ସାଧାରଣରୁ ମଧ୍ୟମ ଧରଣର ରୋଗୀଙ୍କ ପାଇଁ ଅକ୍ସିଜେନ ସହାୟତା ଦରକାର ନାହିଁ: ବିଶେଷଜ୍ଞ ଡାକ୍ତର

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ଅଧିକ ସଂକ୍ରମଣ ହେଉଛି । ଏହା ଫୁସ୍‌ଫୁସ୍‌କୁ ମଧ୍ୟ ପ୍ରଭାବିତ କରୁଛି । ସମସ୍ତ ରୋଗୀଙ୍କ ପାଇଁ ଅକ୍ସିଜେନ୍ ସହାୟତା ଆବଶ୍ୟକ ନାହିଁ ବୋଲି ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ପ୍ରଶ୍ନ- ‘କୋଭିଡ୍ ରୋଗୀଙ୍କ ପାଇଁ ଅକ୍ସିଜେନ ସହାୟତା କେତେ ଆବଶ୍ୟକ’ର ଉତ୍ତରରେ ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ, ସାଧାରଣରୁ ମଧ୍ୟମ ଧରଣର ରୋଗୀଙ୍କ ପାଇଁ ଅକ୍ସିଜେନ ସହାୟତା ଦରକାର ନାହିଁ । ମଧ୍ୟମରୁ ଘନିଷ୍ଠ ଧରଣର ରୋଗୀଙ୍କ ପାଇଁ ଅକ୍ସିଜେନ ସହାୟତା ଦରକାର । ଅକ୍ସିଜେନ କମ ହେଲେ କଥା କହିବାର ଅସୁବିଧା ହେବ । ମୁହଁ ମାଡ଼ି ଶୋଇଲେ ଶରୀର ଭିତରକୁ ଅକ୍ସିଜେନ ସୁବିଧାରେ ଯାଇ ପାରିଥାଏ ।

ରାଜ୍ୟ ସରକାରଙ୍କ କୋଭିଡ ସଚେତନତା ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ କହିଛନ୍ତି, ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ନଥାଏ । ଅକ୍ସିଜେନ ମାତ୍ରା ୯୪ରୁ ତଳକୁ ଖସିଲେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । କିନ୍ତୁ ବ୍ୟାୟାମ ମାଧ୍ୟମରେ ମଧ୍ୟ ଅକ୍ସିଜେନ ମାତ୍ରା ବଢ଼ାଇ ଦିଆଯାଇପାରିବ । ପ୍ରୋନିଂ ବା ପେଟ ମାଡ଼ି ଶୋଇବା ଦ୍ୱାରା ଅକ୍ସିଜେନ ମାତ୍ରା ବଢ଼ାଇ ହେବ ।

ବିଶେଷଜ୍ଞ ଡାକ୍ତର ଶ୍ରୀ ରାଉତ କହିଛନ୍ତି ଯେ, ଅକ୍ସିଜେନ ମାପିବା ଲାଗି ଅକ୍ସିମିଟର ବି ସଠିକ ଭାବରେ ଲଗାଇବା ଜରୁରୀ । ଡାହାଣ ହାତ ମଝି ଆଙ୍ଗୁଠିରେ ଅକ୍ସିମିଟର ଲଗାଇଲେ ଭଲ । ଅକ୍ସିମିଟର ଭିତରେ ଆଙ୍ଗୁଠି ଠିକ୍ ଭାବେ ଖାପିବା ଜରୁରୀ । ଆଙ୍ଗୁଠିରେ ନେଲପଲିସ ଲାଗି ନଥିବା ଦରକାର । ସେହିଭଳି ବଙ୍କାତେଢ଼ା ମଧ୍ୟ ହୋଇ ନଥିବା ଉଚିତ । ଅନୁଲୋମ ବିଲୋମ, ଜୋରରେ ନିଶ୍ୱାସ ନେଇ ଛାଡିବା ଦ୍ୱାରା ମଧ୍ୟ ଉପକାର ମିଳିଥାଏ ।

ସମ୍ବନ୍ଧିତ ଖବର