ଜିଲ୍ଲାପାଳମାନେ ଜଣାଇବେ ଅଣରିହାତି କିରାସିନିର ଆବଶ୍ୟକତା

ଭୁବନେଶ୍ୱର : ରାଜ୍ୟରେ ଅଣରିହାତି କିରାସିନିର କେତେ ଆବଶ୍ୟକତା ରହିଛି, ତାହାର ହିସାବ ସରକାରଙ୍କ ନିକଟରେ ନାହିଁ। ସମସ୍ତ ଜିଲ୍ଲାପାଳଙ୍କୁ ଏହି ଆବଶ୍ୟକତା ଜଣାଇବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ୱାରା ମାସିକ ୨୦,୭୦୪ କିଲୋଲିଟର କିରାସିନି ରାଜ୍ୟକୁ ମିଳୁଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀଙ୍କୁ ମୁଣ୍ଡପିଛା ୬୪୦ ମି.ଲି. ହିସାବରେ ବଣ୍ଟନ କରାଯାଉଛି। କଣ୍ଟ୍ରୋଲ୍‌ ମୂଲ୍ୟରେ ସବୁ ପରିବାରକୁ କିରାସିନି ଯୋଗାଣ ପାଇଁ ବର୍ତ୍ତମାନ କୌଣସି ପଦକ୍ଷେପ ସରକାରଙ୍କ ବିଚାରାଧୀନ ନାହିଁ। କିରାସିନିର ଚାହିଦା ପୂରଣ କରିବା ପାଇଁ ରାଜ୍ୟ ସରକାର ବିନା କାର୍ଡଧାରୀଙ୍କ ନିମନ୍ତେ ଅଣରିହାତି କିରାସିନି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏବେ ରାଜ୍ୟର ଚାରିଟି ଜିଲ୍ଲାର ପାଞ୍ଚଟି ସ୍ଥାନରେ ପାଇକାରୀ ବ୍ୟବସାୟୀଙ୍କ ଦ୍ୱାରା ବଜାର ମୂଲ୍ୟରେ କିରାସିନି ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର