କେନ୍ଦୁଝର: ଏକାଠି ହୋଇପାରିବେନି ୫ରୁ ଅଧିକ ବ୍ୟକ୍ତି

ଶେଷ ପର୍ଯ୍ୟାୟରେ ଅକ୍ସି ଜେନେରେଟର ସ୍ଥାପନା କାମ
ପୌରପାଳିକାରେ ୧୬ଟି ମାଇକ୍ରୋ କଣ୍ଟେନମେଣ୍ଟ

କେନ୍ଦୁଝର : ଦିନକୁଦିନ କେନ୍ଦୁଝର ଜିଳ୍ଲାରେ କରୋନା ପରିସ୍ଥିତି ଉଦବେଗଜନକ ଭାବେ ବଢି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ନେଉଛି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ କରୋନା ସଂପର୍କିତ କଟକଣାକୁ ବୃଦ୍ଧି କରାଯାଇଛି। କୌଣସି ସ୍ଥାନରେ ୫ରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ପୌରାଞ୍ଚଳରେ ୧୬ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି। ଅନ୍ୟପଟେ ଜିଲ୍ଲାରେ ଭିତ୍ତିଭୂମିକୁ ଗୁରୁତ୍ବ ଦିଆଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଥିଲେ ଯେ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟରଗୁଡିକର ଭିତ୍ତିଭୂମିର ବିକାଶ କରାଯାଉଛି। ରାଙ୍କିସ୍ଥିତ କୋଭିଡ୍‌ ହସ୍ପିଟାଲରେ ଆଇସିୟୁ ଭେଣ୍ଟିଲେଟର ବେଡ ସଂଖ୍ୟା ବୃଦ୍ଧି ହୋଇଛି । ଆଗରୁ ସେଠାରେ ୨୬ ଟି ଆସିୟୁ ବେଡ ଥିଲା ବେଳେ ଏବେ ୪୫ ଏବଂ ୧୩୦ ଅକ୍ସିଜେନ ବେଡ କରାଯାଇଛି। କେନ୍ଦୁଝରରେ ୭୫୦ ସିସିସି ସେଣ୍ଟର ବେଡ ପାଇଁ କାମ ଚାଲିଛି ଓ ଯୋଡ଼ା, ବଡବିଲ, ଚମ୍ପୁଆ, ଆନନ୍ଦପୁରରେ ମୋଟ ୩୯୦ ବେଡ଼ର ବ୍ୟବସ୍ଥା ହୋଉଥିବାବେଳେ ସେଥିରୁ ୧୨୦ ଅକ୍ସିଜେନ ବେଡ଼ ରହିବ ବୋଲି ଜିଲ୍ଲାପାଳ କହିଥିଲେ।

କରୋନା ୨ୟ ଲହରରେ ଅକ୍ସିଜେନ ଅଧିକା ଅବଶ୍ୟକତା ପଡୁଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ ଏବେ ୧୦୫ ଟି ଜୁମ୍ବୋ ଗ୍ୟାସ ସିଲିଣ୍ଡରରୁ ୬୦ ଟି ବ୍ୟବହାର ହେଉଥିବାବେଳେ ୪୫ ଟି ମହଜୁଦ ରଖାଯାଇଛି । ସେହିପରି ସେଠାରେ ୧୩୯ ଟାଇପ ବି ଅକ୍ସିଜେନ ସିଲିଣ୍ଡର ରଖାଯାଇଛି । ସେଥିମଧ୍ୟରୁ ୫୯ ଟି ବ୍ୟବହାର ହେଉଛି ଓ ୮୦ ଟି ମହଜୁଦ ରହିଛି। ଏଥିସହ ରାଙ୍କି କୋଭିଡ୍ ହସ୍ପିଟାଲ ନିମନ୍ତେ ଏକ ଅକ୍ସି ଜେନେରେଟର ସ୍ଥାପନା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସ୍ଥାପନ ହେଲେ କୋଭିଡ ଡାକ୍ତରଖାନାର ଆବଶ୍ୟକତା ଅନୁସାରେ ଅକ୍ସିଜେନ ଯୋଗାଣ ହୋଇପାରିବ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଯଥେଷ୍ଟ ପରିମାଣର ଅକ୍ସିଜେନ ମହଜୁଦ ରଖାଯାଇଥିବା ସେ କହିଥିଲେ। ଅନ୍ୟପଟେ କେନ୍ଦୁଝର ପୌରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କାରଣରୁ ପୌରାଞ୍ଚଳ ଏବଂ ନିକଟସ୍ଥ ପଞ୍ଚାୟତ ଗୁଡିକରେ ୫ ଜଣରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି।

କେନ୍ଦୁଝର ପୌରାଞ୍ଚଳରେ ୧୬ଟି ମାଇକ୍ରୋ କଣ୍ଟେନମେଣ୍ଟ, ୮ଟି ରାପିଡ ରେସପନ୍ସ ଟିମ୍ ସହିତ ଅଙ୍ଗନଓାଡି କର୍ମୀ, ଆଶା କର୍ମୀ ଓ ଏଏନଏମ କାମ କରୁଛନ୍ତି ଓ ୨୧ଟି ଓାର୍ଡ କମିଟି ଗଠନ କରାଯାଇଛି। ଏଥିସହିତ ଖୁବ ଶୀଘ୍ର କେନ୍ଦୁଝର ପୌରାଞ୍ଚଳର ୧୬ ଶହ ପରିବାରରେ ଘରକୁ ଘର ବୁଲି ସର୍ଭେ କରାଯିବ ବୋଲି ସୂଚନା ଦେଇଥିଲେ। ସାମ୍ପୁଲ ପରୀକ୍ଷା ପାଇଁ ଦେବା ପରେ ଲୋକମାନେ ହୋମ ଆଇସୋଲେସନରେ ରହିବା, ମାସ୍କ ପରିଧାନ, ସାମାଜିକ ଦୂରତା, ଗହଳି ସ୍ଥାନକୁ ନଜିବା, ହାତକୁ ନିୟମିତ ସାନିଟାଇଜ କରିବା ଓ କୋଭିଡ ନିୟମ ଅନୁପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି। ତେବେ ଅଯଥା ଭୟଭୀତ ନହେବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର