ନୂଆ ରୂପ ପାଇବ ବିମାନବନ୍ଦର, ଖର୍ଚ୍ଚ ହେବ ୧୦୨୩କୋଟି

୧୦ବର୍ଷକୁ ନଜରରେ ରଖି ଭିତ୍ତିଭୂମି ବିକାଶ ହେବ, ଟି-୩ ଟର୍ମିନାଲ ପାଇଁ ଖର୍ଚ୍ଚ ହେବ ୭୫୦କୋଟି, ଟି-୧ ଓ ଟି-୨କୁ ସଂଯୋଗ କରିବାକୁ ୭୦କୋଟି

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଖୁବ୍‌ ଶୀଘ୍ର ନବକଳେବର ହେବ। ଏହାକୁ ଅତ୍ୟାଧୁନିକ ଏବଂ ଦେଶର ଶ୍ରେଷ୍ଠ ବିମାନବନ୍ଦର ମଧ୍ୟରେ ସାମିଲ୍‌ କରାଯିବ। ଏଥିପାଇଁ ୧୦ବର୍ଷିଆ ଯୋଜନା ପ୍ରସ୍ତୁତ ହୋଇଛି। ବିମାନବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ଆସନ୍ତା କିଛି ବର୍ଷ ମଧ୍ୟରେ ୧୦୨୩କୋଟି ଖର୍ଚ୍ଚ କରିବାକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି। ଏବେ ବିମାନବନ୍ଦରର ଟି-୧ ଏବଂ ଟି-୨ ଟର୍ମିନାଲରେ ବାର୍ଷିକ ୨.୫ ମିଲିଅନ ଯାତ୍ରୀ ଯାତାୟତ କରିବା ଭଳି ବ୍ୟବସ୍ଥା ଥିବାବେଳେ ଗତ ବର୍ଷକ ମଧ୍ୟରେ ଯାତ୍ରୀ ଯାତାୟତ ୩୬% ବୃଦ୍ଧି ପାଇଛି। ଯାତ୍ରୀ ଯାତାୟତ ବୃଦ୍ଧିରେ ଭୁବନେଶ୍ୱର ଦେଶର ୫ଟି ପ୍ରମୁଖ ବିମାନବନ୍ଦର ମଧ୍ୟରେ ଥିବାରୁ ଭବିଷ୍ୟତକୁ ନଜରରେ ରଖି ଆଉ ଗୋଟିଏ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଟି-୧ ଟର୍ମିନାଲ ନିକଟରେ ଟି-୩ ଟର୍ମିନାଲ ନିର୍ମାଣ ହେବ। ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ ଟର୍ମିନାଲ ଭାବେ ଏହାକୁ ନିର୍ମାଣ କରାଯିବ। ଏଥିପାଇଁ ୭୫୦କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଡିପଆର୍‌ ପ୍ରସ୍ତୁତ ହୋଇ ସାରିଥିବାବେଳେ ଏହାକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ପଠାଯିବ। କେନ୍ଦ୍ର କ୍ୟାବିନେଟ୍‌ ଏଥିରେ ଚୂଡ଼ାନ୍ତ ମୋହର ମାରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଟି-୩ ଟର୍ମିନାଲ ଟି-୧ ଟର୍ମିନାଲ ଠାରୁ ବଡ଼ ହେବ। ଏହା ୫୮୦୦୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ। ଏହି ଟର୍ମିନାଲର ବାର୍ଷିକ ଯାତ୍ରୀ ଯାତାୟତ କ୍ଷମତା ୬ମିଲିଅନ ରହିବ। ଏହି ଟର୍ମିନାଲର ବିଶେଷତ୍ୱ ହେବ ଘଣ୍ଟାକରେ ଏକସଙ୍ଗେ ୨୯୦୦ ଯାତ୍ରୀ ଯାତାୟତ କରିପାରିବେ। ଏହାସହ ୯ଟି ଏ-୩୨୦ ଏୟାରବସ୍‌ ବିମାନ ପାର୍କିଂ କରିବା ଭଳି ବ୍ୟବସ୍ଥା ରହିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଅଗ୍ନିଶମ କେନ୍ଦ୍ର ବି ନିର୍ମାଣ ହେବ। ଟି-୩ ଟର୍ମିନାଲ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ଏହାର ନିର୍ମାଣ ୨ବର୍ଷରେ ସରିବ। ଏହାପୂର୍ବରୁ ଏହି ଟର୍ମିନାଲ ପାଇଁ ସମସ୍ତ ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟ ଶେଷ କରାଯିବ। ଯାହାଦ୍ୱାରା ଟର୍ମିନାଲ ନିର୍ମାଣ ଶେଷ ହେବା କ୍ଷଣି ଏହାକୁ କାର୍ଯ୍ୟକ୍ଷମ କରିହେବ। ଏହା କେବଳ ଘରୋଇ ବିମାନ ଯାତାୟତ ପାଇଁ ରହିବ।

ଟି-୩ ଟର୍ମିନାଲ ଘରୋଇ ବିମାନ ଓ ଯାତ୍ରୀଙ୍କ ପାଇଁ ବ୍ୟବହାର ହେଲେ ଟି-୧ ଓ ଟି-୨ ଟର୍ମିନାଲ ଅନ୍ତର୍ଜାତୀୟ ବିମାନ/ଯାତ୍ରୀଙ୍କ ପାଇଁ ବ୍ୟବହାର ହେବ। ଟି-୨ ଟର୍ମିନାଲର ଆଧୁନିକୀକରଣ କରିବା ସହ ଟି-୧ ଓ ଟି-୨ ଟର୍ମିନାଲକୁ ସଂଯୋଗ କରାଯିବ। ଏଥିପାଇଁ ପ୍ରାୟ ୭୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। ଦେଶର ଅନ୍ୟ ଅନ୍ତର୍ଜାତୀୟ ଟର୍ମିନାଲରେ ମିଳୁଥିବା ସୁବିଧା ସୁଯୋଗ ଭଳି ଏଠାରେ ସବୁ ପ୍ରକାରର ସେବା ଉପଲବ୍ଧ ହେବ। ଏରୋବ୍ରିଜ୍‌ରେ ବିମାନକୁ ଯାତାୟତ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ସପିଂ, ଖାଦ୍ୟପାନୀୟ, ଚେକିଂ ବ୍ୟବସ୍ଥା, ଏସ୍‌କାଲେଟର୍‌, ଲିଫ୍ଟ ଏବଂ ଆତିଥେୟତା ଉପଲବ୍ଧ ହେବ। ଦୁଇଟି ଯାକ ଟର୍ମିନାଲ ମଧ୍ୟରେ ପ୍ରାୟ ୨୦୦ମିଟର ଜାଗା ଥିବାବେଳେ ଏଠାରେ ଏକ ଦୁଇ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ ହେବ। ଯାହା ଦୁଇଟି ଯାକ ଟର୍ମିନାଲକୁ ସଂଯୋଗ କରିବ। ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ୨୦୧୭-୨୮ସୁଦ୍ଧା ଯାତ୍ରୀ ଯାତାୟତକୁ ନଜରରେ ରଖି ଏହାର ଭିତ୍ତିଭୂମି ବିକାଶ କରାଯିବ। ଏଥିପାଇଁ ପ୍ରାୟ ୧୦୨୩କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଟି-୩ ଟର୍ମିନାଲ ପାଇଁ ୭୫୦କୋଟି, ଟି-୧ ଓ ଟି-୨ ଟର୍ମିନାଲ ସଂଯୋଗୀକରଣ ପାଇଁ ୭୦କୋଟି, ପାରାଲାଲ୍‌ ଟ୍ୟାକ୍ସି ଟ୍ରାକ୍‌ ଏବଂ ରାପିଡ୍‌ ଏକଜିଟ୍‌ ଟ୍ୟାକ୍ସି େଓ୍ଵ ଓ ଟି-୩ରେ ୯ଟି ଏ-୩୨୦ ବିମାନ ପାର୍କିଂ ପାଇଁ ୧୩୮କୋଟି, ନିଉ ଟେକନିକାଲ୍‌ ବ୍ଲକ୍‌ ଏବଂ କଣ୍ଟ୍ରୋଲ ଟାଓ୍ଵାର ପାଇଁ ୩୨.୫୪କୋଟି, ଅଗ୍ନିଶମ କେନ୍ଦ୍ର ଏବଂ ଇଞ୍ଜିନିୟରିଂ ଓ ମରାମତି ଓ୍ଵାର୍କସପ୍‌ ପାଇଁ ୩୨କୋଟି ଖର୍ଚ୍ଚ ହେବ। ଏବେ କଣ୍ଟ୍ରୋଲ ଟାଓ୍ଵାର ଓ ଅଗ୍ନିଶମ କେନ୍ଦ୍ର କାର୍ଯ୍ୟ ଆରମ୍ଭ ହୋଇଛି ବାକି କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି।

ସମ୍ବନ୍ଧିତ ଖବର