ଭୁବନେଶ୍ୱର : ଧାର୍ଯ୍ୟ ହୋଇଥିଲା ଡିସେମ୍ବର ୩୦ ଯାଏଁ ଚାଲିବ ବିଧାନସଭାର ଶୀତ ଅଧିବେଶନ। ରହିବ ୨୬ଟି କାର୍ଯ୍ୟଦିବସ। ଏହି ଅଧିବେଶନରେ ଅତିରିକ୍ତ ବଜେଟ୍ ଗୃହୀତ ହେବା ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ଆଗୁଆ ସରିଗଲା ବିଧାନସଭା ଅଧିବେଶନ। ୧୩ ଦିନ ଗୃହ କାର୍ଯ୍ୟ ବାକି ଥିଲା ବେଳେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଗଲା। ଫଳରେ ମାତ୍ର ୧୩ ଦିନରେ ପଞ୍ଚଦଶ ବିଧାନସଭାର ଏହି ଏକାଦଶ ଅଧିବେଶନ ସୀମିତ ରହିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରୀ କାର୍ଯ୍ୟ ନ ଥିବାରୁ ଗୃହ କାର୍ଯ୍ୟ ଆଉ ରଖିବାର କୌଣସି ଯଥାର୍ଥତା ନାହିଁ। ତେଣୁ ଗୃହକୁ ମୁଲତବୀ ରଖାଯାଉ ବୋଲି ଶାସକ ଦଳ ସଭ୍ୟ ମହେଶ ସାହୁ ପ୍ରସ୍ତାବ ଦେଇଥିଲେ। ଏହାକୁ ଦଳୀୟ ବିଧାୟକ ଅଶ୍ୱିନୀ ପାତ୍ର ଓ ସଞ୍ଜୀବ କୁମାର ସାହୁ ସମର୍ଥନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏ ନେଇ ପ୍ରସ୍ତାବ ଆଣିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କୁ କହିଥିଲେ। ଏହା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ନେଇ ପ୍ରସ୍ତାବ ଆସିଥିଲା। ବାଚସ୍ପତି ପ୍ରଦୀପ ଅମାତ ଉଦ୍ଯାପନୀ ଅଭିଭାଷଣ ଦେବାକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ନୂଆ ବର୍ଷ ପାଇଁ ଅଭିନନ୍ଦନ ଜଣାଇଥିଲେ।
ନଭେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଥିଲା ଅଧିବେଶନ। ମୋଟ୍ ୧୩ ଦିନ ଚାଲିଥିଲା ଗୃହ। ଏହା ମଧ୍ୟରେ ୧୨ଟି ସରକାରୀ କାର୍ଯ୍ୟଦିବସ ରହିଥିଲା। ଅଧିବେଶନରେ ମୋଟ୍ ୫ଟି ମୁଲତବୀ ପ୍ରସ୍ତାବ ନୋଟିସ୍ ଆସିଥିଲା ବେଳେ ମାତ୍ର ଗୋଟିଏ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ମୋଟ୍ ୫ଟି ବିଲ୍ ଗୃହୀତ ହୋଇଥିଲା। ଚଳିତ ଅଧିବେଶନରେ ଚାଷ, ପୋଲାଭରମ୍ ଓ ମହାନଦୀ ପ୍ରସଙ୍ଗରେ ଗୃହ ସରଗରମ ହୋଇଥିଲା।