ସ୍କୁଲ୍‌ ପିଲାଙ୍କୁ ମାଗଣାରେ ମିଳିବ ଦୁଗ୍ଧ

ଓଡ଼ିଶାରେ ‘ଗିଫ୍ଟମିଲ୍‌କ’ ସ୍କିମ୍‌ ଲାଗୁ କରିବାକୁ ଏନ୍‌ଡିଡିବି ଆଗ୍ରହୀ

ଭୁବନେଶ୍ୱର: ନ୍ୟାସନାଲ୍‌ ଡେରି ଡେଭେଲପ୍‌ମେଣ୍ଟ୍‌ ବୋର୍ଡ (ଏନ୍‌ଡିଡିବି) ଏହାର ଗିଫ୍ଟମିଲ୍‌କ ସ୍କିମ୍‌ ଓଡ଼ିଶାରେ ଆରମ୍ଭ କରିବାକୁ ଯୋଜନା ରଖିଛି। ଏ ନେଇ ଓମ୍‌ଫେଡ୍‌ ସହିତ ଖୁବ୍‌ଶୀଘ୍ର ଆଲୋଚନା କରାଯିବ ବୋଲି ଏନ୍‌ଡିଡିବିର ଅଧ୍ୟକ୍ଷ ଦିଲ୍ଲୀପ ରଥ କହିଛନ୍ତି। ଏହି ସ୍କିମ୍‌ ଜରିଆରେ ସ୍କୁଲ ପିଲାମାନଙ୍କୁ ମାଗଣାରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀ ବଣ୍ଟନ କରାଯାଉଛି। ଏହି ସ୍କିମ୍‌ରେ ସରକାରୀ ସ୍କୁଲ୍‌ର ପିଲାମାନଙ୍କୁ ଦିନକୁ ୨୦୦ ମିଲିଲିଟର ଦୁଗ୍ଧ ମାଗଣାରେ ପ୍ରଦାନ କରାଯିବ।
ଏନ୍‌୍‌ଡିଡିବିର ସିଏସ୍‌ଆର୍‌ ପାଣ୍ଠିକୁ ନେଇ ‘ଏନ୍‌୍‌ଡିଡିବି ଫାଉଣ୍ଡେସନ୍‌ ଫର ନ୍ୟୁଟ୍ରିସନ୍‌ (ଏନ୍‌ଏଫ୍‌ଏନ୍‌) ନାମକ ସୋସାଇଟି ଗଠନ କରାଯାଇଛି। ସେହି ସୋସାଇଟି ଜରିଆରେ ଗିଫ୍ଟମିଲ୍‌କ ସ୍କିମ୍‌କୁ କାର୍ଯ୍ୟକାରୀ କରାଯାଉଛି। ଦେଶର ବିଭିନ୍ନ ରାଜ୍ୟରେ ଥିବା ଦୁଗ୍ଧ ସମବାୟ ସଂସ୍ଥାଗୁଡ଼ିକ ଜରିଆରେ ଏହି ସ୍କିମ୍‌ କାର୍ଯ୍ୟକାରୀ କରାଯାଉଛି। ଏହା ଛୋଟ ପିଲାମାନଙ୍କ ପାଇଁ ଏକ ପୁଷ୍ଟିସାଧନ ସ୍କିମ୍‌। ଦେଶରେ ବିଭିନ୍ନ ରାଜ୍ୟରେ ଏହି ସ୍କିମ୍‌ ଲାଗୁ ହୋଇଛି।

ଏଥିପାଇଁ ବିଭିନ୍ନ ବ୍ୟାବସାୟିକ ସଂସ୍ଥା ପ୍ରାୟୋଜକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଆଜି ଏନ୍‌ଡିଡିବିର ବ୍ରାଣ୍ଡ୍‌ ‘ସଫଲ୍‌’ ଷ୍ଟୋର୍‌ ପକ୍ଷରୁ ଭୁବନେଶ୍ୱରରେ ବାସ କରୁଥିବା ବରିଷ୍ଠ ନାଗରିକଙ୍କ ନିମନ୍ତେ ହୋମ୍‌ ଡେଲିଭରି ଓ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ସେବା ଆରମ୍ଭ କରାଯାଇଛି। ବରିଷ୍ଠ ନାଗରିକମାନେ ଫୋନ୍‌ ଜରିଆରେ ବିଭିନ୍ନ ସାମଗ୍ରୀ ବରାଦ ଦେଇ ତାହାର ହୋମ୍‌ ଡେଲିଭରି ଦୁଇ ଘଣ୍ଟା ଭିତରେ ପାଇପାରିବେ। ନିକଟସ୍ଥ ସଫଲ୍‌ ଷ୍ଟୋର୍‌ ଜରିଆରେ ୨-୩ କିଲୋମିଟର ଭିତରେ ହୋମ୍‌ ଡେଲିଭରି ସୁବିଧା ପ୍ରଦାନ କରାଯିବ। ସେହିପରି ଆର୍‌ଡବ୍‌ଲ୍ୟୁଏ ସହଯୋଗରେ ସଫଲ୍‌ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଯୋଗାଇ ଦିଆଯିବ। ସେମାନଙ୍କର ବିଏମ୍‌ଡି, ବିଏମ୍‌ଆଇ, ରକ୍ତଚାପ ଏବଂ ମଧୁମେହର ପରୀକ୍ଷା କରାଯିବ। ଶ୍ରୀ ରଥ କହିଛନ୍ତି ଯେ ୨୦୧୮ ମାର୍ଚ ସୁଦ୍ଧା ସଫଲ୍‌ ଷ୍ଟୋର୍‌ ସଂଖ୍ୟା ୧୫ରେ ପହଞ୍ଚାଇବାକୁ ଯୋଜନା ରଖାଯାଇଛି। ଏହି ଅବସରରେ ଏନ୍‌ଡିଡିବିର ବ୍ରାଣ୍ଡ୍‌ ମଦର୍‌ ଡେରିର ଏମ୍‌ଡି ସଞ୍ଜୀବ ଖାନ୍ନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର