ଭଡ଼ା ଫାଙ୍କୁଛନ୍ତି ଷ୍ଟଲ୍‌ ମାଲିକ, ତାଲା ଠୁଙ୍କିବ ପୌର ପରିଷଦ

ବରଗଡ଼: ଚାଲିଛି ମାର୍ଚ୍ଚ ମାସ। ଆର୍ଥିକ ବର୍ଷ ଶେ‌ଷ ହେଉଥିବାରୁ ସବୁ ଦପ୍ତରରେ ଧାଁଦୌଡ଼ ଚାଲିଛି। ଅଧିକାରୀ ଏବଂ କର୍ମଚାରୀଙ୍କ ପାଖରେ ଫୁରସତ ନାହିଁ। କିଛି ଦପ୍ତରରେ ନିର୍ଘଣ୍ଟ ବାହାରେ କାମ ଚାଲିଛି। ପୌର ପରିଷଦ ମଧ୍ୟ ତତ୍ପର ହୋଇଛି। ଆର୍ଥିକ ଦୃଷ୍ଟିକୋଣରୁ ପୌର ପରିଷଦ ସଂକଟ ଦେଇ ଗତି କରୁଛି। କାରଣ ପୌର ପରିଷଦର ଆୟ ଭଡ଼ା, ଟିକସ୍‌ ଉପରେ ହିଁ ନିର୍ଭର କରୁଛନ୍ତି। କିନ୍ତୁ ସହରର ଶତାଧିକ ଷ୍ଟଲ୍‌ ମାଲିକ ଭଡ଼ା ଫାଙ୍କୁଥିବାରୁ ଲକ୍ଷାଧିକ ଟଙ୍କା ବକେୟା ରହିଛି। ତେଣୁ ପୌର ପରିଷଦ ନିଜ ଆଭିମୁଖ୍ୟ କଡ଼ା କରିଛି। ବକେୟା ଭଡ଼ା ଟଙ୍କା ନଦେଲେ ଷ୍ଟଲ୍‌ଗୁଡ଼ିକରେ ତାଲା ଠୁଙ୍କିବାକୁ ତୟାରି ଚାଲିଛି।

ସୂଚନା ମୁତାବକ, ବରଗଡ଼ ସହରରେ ୮ଶହ ପାଖାପାଖି ଷ୍ଟଲ୍‌ ରହିଛି। କିନ୍ତୁ ଏଥିରୁ ୧୬୭ଜଣ ଷ୍ଟଲ୍‌ ମାଲିକ ଭଡ଼ା ଟଙ୍କା ନଦେଇ ସମୟ ଗଡ଼ାଉଛନ୍ତି। ଯାହାର ପରିମାଣ ୫୧ଲକ୍ଷ ଟଙ୍କା ହେବ। ଭଡ଼ା ଫାଙ୍କୁଥିବା ଷ୍ଟଲ୍‌ ମାଲିକଙ୍କୁ ଇତିମଧ୍ୟରେ ନୋଟିସ୍‌ ଜାରି ହୋଇଛି। ଷ୍ଟଲ୍‌ ମାଲିକ ବକେୟା ଭଡ଼ା ଟଙ୍କା ନଦେଲେ ଷ୍ଟଲ୍‌ରେ ତାଲା ମରାଯିବ। ଅନ୍ୟପକ୍ଷରେ ଷ୍ଟଲର ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ ବୋଲି ନୋଟିସ୍‌ ଜାରି ହୋଇଛି। ଇତିମଧ୍ୟରେ ଡାକବାଜି ଯନ୍ତ୍ର ଜରିଆରେ ମଧ୍ୟ ଏସଂପର୍କିତ ପ୍ରଚାର ଚାଲିଛି। ତେଣୁ ବେପାରି ମହଲରେ ପୌର ପରିଷଦର ଏଭଳି କଡ଼ା ଆଭିମୁଖ୍ୟ ଦେଖି ଛନକା ପଶିଯାଇଛି।

ସମ୍ବନ୍ଧିତ ଖବର