ଓଡ଼ିଶାରୁ ନିଟ୍ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କୁ ଉପେକ୍ଷା ଅଭିଯୋଗ ମାମଲା : ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

କଟକ : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଜାତୀୟ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍) ଫଳାଫଳ ତଥା ମେଡିକାଲ ନାମଲେଖା ସଂପର୍କିତ ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଚାହିଁଲେ ଏହି ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ପାରିବେ ବୋଲି ଦର୍ଶାଇ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ‘ସାଗର ଦାମୋଦର ସାରଦା ବନାମ ମହାରାଷ୍ଟ୍ର ସରକାର’ ମାମଲାରେ ୨୦୧୯, ଜୁନ୍ ୪ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟକୁ ଆଧାର କରି ମେଡିକାଲ ନାମଲେଖା ସଂକ୍ରାନ୍ତୀୟ ଏହି ମାମଲା ଗୁଡିକ ଗ୍ରହଣୀୟ ନୁହେଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମେଡିକାଲ ପାଠ୍ୟକ୍ରମ ନାମଲେଖାରେ ବହୁ ବିଳମ୍ବ ହୋଇ ସାରିଥିବାରୁ ଚଳିତ ଶିକ୍ଷାବର୍ଷ ସଂପର୍କିତ ଆଉ କୌଣସି ମାମଲାକୁ କୌଣସି କୋର୍ଟ ଗ୍ରହଣ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ ୨୦୧୯, ଜୁନ୍ ୪ରେ ନିର୍ଦ୍ଦେଶ ଦେଇଥିଲେ। ଏପରି ପରିସ୍ଥିତି‌ରେ ଆବେଦନକାରୀ ଚାହିଁଲେ ସୁପ୍ରିମକୋର୍ଟରେ ମାମଲା ଦାୟର କରି ପାରିବେ ବୋଲି ଦର୍ଶାଇ ହାଇକୋର୍ଟ ମାମଲର ଅନ୍ତ ଘଟାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏସଜି ଅନୁପ କୁମାର ବୋଷ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର