ଆସନ୍ତା କାଲି ନୁହେଁ ନିର୍ବାଚନ ପରେ ଉପଲବ୍ଧ ହେବ ଓଡ଼ିଆରେ ଟ୍ରେନ ଟିକେଟ

ଭୁବନେଶ୍ବର : ଆସନ୍ତା କାଲି ଅର୍ଥାତ ଏପ୍ରିଲ ପହିଲାରୁ ଓଡ଼ିଆରେ ଉପଲବ୍ଧ ହେବ ବୋଲି ରେଳବାଇ ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ଏବେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ ଶେଷ ହେବା ପରେ ଏହା ଆରମ୍ଭ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ଗତ ୮ ତାରିଖରେ ରେଳ ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଇଂରାଜି ଓ ହିନ୍ଦୀ ଭାଷାରେ ରେଳ ଟିକେଟ ଛପାଯାଉଥିବାରୁ ଅଧିକାଂଶ ଓଡ଼ିଆ ଲୋକ ଟ୍ରେନ୍ ଟିକେଟରେ ଲେଖାଥିବା ଆରୋହଣ ଓ ଗନ୍ତବ୍ୟ ସ୍ଥଳ ଜାଣିବାରେ ଅସୁବିଧା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରାଳୟ ସବୁ ଅଣସଂରକ୍ଷିତ ଟିକେଟ ଗୁଡ଼ିକ ହିନ୍ଦୀ, ଇଂରାଜି ଭାଷା ବ୍ୟତୀତ ଆଞ୍ଚଳିକ ଭାଷା ଓଡ଼ିଆରେ ଛାପିବାକୁ ନିଷ୍ପତ୍ତି ନେଇଛି। ଫଳରେ ଇଂରାଜି ଓ ହିନ୍ଦୀ ଜାଣିନଥିବା ଯାତ୍ରୀଙ୍କୁ ଆଉ ଟ୍ରେନ୍ ଟିକେଟ ବିଷୟରେ ଜାଣିବାର ଅସୁବିଧା ହେବନାହିଁ। ଏଥିପାଇଁ ପୂର୍ବତଟ ରେଳବାଇର ଉଦ୍ୟମରେ କୋଲକାତା ସ୍ଥିତ କ୍ରିସ ସହାୟତାରେ ଏକ ଡାଟାବେସ ପ୍ରସ୍ତୁତ କରାଯାଇ ୮ ହଜାର ଷ୍ଟେସନଗୁଡ଼ିକର ନାମ ଓଡ଼ିଆରେ ଛପା ସରିଛି। ଓଡ଼ିଶାରେ ଉପଲବ୍ଧ ହେବାକୁ ଥିବା ଅଣସଂରକ୍ଷିତ ଟିକେଟ ଗୁଡ଼ିକ ଓଡ଼ିଆ ଭାଷାରେ ଲେଖାହେବ। ସେହିପରି ୩୧୭ଟି ଷ୍ଟେସନର ନାମକୁ ଓଡ଼ିଆରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧିତ ଖବର