ଏବେ ଋଣ ହିଁ ଭରସା, କମ୍ ସୁଧରେ ଋଣ ଆଣିବାକୁ ମନ୍ତ୍ରୀ ପରିଷଦରେ ନିଷ୍ପତ୍ତି

ଅଣ ଅଗ୍ରାଧିକାର କ୍ଷେତ୍ରରେ ନୂଆ ବିନିଯୋଗ କଟକଣା

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକବର୍ଷ ପାଇଁ ହୋଇଥିବା ବ୍ୟୟବରାଦ ଉପରେ ପୁଣି ଥରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏ ନେଇ ବିଶଦ ଆଲୋଚନା ହେବା ସହିତ ୮ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ବୈଠକରୁ ଦୁଇଟି ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସରକାର ଆର୍ଥିକ ଦୁସ୍ଥିତିକୁ ଦୃଷ୍ଟିରେ ରଖି କମ୍ ସୁଧହାରରେ ମିଳୁଥିବା ଋଣ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ, କରୋନା ମୁକାବିଲା ପାଇଁ ଏବେ ସୁଦ୍ଧା ୧୮୭୬କୋଟିରୁ ଅଧିକ ଟଙ୍କା ବିନିଯୋଗ ହୋଇସାରିଥିବା ଜଣାପଡିଛି।

ବୈଠକ ପରେ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ରାଜ୍ୟରେ େକାଭି଼ଡ୍ ଲଢେଇ, କୋଭିଡ଼୍ ପରିଚାଳନା ବିଷୟ ମନ୍ତ୍ରୀ ପରିଷଦରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଟିକା ସଂପର୍କରେ କରିଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ କରିଥିବା ଆଲୋଚନା ନେଇ ମନ୍ତ୍ରୀ ପରିଷଦକୁ ଅବଗତ କରାଯାଇଥିଲା।

ମନ୍ତ୍ରୀ ପରିଷଦକୁ ଅବଗତ କରାଯାଇଥିଲା ଯେ ରାଜ୍ୟ ସରକାର କରୋନା ଆକ୍ରାନ୍ତଙ୍କର କ୍ବାରାଣ୍ଟିନ୍, ଚିକିତ୍ସା, ଖାଦ୍ୟପେୟ, ଔଷଧ, ପରିମଳ ଆଦି ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି। କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ପାଇଁ ରାଜ୍ୟ ସରକାର ୭୫୦୦ ଟଙ୍କା ବନ୍ଦୋବସ୍ତ କରିଛନ୍ତି। ଏଥିପାଇଁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦୪ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୬୨୪ କୋଟି ଟଙ୍କା, ପଞ୍ଚାୟତିରାଜ ବିଭାଗ ମାଧ୍ୟମରେ ୮୭୫ କୋଟି ଟଙ୍କା, ବିଧାୟକମାନେ ସେମାନଙ୍କର ସ୍ଥାନୀୟ ଉନ୍ନୟନ ପାଣ୍ଠିରୁ ୭୩ କୋଟି ଟଙ୍କା ବ୍ୟତୀତ ବିଭିନ୍ନ ବିଭାଗର ଅର୍ଥ ବିନିଯୋଗ କରାଯାଇଛି। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିଜର ଚିକିତ୍ସା ପାଇଁ କୌଣସି ଅର୍ଥ ବହନ କରିବାକୁ ପଡୁନାହିଁ। କୋଭିଡ୍ ଲଢେଇରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜ ପାଣ୍ଠିରୁ ହିଁ ବହନ କରୁଛନ୍ତି।

ଅନ୍ୟପକ୍ଷରେ କୋଭିଡ୍ ପ୍ରଭାବିତ ସାଂପ୍ରତିକ ଆର୍ଥିକ ସ୍ଥିତିକୁ ଆଖିରେ ରଖି ମନ୍ତ୍ରୀ ପରିଷଦ ନିଷ୍ପତ୍ତି ନେଇଥିଲେ ଯେ ରାଜ୍ୟର ସ୍ବାସ୍ଥ୍ୟସେବା ଅବ୍ୟାହତ ରଖିବା ପାଇଁ ଆବଶ୍ୟକ ଅର୍ଥ ବରାଦ କରାଯିବ। ସମସ୍ତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ବଜାୟ ରହିବ। ଶିକ୍ଷା କ୍ଷେତ୍ରରେ ଯୋଜନା ସବୁ ଚାଲୁ ରହିବ। ଜୀବିକା ନିର୍ବାହ ଉପାୟ ବୃଦ୍ଧି ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯିବ। ଚାଲୁ ରହିଥିବା କାର୍ଯ୍ୟ ଓ ପ୍ରକଳ୍ପ ବନ୍ଦ ହେବ ନାହିଁ। ଅଣ ଅଗ୍ରାଧିକାର କ୍ଷେତ୍ରରେ ନୂଆ ପୁଞ୍ଜିବିନିଯୋଗ ଉପରେ କଟକଣା ଲାଗୁ କରାଯିବ। ସବୁ ଦିଗରୁ ବିଚାର ବିମର୍ଶ କରି ସୁଧହାରରେ ମିଳୁଥିବା ପାଣ୍ଠିରୁ ଯଥୋଚିତ ପରିମାଣ ଋଣ କରାଯିବ। ବର୍ତମାନ ସୁଦ୍ଧା ଓଡ଼ିଶାର ବାର୍ଷିକ ଋଣ ଏଫ୍ଆରବିଏମ୍ ଆଇନ ଦ୍ବାରା ନିର୍ଧାରିତ ସୀମା ମଧ୍ୟରେ ଅଛି ବୋଲି ସରକାର କହିଛନ୍ତି। ଏହିସହିତ ଅନ୍ ଲାଇନରେ ସେବା ପ୍ରଦାନ ଓ ଡିଜିଟାଲ ମୋଡରେ ସରକାରୀ କାର୍ଯ୍ୟ ସଂପାଦନକୁ ତ୍ବରାନ୍ବିତ କରାଯିବ।

ବୈଠକ ଆରମ୍ଭରେ କୋଭିଡ଼୍ ଲଢେଇରେ ପ୍ରାଣ ହରାଇଥିବା ୮ ଜଣ କରୋନା ଯୋଦ୍ଧାଙ୍କ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କର୍ମଚାରୀମାନେ ଅବସର ନେବା ପର୍ଯ୍ୟନ୍ତ ଯେମିତି ଦରମା ପାଇଥାନ୍ତେ, ସେହିଭଳି ହାରରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ବିଷୟରେ ମନ୍ତ୍ରି ପରିଷଦ ବୈଠକରେ ନୀତିଗତ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର