ପେଟ୍ରୋଲ୍‌ ଦର ବୃଦ୍ଧି ନେଇ ଧର୍ମେନ୍ଦ୍ରଙ୍କୁ ନିରଞ୍ଜନଙ୍କ କଟାକ୍ଷ : ଭୁବନେଶ୍ୱରରେ ଗୋଟିଏ କଥା, ଦିଲ୍ଲୀରେ ଓଲଟା

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରିଛନ୍ତି। ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧି ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ଗୋଟିଏ କଥା କହୁଥିବା ବେଳେ ଦିଲ୍ଲୀରେ ବିପରୀତ ବୟାନ ଦେଇଥାନ୍ତି। ଆସନ୍ତା ୧୦ ତାରିଖରେ କଂଗ୍ରେସ ଦଳ ଡାକରାରେ ଭାରତ ବନ୍ଦ କରାଯାଉଥିବାରୁ ପିସିସି ସଭାପତିଙ୍କ ଏଭଳି ମନ୍ତବ୍ୟକୁ ତାତ୍ପର୍ଯ୍ୟପୂର୍ଣ୍ଣ ମନେ କରାଯାଉଛି।

ଆଜି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଟ୍ଵିଟ୍‌ ଯୋଗେ କହିଛନ୍ତି, ଭୁବନେଶ୍ୱରରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଥିବା ବେଳେ ପେଟ୍ରୋଲ୍‌, ଡିଜେଲ୍‌ ଦର ହ୍ରାସ ପାଇଁ ଏହା ଜିଏସ୍‌ଟି ଅଧୀନକୁ ଆସୁ ବୋଲି କହିଥାନ୍ତି। କିନ୍ତୁ ଦିଲ୍ଲୀରେ ସେ ତାଙ୍କ ବିବୃତି ବଦଳାଇ କୁହନ୍ତି ଯେ ଏହା ସମ୍ଭବ ନୁହେଁ। ସାଧାରଣ ଲୋକଙ୍କ ସ୍ୱାର୍ଥ ସହିତ ଶ୍ରୀ ପ୍ରଧାନ ଡ. ଜେକିଲ୍‌ ଓ ମି. ହାଇଡ୍‌ ଖେଳ ଖେଳିବା ବନ୍ଦ କରିବାକୁ ପିସିସି ସଭାପତି ତାଙ୍କୁ ପରାମର୍ଶ ଦେଇଛନ୍ତିି। ସୂଚନାଯୋଗ୍ୟ, ଡ. ଜେକିଲ୍‌ ଓ ମି. ହାଇଡ୍‌ ଏକ ଭିଡିଓ ଖେଳ ଯେଉଁଥିରେ କ୍ଷତି ଏଡ଼ାଇବା ହେଉ ବା କ୍ଷତି ସଂଘଟିତ କରିବା ଉଦ୍ଦେଶ୍ୟରେ ଉଭୟ ଚରିତ୍ର ବଦଳୁଥାଏ।

ଏହି ଟ୍ଵିଟ୍‌ ସହିତ ଶ୍ରୀ ପଟ୍ଟନାୟକ ୨ଟି ବ୍ୟଙ୍ଗ ଚିତ୍ର ଯୋଡ଼ିଛନ୍ତି। ଗୋଟିଏ ଚିତ୍ରରେ ରାଜନେତା ଭାବେ ଶ୍ରୀ ପ୍ରଧାନ ଧର୍ମେନ୍ଦ୍ରଜୀଙ୍କୁ ଫୋନ କରୁଛନ୍ତି ଯେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ନିଶ୍ଚିତ ରୂପେ ଜିଏସ୍‌ଟି ପରିସରଭୁକ୍ତ ହେବା ଉଚିତ। ଅନ୍ୟ ଚିତ୍ରରେ କେନ୍ଦ୍ରମନ୍ତ୍ରୀ ଭାବେ ସେ ଉତ୍ତର ଦେଉଛନ୍ତି, ‘ଦୁଃଖିତ! ଏହା ସମ୍ଭବ ନୁହେଁ।’ ଏହି ଟ୍ଵିଟ୍‌ ନେଇ ବିଜେପି ତଥା କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ପ୍ରତିକ୍ରିୟାର ସୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧିତ ଖବର