ବୁର୍ଲାରେ ବିନା ଅଗ୍ନିଶମ କ୍ଲିୟରାନ୍ସରେ ଚାଲିଛି ଅଧିକାଂଶ ନର୍ସିଂହୋମ୍‌, ସବୁ ଜାଣି ସ୍ୱାସ୍ଥ୍ୟ ବିଭାଗ ଚୁପ୍‌, ଅଗ୍ନିଶମ ବିଭାଗ ନିରବଦ୍ରଷ୍ଟା

ସମ୍ବଲପୁର : ସମ୍ବଲପୁର ତଥା ବୁର୍ଲାର ଅଧିକାଂଶ ନର୍ସିଂହୋମ୍‌‌ର ବିନା ଅଗ୍ନିଶମ କ୍ଲିୟରାନ୍ସରେ ବର୍ଷ ବର୍ଷ ଧରି ଚାଲି ଆସୁଛି। ଶହ ଶହ ରୋଗୀ ଏହିସବୁ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏହି ସ୍ଥାନଗୁଡ଼ିକ ସୁରକ୍ଷିତ ନା ନାହିଁ ତାହା ରୋଗୀ କି ସେମାନଙ୍କ ସମ୍ପର୍କୀୟଙ୍କୁ ଜଣାନାହିଁ। ନର୍ସିଂହୋମ୍‌ଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଅତ୍ୟନ୍ତ ସଂକୀର୍ଣ୍ଣ। ଏଭଳି ସ୍ଥିତିରେ ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ ଘଟିଲେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଗାଡ଼ି ବି ପହଞ୍ଚିବା ମୁସ୍କିଲ ହୋଇ ପଡ଼ିବ। ଯଦି ଭୁବନେଶ୍ବର ସମ୍‌ ହସ୍ପିଟାଲ ଭଳି ଅଗ୍ନିକାଣ୍ଡ ଘଟେ ତେବେ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଭଗବାନ ଭରସା। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ ଉଭୟ ଅଗ୍ନିଶମ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ସବୁ ଜାଣି ଚୁପ୍‌ ରହୁଛି। ବୁର୍ଲାର ୟୁଥ ଏଗେନ୍‌ଷ୍ଟ୍‌ କରପସନ୍‌ର ପ୍ରଭାସ ପୃଷେଠ ଅଗ୍ନିଶମ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି। ଏନେଇ ଅଗ୍ନିଶମ ଅଧିକାରୀ ଲୋକେଶ୍ବର ପଟେଲଙ୍କୁ ଯୋଗାଯୋଗ କରାଯିବାରେ ବୁର୍ଲାର ନର୍ସିଂହୋମ୍‌ଗୁଡ଼ିକର ଫାୟାର କ୍ଲିୟରାନ୍ସ ନଥିବା କଥାକୁ ସ୍ବୀକାର କରିଥି‌ଲେ। ଗତ ୪ ମାସ ତଳେ ଅଗ୍ନିଶମ ବିଭାଗ ବିଭିନ୍ନ ନର୍ସିଂହୋମ୍‌ରେ ଚଢ଼ଉ କରି ୯ଟିକୁ ନୋଟିସ୍‌ ମଧ୍ୟ ଜାରି କରିଥିଲା। କିନ୍ତୁ ଏହା ପରଠାରୁ ଅଗ୍ନିଶମ ବିଭାଗର ନିୟମ ପରିବର୍ତ୍ତନ ହେବା ପରେ ନର୍ସିଂହୋମ୍‌ଗୁଡ଼ିକ ଉପରେ ଆଉ କୌଣସି ପଦକ୍ଷେପ ନିଆଯାଇପାରି ନଥିବା ସେ କହିଥିଲେ।

indiamart.com

ସମ୍ବଲପୁର ଜିଲ୍ଲାରେ ଛୋଟ ବଡ଼ ହୋଇ ପ୍ରାୟ ୭୦ଟି ଘରୋଇ ନର୍ସିଂହୋମ୍‌ ରହିଛି। ହାତ ଗଣତି କେଇଟିକୁ ଛାଡ଼ି ଦେଲେ ବାକି ସବୁ ନର୍ସିଂହୋମ୍‌ ବିନା ଅଗ୍ନିଶମ କ୍ଲିୟରାନ୍ସରେ ଚାଲିଛି। ସ୍ବାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ୍‌ ମୁତାବକ, ନର୍ସିଂହୋମ୍‌ ଚାଲିବା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ରହିବା ଜରୁରି। ଏହାସାଙ୍ଗକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ରାସ୍ତା, ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର, ଆଲାର୍ମ ବ୍ୟବସ୍ଥା ଆଦି ଅନେକ ନିୟମ ରହିଛି। କିନ୍ତୁ ସବୁ ନିୟମର ଜଳାଞ୍ଜଳି ଦେଇ ନର୍ସିଂ ହୋମ୍‌ଗୁଡ଼ିକ ବେଧଡ଼କ ଚାଲିଛି। ସ୍ବାସ୍ଥ୍ୟ ବିଭାଗ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା କଥା। ହେଲେ ସ୍ବାସ୍ଥ୍ୟ ବିଭାଗ ଚୁପ୍‌ ଓ ଅଗ୍ନିଶମ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର