ସଂଶୋଧିତ ମୋଟର ଯାନ ଆଇନ : ମାର୍ଚ୍ଚ ପହିଲାରୁ କଟକଣା କଡ଼ାକଡ଼ି

ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ପୁଣି ଥରେ କଡ଼ାକଡ଼ି ହେବାକୁ ଯାଉଛି ସଂଶୋଧିତ ମୋଟର ଯାନ ଆଇନ। କେବଳ ରଙ୍ଗ୍‌ରୁଟ୍‌, ବିନା ହେଲ୍‌ମେଟ୍‌, ବିନା ସିଟ୍‌ ବେଲ୍ଟ ଡ୍ରାଇଭିଂ ନୁହେଁ ବରଂ ସମସ୍ତ କାଗଜପତ୍ରର ହେବ କଡ଼ାକଡ଼ି ଯାଞ୍ଚ। କାଗଜପତ୍ର ନଥିଲେ ଆଉ ନିସ୍ତାର ନାହିଁ। ସଂଶୋଧିତ ମୋଟର ଯାନ ଆଇନ ବଳରେ କଷାହେବ ମୋଟା ଅଙ୍କର ଜରିମାନା। ଏଭଳି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ସୂଚନା ମୁତାବକ, ସେପ୍ଟେମ୍ବର ୧ ତାରିଖରୁ ଏହି ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପାଇଁ ଘୋଷଣା ହୋଇଥିଲା‌। କିନ୍ତୁ ଧରପଗଡ଼ ହେବା ବେ‌ଳେ ଅଧିକାଂଶ ଚାଳକଙ୍କର କାଗଜପତ୍ର ନଥିବା ଦେଖାଯାଇଥିଲା। ଏଣୁ କାଗଜପତ୍ର ପ୍ରସ୍ତୁତ କରିବାକୁ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ହେଲେ ଏହି ଅବଧି ଭିତରେ କାଗଜପତ୍ର ପାଇଁ ଏତେ ମାତ୍ରାରେ ଆବେଦନ ହେଲା ଯେ, ସରକାର ଫେବୃଆରି ପର୍ଯ୍ୟନ୍ତ ସମୟ ଦେବାକୁ ବାଧ୍ୟ ହୋଇଥିଲେ। ଆର୍‌ଟିଓ ଭିନ୍ନ ଅସ୍ଥାୟୀ ଶିବିର ଖୋଲି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେଇଥିଲେ। ଏହି ସୁଯୋଗ ଯଥେଷ୍ଟ ଥିବାରୁ ଆଉ ସୁଯୋଗ ନ ଦେବା ପାଇଁ ସରକାର ସ୍ଥିର କରିଛନ୍ତି।

ପୂର୍ବରୁ ଯାଞ୍ଚ ଚାଲିଥିଲେ ମଧ୍ୟ କାଗଜପତ୍ର ଉପରେ ଗୁରୁତ୍ବ ଦିଆଯାଇ ନ ଥିଲା। ବିନା ହେଲ୍‌ମେଟ୍‌, ବିନା ସିଟ୍‌ ବେଲ୍ଟ, ରଙ୍ଗ୍‌ରୁଟ୍‌ ଚାଳନା, ବାଇକ୍‌ରେ ତିନିଜଣ ବସିବା, ଦ୍ରୁତ ଚାଳନା ଉପରେ ଉଭୟ ଆରଟିଓ ଓ ପୁଲିସ ଚଢ଼ଉ କରୁଥିଲେ। କିନ୍ତୁ ଏବେ ଏହି ସବୁ ଅମାନ୍ୟ ସହ ସମସ୍ତ କାଗଜପତ୍ର ଅର୍ଥାତ୍‌ ବୈଧ ଲାଇସେନ୍ସ, ବୀମା, ବୈଧ ରେଜିଷ୍ଟ୍ରେସନ, ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ନଥିଲେ ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି ହେବ ବୋଲି ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର