ପ୍ରଥମ ରାଜ୍ୟ ଭାବେ ଆଦିବାସୀ ହଷ୍ଟେଲ୍‌ ପାଇଁ ଓଡ଼ିଶା ପାଇଲା ଆଇଏସ୍‌ଓ ମାନ୍ୟତା

୪୪ଟି ଆଦିବାସୀ ହଷ୍ଟେଲକୁ ଆଇ.ଏସ୍‌.ଓ ୯୦୦୧ ପ୍ରମାଣ ପତ୍ର

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ନିର୍ମିତ ଓ ପରିଚାଳିତ ୪୪ଟି ଆଦିବାସୀ ହଷ୍ଟେଲକୁ ମିଳିଛି ଆଇଏସ୍‌ଓ ମାନ୍ୟତା। ଏହି ମାନ୍ୟତା ପାଇବାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଗଣା ହୋଇଛି। ଏଥିରେ କେନ୍ଦୁଝର ଜିଲ୍ଲାରା ୩୨ଟି ଓ ସମ୍ବଲପୁର ଜିଲ୍ଲାର ୧୨ଟି ହଷ୍ଟେଲ୍‌ ସାମିଲ ଅଛି।

ବିଭାଗୀୟ ପ୍ରେସ୍‌ ବିବୃତି ଅନୁଯାୟୀ, ଓଡ଼ିଶା ସରକାରଙ୍କ ଏସ୍‌ସି-ଏସ୍‌ଟି ଉନ୍ନୟନ ବିଭାଗ ପକ୍ଷରୁ ମିସନ ସୁବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରାଜ୍ୟର ସମସ୍ତ ଆଦିବାସୀ ହଷ୍ଟେଲ୍‌ରେ ସମାନ ଧରଣର ଭିତ୍ତିଭୂମି, ସୁବିଧା ସୁଯୋଗ ଓ ମାନବସମ୍ବଳ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। କ୍ବାଲିଟି କଣ୍ଟ୍ରୋଲ୍‌ ଅଫ୍‌ ଇଣ୍ଡିଆର ସହଯୋଗରେ ଏସବୁ ହଷ୍ଟେଲ୍‌ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ସମସ୍ତ ହଷ୍ଟେଲଗୁଡ଼ିକର ମୂଲ୍ୟାଙ୍କନ କାର୍ଯ୍ୟ ହାତକୁ ନିଆଯାଇଥିଲା। କେନ୍ଦୁଝରର ୧୫୬ଟି ହଷ୍ଟେଲ୍‌ ଭିତରୁ ୬୦ଟି ଓ ସମ୍ବଲପୁରର ୯୦ଟିରୁ ୧୨ଟିକୁ ମନୋନୀତ କରାଯାଇଥିଲା। ଜିଲ୍ଲାସ୍ତରୀୟ ଟିମ୍‌ ଗଠନ କରାଯାଇ ୩ ମାସ ଅବଧି ଭିତରେ କ୍ବାଲିଟି ମାନ୍ୟତା ପାଇବାକୁ ପଦକ୍ଷେପ ନିଆଯାଇଥିଲା। ଗତ ମାର୍ଚ୍ଚ ମାସରେ ଲକ୍‌ ଡାଉନ୍‌ ପୂର୍ବରୁ ଅଡିଟ୍‌ ଟିମ୍‌ ଏହି ଦୁଇଟି ଜିଲ୍ଲାରେ ଥିବା ହଷ୍ଟେଲଗୁଡ଼ିକର ଗୁଣାତ୍ମକ ମାନ ଯାଞ୍ଚ କରିଥିଲେ। ଲକ୍‌ଡାଉନ୍‌ ପରେ ସ୍ବାଭାବିକ ଅବସ୍ଥା ଫେରିବା ପରେ ଅବଶିଷ୍ଟ ୨୮ଟି ହଷ୍ଟେଲର ମାନ ମୂଲ୍ୟାଙ୍କନ କରାଯିବ ବୋଲି ସରକାର ଜଣାଇଛନ୍ତି।

ସମ୍ବନ୍ଧିତ ଖବର