବା ବେଳେ ୨୦୨୦ରେ ଏହା ଥିଲା ୦.୯୫ କେଜି। ୨୦୨୧ ଅଗଷ୍ଟ ୧୩ରେ ଏନ୍‌ସିବି ଭୁବନେଶ୍ବର ସବ୍‌ଜୋନ ୨୦ କେଜି ଅଫିମ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା। ୨୦୨୦ ତୁଳନାରେ ୨୦୨୧ରେ ରାଜ୍ୟରେ ଡ୍ରଗ୍‌ସ ସମ୍ବନ୍ଧୀୟ ମାମଲା ଓ ଗିରଫଦାରୀ ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୨୧ରେ ୧୭୦୦ଟି ଡ୍ରଗ୍‌ସ ଜଡ଼ିତ ମାମଲାରେ ୨୬୮୩ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୨୦ରେ ୧୨୪୬ ଡ୍ରଗ୍‌ସ ଜଡ଼ିତ ମାମଲାରେ ୨୦୭୮ ଜଣ ଗିରଫ ହୋଇଥିଲେ। ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ଓଡ଼ିଶାରେ ଡ୍ରଗ୍‌ସ ସମସ୍ୟାର ନିରାକରଣ ୧ କୋଟି ୨୧ ଲକ୍ଷ ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର