କୃଷି କାର୍ଯ୍ୟରେ ହସ୍ତକ୍ଷେପ କରିବ ପଞ୍ଚାୟତିରାଜ ବିଭାଗ, ଆଗତୁରା ହେବ ଚାଷ ପାଇଁ ଯୋଜନା

‘ଆମ କୃଷି’ ନାମରେ ସ୍ବତନ୍ତ୍ର ବୈଠକ ଡାକିବାକୁ ନିର୍ଦେଶ

ଭୁବନେଶ୍ବର: ଚାଷ କେମିତି ହେବ, ଋଣ କିଏ ଦେବ, କେଉଁ ଅଞ୍ଚଳରେ କି ଚାଷ ଲାଭ କଲେ ଅଧିକ ଲାଭ ହେବ, ଉତ୍ପାଦିତ ଫସଲର ବଜାର ବ୍ୟବସ୍ଥା ହୋଇପାରିବ କି ନାହିଁ, ଏ େନଇ ଏଣିକି ସରକାର ଆଗୁଆ ଯୋଜନା କରିବେ। ରାଜ୍ୟସ୍ତରରେ ନୁହେଁ, ପଞ୍ଚାୟତ ସମିତି ଓ ଜିଲ୍ଲାସ୍ତରରେ ଏଭଳି କାର୍ଯ୍ୟ ଖସଡା ପ୍ରସ୍ତୁତ ହେବ। କୌତୂହଳ କଥା ହେଲା, କୃଷି ବିଭାଗ ନୁହେଁ, ବରଂ ପଞ୍ଚାୟତିରାଜ ବିଭାଗ ଏହି ଦାୟିତ୍ବ ନିଭାଇବ। ଏଭଳି ଏକ ବଡ଼ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଆଜିଯାଏ କୃଷି କାର୍ଯ୍ୟ ସଂପର୍କରେ କେବଳ କୃଷି ବିଭାଗ ତନାଘନା କରୁଥିଲା। ଉତ୍ତରଦାୟୀ ବି ହେଉଥିଲା। ଏବେ କିନ୍ତୁ କୃଷି ବିଭାଗ ଅନ୍ୟ ସବୁ ବିଭାଗକୁ ସାଙ୍ଗରେ ଧରି ତୃଣମୂଳସ୍ତରରୁ ଚାଷ ଯୋଜନା କରିବ, ଯାହା ପଞ୍ଚାୟତିରାଜ ବିଭାଗ ଦ୍ବାରା ସମାହିତ ହେବ। ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂହ ସମସ୍ତ ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି କହିଛନ୍ତି ଯେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତିର ତୁରନ୍ତ ଏକ ସ୍ବତନ୍ତ୍ର ବୈଠକ ଡାକ। ଏହି ବୈଠକ ‘ଆମ କୃଷି’ ନାମରେ କରାଯିବ। କୃଷି ଓ କୃଷକ ସଶକ୍ତୀକରଣ, ଜଳସଂପଦ, ମତ୍ସ୍ୟ ଓ ପଶୁ ସଂପଦ, ଜଙ୍ଗଲ ଓ ପରିବେଶ ଏବଂ ସମବାୟ ବିଭାଗ ଅଧିକାରୀଙ୍କ ସହଯୋଗରେ ହେବ। ଏହି ବୈଠକରେ ମୁଖ୍ୟତଃ ଚାଷ ଯୋଜନା, ମାଟିର ସ୍ବାସ୍ଥ୍ୟ, ଔଷଧ ପରିଚାଳନା, ଜଳସେଚନ ପରିଚାଳନା, ଚାଷୀଙ୍କୁ ଋଣ ସହାୟତା ପ୍ରଦାନ ଓ ଉତ୍ପାଦିତ କୃଷି ସାମଗ୍ରୀର ବଜାର ସଂପର୍କରେ ଆଲୋଚନା କରାଯାଇ ସଂପୃକ୍ତ ଅଞ୍ଚଳ ପାଇଁ ରଣନୀତି ନିର୍ଧାରଣ କରାଯିବ।

ଜିଲ୍ଲା ପରିଷଦ ଓ ପଞ୍ଚାୟତସମିତି ଡାକିବେ ବୈଠକ
ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ସଚିବ

ଶ୍ରୀ ସିଂହ ଏହି ଚିଠିରେ ଦର୍ଶାଇଛନ୍ତି ଯେ କୃଷି କ୍ଷେତ୍ରର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ବିଶେଷକରି କୃଷି ଉତ୍ପାଦନ ବୃଦ୍ଧି ସହିତ ଚାଷୀ ରୋଜଗାର ବଢାଇବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଏ କ୍ଷେତ୍ରରେ ପଞ୍ଚାୟତିରାଜ ବିଭାଗର ଏକ ବଡ଼ ଭୂମିକା ରହିଛି। ୧୯୯୨ରେ ହୋଇଥିବା ସମ୍ବିଧାନ ସଂଶୋଧନରେ ବି ପଞ୍ଚାୟତିରାଜ ଅନୁଷ୍ଠାନକୁ କୃଷି କ୍ଷେତ୍ରରେ ସାମଗ୍ରିକ ବିକାଶ ଦାୟିତ୍ବ ଦିଆଯାଇଛି। ଏହି କ୍ରମରେ ପଞ୍ଚାୟତିରାଜ ବିଭାଗ ମୁଖ୍ୟତଃ ୬ଟି କ୍ଷେତ୍ରକୁ ଗୁରୁତ୍ବ ଦେବ। ଜମିର ବିକାଶ, କୃଷି ଓ କୃଷି ସଂପ୍ରସାରଣ, ଜଳ ପରିଚାଳନା, ପଶୁସଂପଦ, ଲଘୁ ବନଜାତ ଦ୍ରବ୍ୟ, ସମବାୟ ସଂସ୍ଥା ଆଦି ଉପରେ ବିଭାଗର ବଡ ଭୂମିକା ରହିଛି। ଉଭୟ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସିମିତିର ଏହି ସ୍ବତନ୍ତ୍ର ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ଓ ଆସନ୍ତା ମାର୍ଚ ୩୧ ତାରିଖ ସୁଦ୍ଧା ନିର୍ଦିଷ୍ଟ କି ପଦକ୍ଷେପ ନେଲ, େସ େନଇ ଜଣାଇବାକୁ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର