ମାଟ୍ରିକ୍ ମୂଲ୍ୟାୟନର ନୂଆ ଫର୍ମୁଲା

ନବମର ଦୁଇଟି, ଦଶମର ଶେଷ ତିନିଟି ପ୍ରାକ୍ଟିସ୍ ଟେଷ୍ଟ ନମ୍ବର ହିସାବକୁ ନିଆଯିବ
ନବମର ସର୍ବୋଚ୍ଚ ନମ୍ବରର ୪୦%, ଦଶମର ସର୍ବୋଚ୍ଚ ନମ୍ବରର ୬୦% ୱେଟେଜ୍
ଜୁନ୍ ୩୦ ସୁଦ୍ଧା ପରୀକ୍ଷାଫଳ

କଟକ : କୋଭିଡ୍ ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ମୂଲ୍ୟାୟନ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ମାଟ୍ରିକ୍ (ରେଗୁଲାର) ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ, ବାର୍ଷିକ, ଦଶମ ଶ୍ରେଣୀର ଦ୍ବିତୀୟ, ତୃତୀୟ, ଚତୁର୍ଥ ପ୍ରାକ୍ଟିସ୍ ‌ପରୀକ୍ଷାର ନମ୍ବର ବିଚାର କରି ମୂଲ୍ୟାୟନ କରାଯିବ। ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ନବମ ପରୀକ୍ଷାର ପ୍ରତି ବିଷୟରେ ରଖିଥିବା ଦୁଇଟି ସର୍ବାଧିକ ନମ୍ବର ଓ ଦଶମ ଶ୍ରେଣୀର ଶେଷ ୩ଟି ପ୍ରାକ୍ଟିସ୍ ପରୀକ୍ଷାରୁ ପ୍ରତି ବିଷୟର ଦୁଇଟି ସର୍ବାଧିକ ନମ୍ବରକୁ ୩୦ ପ୍ରତିଶତ ୱେଟେଜ୍ ଦେଇ ହିସାବ କରାଯିବ।

ଯେଉଁ ଛାତ୍ରଛାତ୍ରୀ ଗୋଟିଏ ପ୍ରାକ୍ଟିସ୍ ଟେଷ୍ଟ୍ ଦେଇଥିବେ ସେମାନଙ୍କର ୯ମର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷାର ନମ୍ବରକୁ ୭୦ ପ୍ରତିଶତ ୱେଟେଜ୍ ଦେଇ ବିଚାରକୁ ନିଆଯିବ। ଉଭୟ ନବମ ଓ ଦଶମର ସମସ୍ତ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନବମ ପରୀକ୍ଷାରୁ ୪୦ ପ୍ରତିଶତ ଓ ଦଶମ ପ୍ରାକ୍ଟିସ୍ ପରୀକ୍ଷାର ୬୦ ପ୍ରତିଶତ ନମ୍ବରକୁ ବିଚାର କରି ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯିବ। ଯେଉଁ ଛାତ୍ରଛାତ୍ରୀ ଦଶମ ପ୍ରାକ୍ଟିସ୍ ପରୀକ୍ଷା ଆଦୌ ଦେଇନାହାନ୍ତି, ସେମାନଙ୍କ କ୍ଷେତ୍ରରେ ନବମ ଶ୍ରେଣୀର ଦୁଇଟି ପରୀକ୍ଷାକୁ ଶହେ ପ୍ରତିଶତ ଗୁରୁତ୍ବ ଦେଇ ମୂଲ୍ୟାୟନ କରାଯିବ। ଏଥିସହିତ ସଂପୃକ୍ତ ବିଦ୍ୟାଳୟର ୨୦୧୭ ରୁ ୨୦୨୦ ମସିହା ପର୍ଯ୍ୟନ୍ତ ୪ବର୍ଷର ମାଟ୍ରିକ୍ ପରୀକ୍ଷା ଫଳାଫଳକୁ ବିଶ୍ଲେଷଣ କରାଯାଇ ଛାତ୍ରଛାତ୍ରୀଙ୍କୁ ନମ୍ବର ମିଳିବ ଓ ଫଳ ପ୍ରକାଶନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ହୋଇଛି। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷାଫଳରେ ଅସନ୍ତୋଷ ବ୍ୟକ୍ତ କରିବେ, ପରବର୍ତ୍ତୀ ସମୟରେ ସେମାନେ ଅଫ୍‌ଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ଦେଇପାରିବେ ବୋଲି କୁ‌ହାଯାଇଛି। ବୋର୍ଡ ପକ୍ଷରୁ ଚୟନ କରାଯାଇଥିବା ୨୭୬୬ଟି ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମାର୍କ ଅପ୍‌ଲୋଡ କରିବେ। ଏଥିରେ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀମାନେ ସେମାନଙ୍କ ଆବଶ୍ୟକ ସାହାଯ୍ୟ, ସହଯୋଗ କରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଏକ୍ସରେଗୁଲାର (ଉଭୟ ମାଟ୍ରିକ୍ ଓ ପତ୍ରବିନିମୟ) ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୂର୍ବ ପରୀକ୍ଷାର ନମ୍ବରରୁ ଏକ ଡାଟା ବେସ୍ ପ୍ରସ୍ତୁତ କରାଯାଇ ସେମାନଙ୍କ ହାରାହାରି ନମ୍ବର ମିଳିବ। ଯେଉଁ ପ୍ରାର୍ଥୀମାନେ ଆଦୌ ନମ୍ବର ରଖି ନଥିବେ, ସେମାନଙ୍କ‌ କ୍ଷେତ୍ରରେ ପରିସ୍ଥିତି ସୁଧୁରିଲେ ଅଫ୍‌ଲାଇନ୍ ପରୀକ୍ଷା କରାଯିବ। ସେହିପରି ପତ୍ରବିନିମୟ ରେଗୁଲାର ଓ ରାଜ୍ୟ ମୁକ୍ତବିଦ୍ୟାଳୟ ରେଗୁଲାର ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ। ରାଜ୍ୟ ମୁକ୍ତବିଦ୍ୟାଳୟ ପୁରୁଣା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୂର୍ବ ପରୀକ୍ଷାରେ ରଖିଥିବା ନମ୍ବର ହାରାହାରି ନମ୍ବର ବାହାର କରି ମୂଲ୍ୟାୟନ କରାଯିବ। ମଧ୍ୟମା ଛାତ୍ରଛାତ୍ରୀ(ରେଗୁଲାର)ଙ୍କ କ୍ଷେତ୍ରରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଭଳି ନବମ ଓ ‌ଦଶମ ଶ୍ରେଣୀ ପରୀକ୍ଷାକୁ ବିଚାରକୁ ନିଆଯାଇ ମୂଲ୍ୟାୟନ କରାଯିବ। କିନ୍ତୁ ମଧ୍ୟମା ‌ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୂର୍ବରୁ ଦେଇଥିବା ନମ୍ବରକୁ ବିବେଚନା କରାଯିବ। ମେ ମାସ ୩୧ତାରିଖ ମଧ୍ୟରେ ସମସ୍ତ ମାର୍କ ଅପଲୋଡିଂ କାର୍ଯ୍ୟ ଶେଷ ହେବ। ପରେ ଫଳ ପ୍ରକାଶନର ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ ୩୦ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବ ‌ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ୱେବ୍‌ସାଇଟ୍‌ରେ ଏ ସଂପର୍କିତ ସୂଚନା ଜାରି କରାଯାଇଥିବାବେଳେ ସାଧାରଣ ଭାବେ ମନରେ ଆସୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଖୁବ୍‌ଶୀଘ୍ର ୱେବ୍‌ସାଇଟରେ ଉପଲବ୍ଧ ହେବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। କିନ୍ତୁ ଏ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା କିଭଳି ଠିକ୍ ଢଙ୍ଗରେ ନିର୍ଦ୍ଧାରଣ ହୋଇପାରିବ, ଛାତ୍ରଛାତ୍ରୀମାନେ କିଭଳି ନ୍ୟାୟ ପାଇବେ, ତାହା ହୁଏତ ଆଗାମୀ ଦିନରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର