‘ଓଡ଼ିଶାରେ ସହର ପବନ ଦୂଷିତ ହୋଇନି’

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ପବନ ଠିକ୍‌ ଅଛି। ରାଉରକେଲା ଓ ପାରାଦୀପ ପରି ଶିଳ୍ପଭିତ୍ତିକ ସହରରେ ବି ପବନ ପ୍ରଦୂଷଣମୁକ୍ତ। ମୋଟାମୋଟି ଭାବେ ରାଜ୍ୟର ସହରାଞ୍ଚଳରେ ବାୟୁ ଦୂଷିତ ହୋଇନି। ଆଜି ବିଧାନସଭାରେ ବିଜେପି ବିଧାୟକ ଦିଲ୍ଲୀପ ରାୟ ଓ ବିଜେଡି ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ଥିଲା ବେଳେ ଓଡ଼ିଶାର ପ୍ରମୁଖ ସହର ଓ ଶିଳ୍ପାଞ୍ଚଳରେ ବାୟୁ ପ୍ରଦୂଷଣ ସ୍ଥିତି ନେଇ ସରକାରୀ ପଦକ୍ଷେପ ସମ୍ପର୍କରେ ଉଭୟ ବିଧାୟକ ପ୍ରଶ୍ନ ପଚାରିଥିଲେ। ମନ୍ତ୍ରୀଙ୍କ ଉତ୍ତର ରହିଛି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା କରାଯାଉଥିବା ନିୟମିତ ପରୀକ୍ଷାରୁ ଜଣାଯାଏ ଯେ ଭୁବନେଶ୍ୱର, କଟକ ଓ ରାଉରକେଲା ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ମାତ୍ରା ଦିଲ୍ଲୀ ତୁଳନାରେ ଯଥେଷ୍ଟ କମ୍‌ ରହିଛି। ତେବେ କଟକ ଓ ରାଉରକେଲା ସମେତ ରାଜ୍ୟର ୬ଟି ସହରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ଏକ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି। ପାରାଦୀପରେ ବି ପ୍ରଦୂଷଣ ନାହିଁ।

ପାରାଦୀପରେ ଇଫ୍‌କୋ ଓ ପିପିଏଲ୍‌ ପ୍ଲାଣ୍ଟ୍‌ ପାଇଁ ମହାକାଳପଡ଼ାର ଅନେକ ଅଞ୍ଚଳ ପ୍ରଦୂଷିତ ହେଉଥିବା ସମ୍ପର୍କିତ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଉଭୟ ପ୍ଲାଣ୍ଟ୍‌ ପାଇଁ ହେଉଥିବା ପ୍ରଦୂଷଣକୁ ଅନୁଧ୍ୟାନ କରିବା ପାଇଁ ତଥା ସମ୍ଭାବ୍ୟ ଆକଳନ ପାଇଁ ୨୦୧୬ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ରାମନଗର ଓ ଖରିନାସୀ ଠାରେ ପାରିପାର୍ଶ୍ୱିକ ବାୟୁର ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷାରୁ ଉପରୋକ୍ତ ଅଞ୍ଚଳ ପ୍ରଦୂଷିତ ହେଉଥିବା ପ୍ରମାଣିତ ହେଉ ନାହିଁ।

ସମ୍ବନ୍ଧିତ ଖବର