ଦୁଇ ବର୍ଷ ହେଲା ଚାଷ ହେଉନି, ଚାଷୀଙ୍କଠାରୁ ବିହନ କିଣି ଚାଷୀଙ୍କୁ ଦେଉଛି ଏନଆରଆରଆଇ
କଟକ-ବିଦ୍ୟାଧରପୁର : କୃଷି ଓ କୃଷକର ବିକାଶ ପାଇଁ ୧୯୪୬ରେ କଟକ ବିଦ୍ୟାଧରପୁରଠାରେ ପ୍ରତିଷ୍ଠା ହୋଇଥିଲା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର। ପରବର୍ତ୍ତୀ ସମୟରେ ପୁରୁଣା ନାମକୁ ବଦଳାଇ ଜାତୀୟ ଧାନ ଗବେଷଣା କେନ୍ଦ୍ର(ଏନଆରଆରଆଇ) ରଖାଯାଇଥିଲା। ଏନଆରଆରଆଇ କର୍ତ୍ତୃପକ୍ଷ ଜଳସେଚିତ ଜମି, ଢିପ, ଖାଲ, ଅଗଭୀର, ମଧ୍ୟମ ଖାଲ, ମରୁଡି ପଡୁଥିବା ଅଞ୍ଚଳ, ଲୁଣି ଜମି ପାଇଁ ୧୩୩ ପ୍ରକାର ଧାନ ଉଦ୍ଭାବନ କରିଥିବା ଦାବି କରନ୍ତି। କିନ୍ତୁ ବାସ୍ତବରେ ଚାଷୀ ଚାହିଦା ମୁତାବକ ଜମି ପାଇଁ ଆବଶ୍ୟକ ବିହନ ପାଇ ପାରୁ ନାହାନ୍ତି ବୋଲି ଅଭିଯୋଗ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଦୁଇ ବର୍ଷ ହେବ ଏନଆରଆରଆଇ ଚାଷୀଙ୍କୁ ଯେଉଁ ବିହନ ବିକ୍ରି କରୁଛି ତାହା ହେଲା ପୂଜା, ଶାରଳା, ଗାୟତ୍ରୀ, ସ୍ବର୍ଣ୍ଣ ସବ୍-୧। ୧୯୮୮ରେ ଗାୟତ୍ରୀ, ୧୯୯୯ରେ ପୂଜା, ୨୦୦୦ରେ ଶାରଳା, ୨୦୦୯ରେ ସ୍ବର୍ଣ୍ଣ ସବ୍-୧ ଧାନ ଅନୁଷ୍ଠାନର ବୈଜ୍ଞାନିକମାନେ ଉଦ୍ଭାବନ କରିଥିଲେ। ଏହି ଚାରି କିସମର ବିହନ ଖାଲ ଜମି ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି। କିନ୍ତୁ ଏହି ବିହନ ସବୁ ଅନୁଷ୍ଠାନ ନିଜ ଜମିରେ ଉତ୍ପାଦନ ନ କରି ବାହାର ଚାଷୀଙ୍କ ନିକଟରୁ ସଂଗ୍ରହ କରି ନିଜ ନାଁରେ ବିକ୍ରି କରୁଥିବା ଜଣା ପଡିଛି।
ଅନୁଷ୍ଠାନର ବରିଷ୍ଠ ବୈଜ୍ଞାନିକ ରବୀନ୍ଦ୍ର କୁମାର ସାହୁ କହିଛନ୍ତି ଯେ କଟକ ଜିଲ୍ଲାର ମାହାଙ୍ଗା, ନିଶ୍ଚିନ୍ତକୋଇଲି ଓ କେନ୍ଦ୍ରାପଡାର ଭାମୁଣ୍ଡାର ଚାଷୀଙ୍କ ଠାରୁ ଏହି ବିହନ ସଂଗ୍ରହ କରାଯାଉଛି। ଚାଷୀଙ୍କ ନିକଟରୁ କୁଇଣ୍ଟାଲ ପିଛା ୨ ହଜାର ୨ଶହ ଟଙ୍କାରେ ବିହନ କିଣି ଅନୁଷ୍ଠାନ ୩ ହଜାର ୫ଶହ ଟଙ୍କାରେ ଚାଷୀଙ୍କୁ ଖୁୁଚୁରାରେ ବିକ୍ରି କରୁଛି। କିଣା ଯାଉଥିବା ବିହନର ୧୦ ପ୍ରତିଶତ ବାଦ ଦିଆଯାଇ ଚାଷୀଙ୍କୁ ବିକ୍ରି କରାଯାଇଛି। ଏହି ୧୦ ପ୍ରତିଶତ ପକ୍ରିୟାକରଣ ବେଳେ ନଷ୍ଟ ହେଉଛି। ବିକ୍ରି ବେଳେ ଚାଷୀଙ୍କୁ ୩୦ କିଲୋ ଗୋଟିଏ ବସ୍ତାରେ ଦିଆଯାଉଛି ଓ ଏହି ବସ୍ତାର ଦର ୭୨ ଟଙ୍କା ୫୦ ପଇସା ପଡୁଛି। ବିହନ ବିକ୍ରିରେ ଅନୁଷ୍ଠାନର ଲାଭ ନାହିଁ କି କ୍ଷତି ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।
ଏଠାରେ ଉଲ୍ଳେଖଯୋଗ୍ୟ ଯେ ଏହି ବର୍ଷ ବିହନ ନେବା ପାଇଁ ଆସିଥିବା ଚାଷୀମାନଙ୍କ ଯାନବାହାନ ଓ ସାଇକେଲ ଭିତରକୁ ଛଡା ଯାଇ ନଥିଲା। ବିକ୍ରୟ କେନ୍ଦ୍ରରୁ ୩ଶହ ମିଟରେ ଦୂରରେ ଥିବା ଯାନବାହନ ନିକଟକୁ ବିହନ ଆଣିବା ପାଇଁ ୩୦ କିଲୋ ବସ୍ତା ପିଛା ଟ୍ରଲି ୫ ଟଙ୍କା ନେଇଥିଲା। ଫଳରେ ଚାଷୀ ଅଯଥାରେ ଖର୍ଚ୍ଚାନ୍ତ ହୋଇଥିଲେ।
ସୂଚନା ମୁତାବକ ଏନଆରଆରଆଇର ରହିଛି ସମୁଦାୟ ୪୫୦ ଏକର ଜମି। ଏଥିରୁ ୨୯୨ ଏକରରେ ଚାଷ ହେଉଥିବା କୁହାଯାଉଛି। କିନ୍ତୁ ବାସ୍ତବରେ ୧୫୦ ଏକରରେ ଗବେଷଣା ଧାନ ହେଉଥିବା ବେଳେ ବଳକା ୧୪୨ ଏକର ଚାଷର ହିସାବ ନାହିଁ। ପୂର୍ବରୁ ଗବେଷଣା ହେଉଥିବା ଜମି ବାଦ ଅନ୍ୟ ଜମିରେ ଅନୁଷ୍ଠାନର ଫାର୍ମ ଡିଭିଜନ ଚାଷ କରି ଚାଷୀଙ୍କୁ ବିହନ ଯୋଗାଇବା ସହିତ ବଳକା ଧାନ ନିଜ କର୍ମଚାରୀଙ୍କୁ ଦେଉଥିଲା। ଗତ ଦୁଇ ବର୍ଷ ହେବ ଫାର୍ମ ଡିଭିଜନ ଆଉ ଚାଷ କରୁ ନାହିଁ। ଫଳରେ ବିହନ ବାହାର ଚାଷୀଙ୍କ ନିକଟରୁ କିଣା ଯାଉଛି ବୋଲି ଜଣା ପଡିଛି। ଏନଆରଆରଆଇରେ ୧୩୩ ପ୍ରକାରର ଧାନ ଉଦ୍ଭାବନ ହୋଇଥିବା ବେଳେ ଚାଷୀଙ୍କ ପାଖରେ ସମସ୍ତ ପ୍ରକାର ବିହନ ପହଞ୍ଚି ପାରୁ ନାହିଁ। ଏହି ପ୍ରସଂଗରେ ବୈଜ୍ଞାନିକ ଶ୍ରୀ ସାହୁ କହିଛନ୍ତି ଯେ ଅନୁଷ୍ଠାନର ଉଦ୍ଭାବନ ଧାନ ଚାଷୀଙ୍କ ପାଇଁ ନୁହେଁ, ସରକାରଙ୍କ ପାଇଁ। ଆମେ ଓଡ଼ିଶା ସରକାରଙ୍କୁ ଦେଉଛୁ, ଚାଷୀଙ୍କୁ ବିହନ ଯୋଗାଇବା ଦାୟିତ୍ବ ସରକାରଙ୍କର ବୋଲି ଶ୍ରୀ ସାହୁ କହିଛନ୍ତି। ଜଣେ ମହିଳା ବୈଜ୍ଞାନିକ ନିଜ ନାଁ ଗୋପନ ରଖି କହିଛନ୍ତି ଯେ ଉଦ୍ଭାବନ କରାଯାଇଥିବା ବିହନ ସବୁକୁ ୫ କିଲୋ ପ୍ୟାକେଟରେ ଚାଷୀଙ୍କୁ ଦେବା ପାଇଁ ଅନେକ ଥର ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଛି। କିନ୍ତୁ ଏଥି ପ୍ରତି କେହି କର୍ଣ୍ଣପାତ କରୁ ନାହାନ୍ତି। ଚାଷୀ ଆମକୁ କିମ୍ବା ଆମ ଧାନକୁ ଚିହ୍ନିଲେ ନାହିଁ। ତେଣୁ ଉତ୍ସାହ ରହୁ ନାହିଁ। କାହିଁକି ଉତ୍ସାହିତ ହୋଇ କାମ କରିବୁ ବୋଲି ମିହିଳା ବୈଜ୍ଞାନିକ ଜଣକ ପ୍ରଶ୍ନ କରିଛନ୍ତି।