ଓଡ଼ିଶା ସମବାୟ ଗୃହ ନିଗମକୁ ଅଧିକ କ୍ରିୟାଶୀଳ କରାଯିବ: ମନ୍ତ୍ରୀ

ଜ‌ାତୀୟ ସମବାୟ ଗୃହ ଫେଡେରେସନ୍‌ ୧୮୩ତମ ବୋର୍ଡ ବୈଠକ

ଭୁବନେଶ୍ବର : ଜାତୀୟ ସମବାୟ ଗୃହ ଫେଡେରେସନ୍‌ର ୧୮୩ତମ ବୋର୍ଡ ବୈଠକ ସ୍ଥାନୀୟ ଇମେଜ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ଜନସଂଖ୍ୟା ବୃଦ୍ଧି ଓ ଦ୍ରୁତ ସହରୀକରଣ ଯୋଗୁ ସହରଗୁଡ଼ିକରେ ବାସଗୃହର ଘୋର ଅଭାବ ଦେଖାଦେଇଛି। ନିମ୍ନ ଓ ମଧ୍ୟମ ଆୟବର୍ଗ ଲୋକଙ୍କ ନିମନ୍ତେ ଏହି ସମସ୍ୟା‌ ଆହୁରି ଉତ୍କଟ ଆକାର ଧାରଣ କରିଛି। ସ୍ବାଧୀନତା ପରବର୍ତ୍ତୀ ଅବସ୍ଥାରେ ଭାରତରେ ସମବାୟ ଏକ ଆନ୍ଦୋଳନର ରୂପ ନେଇଥିଲା ବେଳେ ଗୃହନିର୍ମାଣ କ୍ଷେତ୍ରରେ ସମବା‌ୟକୁ ସାମିଲ୍‌ କରିବା ଲକ୍ଷ୍ୟ ନେଇ ଜାତୀୟ ସମବାୟ ଗୃହ ‌େଫଡେରେସନ୍‌ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ରାଜ୍ୟଗୁଡ଼ିକରେ ଏହି ସଂସ୍ଥାଗୁଡ଼ିକ ପେଶାଦାର ପରିଚାଳନା ଓ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ହୋଇ ନ ଥିବାରୁ ଅନ୍ୟ ଅର୍ଥଲଗାଣକାରୀ ସଂସ୍ଥା ସହ ପ୍ରତିଯୋଗିତା କରିପାରୁ ନାହାନ୍ତି। ତେଣୁ ଏହି ନିଗମଗୁଡ଼ିକୁ ଆର୍ଥିକ ପରିଚାଳନା ଦୃଷ୍ଟିରୁ ସଶକ୍ତ କରାଯିବାର ଆବଶ୍ୟକତା ରହିଛି। ଓଡ଼ିଶା ସମବାୟ ଗୃହ ନିଗମକୁ ଅଧିକ କ୍ରିୟାଶୀଳ କରାଯିବାକୁ ପଦକ୍ଷେପ ନିଆଯିବ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ଓଡ଼ିଶା ସରକାରଙ୍କ ନିଜସ୍ବ ଯୋଜନା ବିଜୁ ପକ୍କା ଘର ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ତେବେ ପରିବାରର ଆକାର ଦୃଷ୍ଟିରୁ ବଡ଼ ଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସମବାୟ ଗୃହ ନିଗମ ପକ୍ଷରୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଆକାରରେ ଯୋଗାଇ ଦେବା ପାଇଁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ବୈଠକରେ ଜାତୀୟ ସମବାୟ ଗୃହ ଫେଡେରେସନ୍‌ର ଅଧ୍ୟକ୍ଷ ଏସ୍ ଏନ୍ ଶର୍ମାଙ୍କ ସମେତ ମଧ୍ୟପ୍ରଦେଶର ସମବାୟ ମନ୍ତ୍ରୀ ଗୋବିନ୍ଦ ସିଂହ, ଦିଲ୍ଲୀ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ଼, ଉତ୍ତରାଖଣ୍ଡ ଓ ଓଡ଼ିଶାର ରାଜ୍ୟ ସମବାୟ ଗୃହ ନିଗମର ନିର୍ଦ୍ଦେଶକ ଓ ପ୍ରବନ୍ଧକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର