ଦେଶର ପର୍ଯ୍ୟଟନ ଶିଳ୍ପରେ ଅବଦାନ ପାଇଁ ଓଡ଼ିଆ ଯୁବକଙ୍କୁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର

ବାମରା/ଗଡ଼ପୋଷ : ଦେଶର ପର୍ଯ୍ୟଟନ ଶିଳ୍ପରେ ଅବଦାନ ପାଇଁ ଓଡ଼ିଶାର ପ୍ରଥମ ତଥା ଦେଶର ସର୍ବ କନିଷ୍ଠ ବ୍ୟକ୍ତି ଭାବରେ ତପନ କୁମାର ମିଶ୍ର ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର ୨୦୧୭-୧୮ରେ ସମ୍ମାନିତ ହୋଇଛନ୍ତି। ଜଗତସିଂପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିୟା ଗ୍ରାମର ପଣ୍ଡିତ ନଟବର ମିଶ୍ର ଓ କେଶୀବାଳା ମିଶ୍ରଙ୍କ ପୁଅ ତଥା ସମ୍ବଲପୁର ଜିଲ୍ଲା ବାମରାର ରବୀନ୍ଦ୍ରନାଥ ମହାନ୍ତି ଓ କାଦମ୍ବିନୀ ମହାନ୍ତିଙ୍କ କନିଷ୍ଠ ଜାମାତା ଶ୍ରୀ ମିଶ୍ର କେନ୍ଦ୍ର ସରକାରଙ୍କ ଜଣେ ସ୍ବୀକୃତିପ୍ରାପ୍ତ ଟୁରିଷ୍ଟ ଗାଇଡ ଭାବେ ଦୀର୍ଘ ୨୩ ବର୍ଷ ହେଲା କାର୍ଯ୍ୟରତ। ଶ୍ରୀ ମିଶ୍ର ଶହ ଶହ ବିଦେଶୀ ପର୍ଯ୍ୟଟକଙ୍କୁ ଦେଶର ସାଂସ୍କୃତିକ ଦୂତ ରୂପେ ଦାୟିତ୍ବ ନିର୍ବାହ କରି ଅନେକ ପ୍ରଶଂସା ପାଇଛନ୍ତି। ବିଶେଷକରି ୨୦୦୭ରୁ ୨୦୧୫ ମସିହା ୮ ବର୍ଷ ମଧ୍ୟରେ ୯୬୫ ଦିନ ଧରି ଜଣେ ବେଲଜିୟମ ପର୍ଯ୍ୟଟକଙ୍କ ସହ ଓଡ଼ିଶାରୁ ଦେଶର ୨୬ଟି ରାଜ୍ୟକୁ ସ୍ଥଳପଥରେ ଏକ ଲକ୍ଷ କିମିରୁ ଅଧିକ ଯାତ୍ରା କରିବା ଏକ ବିରଳ ଉପଲବ୍ଧି ବୋଲି ମିଶ୍ର କହିଛନ୍ତି। ଦେଶର ସଂସ୍କୃତି, ଐତିହ୍ୟ, ପ୍ରାକୃତିକ, ଦୁଃସାହସିକ ତଥା ଆଦିବାସୀ ପର୍ଯ୍ୟଟନର ପ୍ରଚାର ପ୍ରସାର କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କ ଅବଦାନକୁ ଉପଲବ୍ଧି କରି ପର୍ଯ୍ୟଟନ ମନ୍ତ୍ରଣାଲୟ ଆଜି ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ମିଳିତ ଜାତିସଂଘ ବିଶ୍ବ ପର୍ଯ୍ୟଟନ ସଂସ୍ଥାର ମହାସଚିବ ଜୁରାବ ପୋଲୋଲି କାସିବ୍ଲି ଶ୍ରୀ ମିଶ୍ରଙ୍କୁ ‘ବେଷ୍ଟ୍‌ ଟୁଣିଷ୍ଟ ଗାଇଡ୍‌’ ସମ୍ମାନରେ ସମ୍ମାନିତ କରିଥିଲେ। ଶ୍ରୀ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଜାଗୃତି ମହାନ୍ତିଙ୍କୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର