ଟିକାକରଣ କେନ୍ଦ୍ରରେ ପାତରଅନ୍ତର ଅଭିଯୋଗ, ଲାଇନ୍‌ରେ ମିଳୁନି, ଗଳାବାଟରେ ଯାହାକୁ ଯେତେ

ଚନ୍ଦ୍ରଶେଖରପୁର : ଟିକାକରଣ ବ୍ୟବସ୍ଥାରେ ଦେଖାଯାଉଥିବା ଅବ୍ୟବସ୍ଥା ଓ ପାତରଅନ୍ତର ନୀତିକୁ ନେଇ ଆଜି ମଧ୍ୟାହ୍ନରେ ପଟିଆ ଶିଖରଚଣ୍ଡୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଧରି ଲାଇନ୍‌ରେ ଠିଆ ହୋଇ ବି ଲୋକେ ଟିକା ପାଉ ନଥିବା ବେଳେ ଗଳା ବାଟରେ ବହୁ ଲୋକ ଟିକା ନେଇଥିଲେ। ଉତ୍ତେଜନା ସୃଷ୍ଟି ହେବାରୁ ଶେଷରେ ଟିକାକରଣ ବନ୍ଦ କରି କର୍ମଚାରୀମାନେ ଚାଲି ଯାଇଥିଲେ। ଫଳରେ ଲାଇନ୍‌ରେ ଠିଆ ହୋଇଥିବା ଲୋକମାନେ ହତାଶ ହୋଇ ଫେରିଥିଲେ।

ଗତକାଲିଠାରୁ ଏଠାରେ ‌ଅନ୍‌ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିଥିବା ଲୋକଙ୍କୁ ଟିକା ଦିଆଯିବ ବୋଲି କୁହାଯାଇଥିଲା। ତେଣୁ ପଞ୍ଜୀକରଣ କରିଥିବା ଲୋକେ ଲାଇନ୍‌ରେ ଠିଆ ହୋଇଥିଲେ। କିନ୍ତୁ ଦେଖାଗଲା ଯେ କିଛି ଲୋକ ବିନା ଲାଇନ୍‌ରେ ବି ଯାଇ ଟିକା ନେଉଛନ୍ତି। ପରେ ଜଣାଗଲା ଯେ ସ୍ଥାନୀୟ ଲୋକପ୍ରତିନିଧିମାନେ ଗଳା ବାଟ ଦେଇ ଧାଡ଼ିରେ ନଥିବା ଲୋକଙ୍କୁ ନେଇ ଟିକା ଦିଆଉଛନ୍ତି। ଏହାକୁ ନେଇ ଧାଡ଼ିରେ ଥିବା ଲୋକେ ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ଖବର ପାଇ ଜୋନ୍‌ ଦାୟିତ୍ବରେ ଥିବା ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ। କିନ୍ତୁ ଅଧିକାରୀଜଣକ ଚାଲିଯିବା ପରେ ପୁଣି ପୂର୍ବ ଧାରା ଚାଲିଥିଲା। ପୁଣି ଲୋକେ ପ୍ରତିବାଦ କରିବାରୁ ଟିକା ସରିଗଲା କହି କେନ୍ଦ୍ରରେ ତାଲା ପକାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର