ମ୍ୟୁନିସିପାଲିଟି ଭୁଲିଗଲା ମାଛ ପିଣ୍ଡି କଥା: ଗନ୍ଧରେ ସଭିଏଁ ଅତିଷ୍ଠ, ସହର ଭିତରେ ମାଛ ମାର୍କେଟ୍‌

‌କରୋନା ପ୍ରତିରୋଧ ପାଇଁ ସୁସ୍ଥ ପରିବେଶ ଲୋଡ଼ା

ନୟାଗଡ଼: ନୟାଗଡ଼ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସମ୍ମୁଖରେ ଥିବା ମାଛ ମାର୍କେଟ୍ ନେଇ ଦିନକୁ ଦିନ ଅଶାନ୍ତି ବୃଦ୍ଧି ପାଉଛି। ଖୋଦ୍ ଏଠାରେ ବ୍ୟବସାୟ କରୁଥିବା ବେପାରୀ ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ, ଦିଆନକ ବନ୍ଧ ନିକଟରେ ପ୍ରସ୍ତାବିତ ମାଛ ପିଣ୍ଡି କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ଏହି ମାଛ ମାର୍କେଟ୍‌ରେ ମାଛ କାତିଠା‌ରୁ ଆରମ୍ଭ କରି ମାଛ, ମାଂସର ଅନାବଶ୍ୟକ ଅଂଶ ଗଦା କରି ରଖାଯାଉଛି। ଫଳରେ ସହର ମଧ୍ୟରେ ଥିବା ଏହି ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଯାହାକୁ ନେଇ ପଥଚାରୀଙ୍କଠାରୁ ଆରମ୍ଭ କରି ସ୍ଥା‌ନୀୟ ବାସିନ୍ଦା, ଅନ୍ୟାନ୍ୟ ଦୋକାନୀଙ୍କଠାରୁ ଆରମ୍ଭ କରି ସାଧାରଣ‌ରେ ଅସନ୍ତୋଷ ପ୍ରକାଶ ପାଉଛି। ଚୀନ୍‌ରେ ବ୍ୟାପିଥିବା ଭୟାବହ କରୋନା ପ୍ରଭାବ ଆମ ଦେଶ‌ରେ ଦେଖାଯାଇଥିବା ବେ‌ଳେ, ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଏଥି ନେଇ ପରାମର୍ଶ ଓ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ପରିବେଶକୁ ସଫାସୁତରା ରଖିବା ପାଇଁ କୁହାଯାଇଛି। ପଚାସଢ଼ା ଆମିଷ ଦ୍ରବ୍ୟରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ଥିବା ପରିପ୍ରେକ୍ଷୀରେ ସାଧାରଣ ଚଳପ୍ରଚଳ ରାସ୍ତା ପାର୍ଶ୍ବରେ ନୟାଗଡ଼ର ଏହି ମାଛ ତଥା ମାଂସ ମାର୍କେଟ୍‌କୁ ନେଇ ଭୟ ପ୍ରକାଶ ପାଉଛି। ଦେଶରେ ବର୍ତ୍ତମାନ ୩୯ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିବ‌ାରୁ ଜିଲ୍ଲା ପ୍ରଶାସନ ଏହି ଆମିଷ ମାର୍କେଟ୍‌ର ପୂତିଗନ୍ଧପୂର୍ଣ୍ଣ ପରିବେଶ ପ୍ରତି ଧ୍ୟାନ ଦେବାକୁ ମତପ୍ରକାଶ ପାଇଛି।

ସହରଠାରୁ ଆମିଷ ବଜାରକୁ ଦୂରରେ ରଖାଯାଉ
ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ପାଇଁ ଖାଦ୍ୟ ପଛ, ସ୍ବାସ୍ଥ୍ୟ ଆଗ। ସାରା ବିଶ୍ବରେ କରୋନା ପାଇଁ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଛି। କରୋନା ଭୟର ବାତାବରଣ ସୃଷ୍ଟି ‌ହୋଇଥିବାରୁ ଆଗ ଆମକୁ ଆମ ପରିବେଶ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏହା ସହରାଞ୍ଚଳ ହୋଇଥିବାରୁ ନୟାଗଡ଼ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
-ରବୀନ୍ଦ୍ର ରାଉତ, ନୟାଗଡ଼ ବାସିନ୍ଦା

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏଠାରେ ବ୍ୟବସ୍ଥା ନାହିଁ
କୋରେନା ବ୍ୟାପିବ କି ନାହିଁ ତାହା ଭିନ୍ନ କଥା, କିନ୍ତୁ ଆମେ ସଚେତନ ହୋଇ ରହିବା ଜରୁରୀ। ନୟାଗଡ଼ରେ ଷ୍ଟେଟ୍ ବ୍ୟାଙ୍କ୍‌ ସମ୍ମୁଖରେ ଥିବା ଆମିଷ ବଜାରରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନାହିଁ। ସେହିଠାରେ ହିଁ ଆମିଷ ‌ଦ୍ରବ୍ୟର ଅବଶେଷ ଫିଙ୍ଗା ଯାଉଛି। ଯାହା ପରିବେଶକୁ ବିଗାଡ଼ିବା ସହିତ ସଂକ୍ରମଣର ଆଶଙ୍କା ସୃଷ୍ଟି କରିଛି। ବର୍ତ୍ତମାନ ପରିସ୍ଥିତିରେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।
‌ଧୀରେନ୍ଦ୍ର ପଟ୍ଟନାୟକ, ନୟାଗଡ଼ ବାସିନ୍ଦା

ଏହି ସମସ୍ୟାର ସମାଧାନ ବ୍ୟବସ୍ଥା କରିବି
ନୟାଗଡ଼ ସହର ମଧ୍ୟ‌ରେ ଥିବା ଏହି ଆମିଷ ମାର୍କେଟ ନିଶ୍ଚିତ ଭାବେ ପରିବେଶ ପ୍ରଦୂଷିତ କରୁଛି। ପୂର୍ବରୁ ଦିଆନକ ବନ୍ଧ‌ରେ ମାଛ ପିଣ୍ଡି କରିବା ପାଇଁ ଆମର ବ୍ୟବସ୍ଥା ରହିଥିବା ‌ବେଳେ, ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାର୍ଶ୍ବରେ ରହିଥିବାରୁ ଏହି ନିଷ୍ପତ୍ତି ବାତିଲ୍‌ କରାଯାଇଛି। ବାରମାସୀ ଦଣ୍ଡାରେ ନୂଆ ମାଛ ପିଣ୍ଡି ବ୍ୟବସ୍ଥା କରାଯିବାର ବ୍ୟବସ୍ଥା କରାଯାଇଥିଲା। ଏହା ସହରଠାରୁ ଦୂର ହୋଇଥିବାରୁ ବ୍ୟବସାୟୀ ଅମଙ୍ଗ ହୋଇଥିଲେ। ବର୍ତ୍ତମାନ ସାଧାରଣରେ କରୋନା ଆତଙ୍କ ରହିଥିବାରୁ ଏହି ଆମିଷ ବଜାରର ପୂତିଗନ୍ଧମୟ ପରିବେଶ ନେଇ ଅସନ୍ତୋଷ ରହିଛି। ଏହି ସମସ୍ୟାର ସମାଧାନ ପାଇଁ  ଅନୁଧ୍ୟାନ କରିବି।
ସନ୍ତୋଷ କୁମାର ଜେନା, ନିର୍ବାହୀ ଅଧିକାରୀ, ନୟାଗଡ଼ ମ୍ୟୁନିସିପାଲିଟି

ସମ୍ବନ୍ଧିତ ଖବର