ଆରଏମସିର ମହିଳା ସ୍ୱାବଲମୀ ଯୋଜନା ବାଟବଣା; ସହରରୁ ଉଭାନ୍‌ ପିଙ୍କ ଅଟୋ ସେବା, ଶକ୍ତିବଜାରରେ ତାଲା ଝୁଲୁଛି

ଅଧିକାରୀଙ୍କ ବଦଳି ପରେ ଯୋଜନା ଠପ୍‌

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ଅନେକ ଯୋଜନା ହେଉଛି। ଜଣେ ପରେ ଜଣେ କମିସନର ଆସୁଛନ୍ତି। ନୂଆ ନୂଆ ଯୋଜନା କରୁଛନ୍ତି। ତାଙ୍କ ବଦଳି ପରେ ଯୋଜନା ବନ୍ଦ ହୋଇଯାଉଛି। ଏଥି ମଧ୍ୟରୁ ଗୋଟିଏ ଯୋଜନା ହେଉଛି ରାଉରକେଲାର ଫିଙ୍କ ଅଟୋ ସେବା। ତତ୍କାଳୀନ କମିସନର ମୋନିଷା ବାନାର୍ଜୀଙ୍କ ସମୟରେ ସହରର ଗରିବ ଶ୍ରେଣୀ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଆରମ୍ଭ ହୋଇଥିଲା ପିଙ୍କ ଅଟୋ ସେବା। ପରବର୍ତ୍ତୀ ସମୟରେ ଯୋଜନାରେ ଆହୁରି ବ୍ୟାପକ କରାଯିବ ବୋଲି ତତ୍କାଳୀନ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଘୋଷଣା କରିଥିଲେ। ଉଭୟ ପ୍ରଶାସନିକ ଅଧିକାରୀଙ୍କ ବଦଳି ପରେ ବନ୍ଦ ହୋଇଗଲା ଯୋଜନା। ଯେତିକି ବି ଅଟୋ କିଣାଯାଇଥିଲା, ରକ୍ଷଣାବେକ୍ଷଣା ଅଭାବରୁ ସହରରୁ ଉଭା‌ନ ହୋଇଗଲା।

ସେମିତି ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ସମୟରେ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ କୋଏଲନଗର ଶକ୍ତିନଗରରେ ପ୍ରାୟ କୋଟିଏ ଟଙ୍କାରେ ବ୍ୟୟରେ ପ୍ରତିଷ୍ଠା ହେଲା ଶକ୍ତିବଜାର କିଛି ଦିନ ଠିକ୍‌ଠାକ୍‌ ଚାଲିଲା। ଏବେ ଶକ୍ତିବଜାରରେ ୪୫ରୁ ଅଧିକ ଷ୍ଟଲରେ ତାଲା ଝୁଲୁଛି। କୋଟିଏ ଟଙ୍କାର ସମ୍ପତ୍ତି ଖତ ଖାଉଥିଲେ ହେଁ ବିଭାଗୀୟ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଏହି ଦୁଇଟି ନୁହେଁ ଏମିତି ଅନେକ ଯୋଜନା ଅଧାରୁ ବନ୍ଦ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ସ୍ମାର୍ଟ ସିଟିର ଦରିଦ୍ର ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ ଗତ ୨୦୧୭ ଡିସେମ୍ବର ୨୧ରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିଲା ପିଙ୍କ୍ ଅଟୋ ସେବା। ପ୍ରଥମ ପର୍ଯ୍ୟାୟରେ ୨୧ ଜଣ ଗରିବ ମହିଳାଙ୍କୁ ସ୍ବଳ୍ପ ସୁଧ ହାରରେ ଇ-ରିକ୍ସା (ବିଦ୍ୟୁତ୍ ଅଟୋ) ପ୍ରଦାନ କରାଯାଇଥିଲା।

ଉଦିତନଗର ପ୍ୟାରେଡ଼ ପଡ଼ିରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ତତ୍କାଳୀନ ସୁନ୍ଦରଗଡ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏଡ଼ିଏମ୍ ମୋନିଷା ବାନାର୍ଜୀ ଓ ଆର୍‌ଏମ୍‌ସି ଡେପୁଟି କମିଶନର। ପାନପୋପଷ, ବାଲୁଘାଟ, ଗୋପବନ୍ଧୁପାଲୀ, ଟିମ୍ବର କଲୋନି, ଗଙ୍ଗାଧରପାଲି, ଗାନ୍ଧିରୋଡ, ନୟାବଜାର ଓ ବେଦବ୍ୟାସ ବସ୍ତିରେ ଗୀତା ମାଝି, ଫୁଲମଣି ରାଜୱାର, ସନ୍ତୋଷିନୀ ସିଂହ, ଗୌରୀ ନାୟକ, ମିନି ସିଂହ, ମୁନ୍ନି ଦେବୀ, ରୀନା ବାରିକ୍, ଲକ୍ଷ୍ମୀ ନାୟକ ଆଦି ମହିଳା ଜଣଙ୍କ ପରେ ଜଣେ ପାଇଥିଲେ ପିଙ୍କ୍ ଅଟୋର ଚାବି କାଠି। ପର୍ଯ୍ୟାୟକ୍ରମେ ୧୦୦ରୁ ଅଧିକ ଗରିବ ମହିଳା, ଯୁବତୀଙ୍କୁ ସ୍ବଳ୍ପ ହାର ସୁଧରେ ଏଭଳି ଅଟୋ ଯୋଗାଇ ଦେବାକୁ ଘୋଷଣା କରିଥିଲେ ତତ୍କାଳୀନ ଜିଲ୍ଲାପାଳ। ଏହାର କିଛି ମାସ ପରେ ଜିଲ୍ଲାପାଳଙ୍କର ବଦଳି ହୋଇଗଲା। କମିସନର ଏଡିଏମ୍ ମୋନିଷା ବାନାର୍ଜୀଙ୍କର ମଧ୍ୟ ଏଠାରୁ ବଦଳି ହୋଇ ଚାଲିଗଲେ।

ପରବର୍ତ୍ତୀ ସମୟରେ ଆର୍‌ଏମ୍‌ସି ଯୋଗଦେଇଥିବା ଅଧିକାରୀ ଯୋଜନାକୁ ସମ୍ପୂର୍ଣ୍ଣ ପାସୋରି ଗଲେ। ‘ଘୋଡା ଛଅ ଟଙ୍କାକୁ ଦାନା ନ ଟଙ୍କା’ ପରି ମହିଳାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା। ଦୈନିକ ଯେତିକି ରୋଜଗାର କଲେ, ତା’ର ୬୦ରୁ ୭୦% ଅଟୋ ମରାମତି ବାବଦରେ ଖର୍ଚ୍ଚ କରିବାକୁ ପଡିଲା। ଯାତ୍ରୀମାନଙ୍କୁ ନେଇ ଯାଉଥିବାବେଳେ ଅଟୋ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକିଗଲା। ଅନେକ ମହିଳା ଡ୍ରାଇଭରଙ୍କୁ ଯାତ୍ରୀମାନଙ୍କ ଠାରୁ ଗାଳିବି ଶୁଣିବାକୁ ମିଳିଲା। ମରାମତି ପାଇଁ ମହିଳାଙ୍କୁ ସହରର ଠାରୁ ୨୫ କି.ମି. ଦୂର ଚିକଟମାଟି ସର୍ଭିସ ସେଣ୍ଟରକୁ ବାରମ୍ବାର ଦୌଡିବା ସମ୍ଭବପର ହେଲା ନାହିଁ। ଅନ୍ୟପଟେ ଅଟୋସବୁ ଖରାପ ହୋଇ ପଡିଥିବାରୁ ମହିଳାମାନେ ଋଣ କିପରି ପରିଶୋଧ କରିବେ ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧିତ ଖବର