ଓଡ଼ିଆ ବିଶ୍ବବିଦ୍ୟାଳୟକୁ ନେଇ କେଁ, ଦାୟିତ୍ବ ନେବାକୁ ଉଚ୍ଚଶିକ୍ଷା ବିଭାଗ ଅମଙ୍ଗ

ସଂସ୍କୃତି ବିଭାଗକୁ ପରିଚାଳନା ଭାର ଯୋଜନା

ଭୁବନେଶ୍ବର : ଓଡ଼ିଆ ବିଶ୍ବବିଦ୍ୟାଳୟକୁ ନେଇ ପୁଣି କେଁ ବାହାରିଛି। ଏହି ବିଶ୍ବବିଦ୍ୟାଳୟର ଦାୟିତ୍ବ ନେବାକୁ ଉଚ୍ଚଶିକ୍ଷା ବିଭାଗ ଅମଙ୍ଗ ହେଉଛି। ସଂସ୍କୃତି ବିଭାଗକୁ ଦାୟିତ୍ବ ଠେଲିବା ପାଇଁ ଚାଲିଛି ଯୋଜନା। ଏଥି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଫାଇଲ୍‌ ସଂସ୍କୃତି ବିଭାଗକୁ ପଠାଯାଇଥିବା ସୂଚନା ମିଳିଛି। ଫଳରେ ନିକଟ ଭବିଷ୍ୟତରେ ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ ହେବାର ସମ୍ଭାବନା ଦେଖାଯାଉନି।

ଓଡ଼ିଆ ଭାଷା ଆନ୍ଦୋଳନ ବ୍ୟାପକ ହେଲା ବେଳେ ସରକାର ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଏହି ବିଶ୍ବବିଦ୍ୟାଳୟ ଐତିହାସିକ ପଦକ୍ଷେପ ହେବ ବୋଲି କୁହାଗଲା। ୨୦୧୮ ଜୁଲାଇରେ ପ୍ରଥମ ଐତିହ୍ୟ କ୍ୟାବିନେଟ୍‌ ବୈଠକରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସତ୍ୟବାଦୀରେ ହେବ ବୋଲି ନିଷ୍ପତ୍ତି ନିଆଗଲା। ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ପ୍ରସ୍ତାବିତ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା, ସାହିତ୍ୟ ଉପରେ ସ୍ନାତକୋତ୍ତର ଶିକ୍ଷାଦାନ ଓ ଉଚ୍ଚତ୍ତର ଗବେଷଣା ହେବ ଏବଂ ଏହା ଦ୍ବାରା ଭାଷାର ବିକାଶ ହେବ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଥିଲା।

ଶିଳାନ୍ୟାସ ହେବାର ପାଖାପାଖି ଏକ ବର୍ଷ ବିତିଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। କେବେ ହେବ, ତାହାର ଉତ୍ତର କାହା ପାଖରେ ନାହିଁ। କିନ୍ତୁ ବିଶ୍ବବିଦ୍ୟାଳୟ କେଉଁ ବିଭାଗ ଅଧୀନରେ ରହିବ, ତାହାକୁ ନେଇ ଟଣାଓଟରା ଆରମ୍ଭ ହୋଇଗଲାଣି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବିଶ୍ବବିଦ୍ୟାଳୟ ରହିବ ବୋଲି କ୍ୟାବିନେଟ୍‌ ନିଷ୍ପତ୍ତି ହୋଇଥିଲା।

କିନ୍ତୁ ଏବେ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ଆଳ ଦେଖାଇ ସଂସ୍କୃତି ବିଭାଗକୁ ଦାୟିତ୍ବ ଠେଲିବାକୁ ଯୋଜନା କରୁଛି। ଯେହେତୁ ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ବିଷୟ, ତେଣୁ ସେହି ବିଭାଗ ଅଧୀନରେ ଓଡ଼ିଆ ବିଶ୍ବବିଦ୍ୟାଳୟ ରହୁ ବୋଲି ଉଚ୍ଚଶିକ୍ଷା ବିଭାଗ ଯୁକ୍ତି ବାଢ଼ିଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଫାଇଲ୍‌ ପ୍ରସ୍ତୁତ ହୋଇ ସଂସ୍କୃତି ବିଭାଗକୁ ଯାଇଛି। ସଂସ୍କୃତି ବିଭାଗର ମତାମତ ମିଳିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସଂସ୍କୃତି ବିଭାଗ ଅଧୀନରେ ଏବେ ସଂସ୍କୃତି ବିଶ୍ବବିଦ୍ୟାଳୟ ରହିଛି। ଏହି ବିଶ୍ବବିଦ୍ୟାଳୟଟିକୁ ଏ ପର୍ଯ୍ୟନ୍ତ ବ୍ୟବସ୍ଥିତ କରାଯାଇପାରିଲା ନାହିଁ। ଅନେକ ସମସ୍ୟା ଭିତରେ ଏହା ଗତି କରୁଛି। ଏମିତି ସମୟରେ ସଂସ୍କୃତି ବିଭାଗକୁ ଆଉ ଏକ ବିଶ୍ବବିଦ୍ୟାଳୟର ପରିଚାଳନା ଦାୟିତ୍ବ ଦେବା କେତେଦୂର ଠିକ୍, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଉଚ୍ଚଶିକ୍ଷା ବିଭାଗ ଓଡ଼ିଆ ବିଶ୍ବବିଦ୍ୟାଳୟ ପରିଚାଳନା କରିବ ବୋଲି କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲା। ବର୍ତ୍ତମାନ ଏହା ସଂସ୍କୃତି ବିଭାଗ ଅଧୀନକୁ ଆସିବାକୁ ହେଲେ ପୁଣି କ୍ୟାବିନେଟ୍‌କୁ ପ୍ରସ୍ତାବ ଆସିବ। ବିଭାଗ ସ୍ତରରେ ଏହି ନି‌ଷ୍ପତ୍ତି ନିଆଯାଇପାରିବ ନାହିଁ। କିନ୍ତୁ ପ୍ରଶ୍ନ ଉଠୁଛି, ଭାଷା, ସାହିତ୍ୟ ଆଦି ବିଷୟ ସଂସ୍କୃତି ବିଭାଗ ସମ୍ପର୍କିତ ବୋଲି କ’ଣ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ପୂର୍ବରୁ ଜାଣି ପାରି ନ ଥିଲେ ? ଭାଷା, ସାହିତ୍ୟ ଭିତ୍ତିକ ଏକ ବିଶ୍ବବିଦ୍ୟାଳୟ ଚଳାଇବାରେ ଉଚ୍ଚଶିକ୍ଷା ବିଭାଗ ଅମଙ୍ଗ ହେବାର କାରଣ କ’ଣ ? ବାସ୍ତବରେ ସରକାରଙ୍କର ଏହି ବିଶ୍ବବିଦ୍ୟାଳୟ ପ୍ରତି ଆନ୍ତରିକତା ଅଛି ନା କେବଳ ଭାଷା ଆନ୍ଦୋଳନରୁ ଦୃଷ୍ଟି ଏଡ଼ାଇବା ପାଇଁ ତରବରିଆ ଭାବେ ଘୋଷଣା କରି ଦିଆଯାଇଥିଲା ?

ସମ୍ବନ୍ଧିତ ଖବର