ରାଜପଥରେ ଦୁଇ କାର୍‌ ମୁହାଁମୁହିଁ: ଜଣେ ମୃତ, ୮ଗୁରୁତର

ଖୁଣ୍ଟୁଣୀ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ (କଣ୍ଟାବନ୍ଧ) ରାଧାଦାମୋଦରପୁରସ୍ଥିତ ଧବଳେଶ୍ବର ପଲିଟେକ୍‌ନିକ୍‌ ସମ୍ମୁଖ ୫୫ନମ୍ବର ଜାତୀୟ ରାଜପଥରେ ଆଜି ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ କାର୍‌ ଅରୋହୀ ପ୍ରାଣ ହରାଇଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଢେଙ୍କାନାଳ ଆନନ୍ଦନଗର ଅଞ୍ଚଳର ସ୍ମୃତିରଞ୍ଜନ ରାୟଚୌଧୁରୀ ସପରିବାର ସୁଜୁକି ସେଲେରିଓ କାର (ଓଡି୦୬ଜି୯୩୮୮) ଯୋଗେ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ପୁରୀ ଯାଉଥିଲେ। ଦିନ ପ୍ରାୟ ୧୨ଟାରେ ଧବଳେଶ୍ବର ପଲିଟେକ୍‌ନିକ୍‌ ସମ୍ମୁଖରେ ଭୁବନେଶ୍ୱରରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ହ୍ୟୁଣ୍ଡାଇ ଏକ୍ସଲେଣ୍ଟ କାର (ଓଡି୦୨ଏଏମ୍‌୨୫୯୯) ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାରଦ୍ବୟରେ ବସିଥିବା ୪ମହିଳାଙ୍କ ସମେତ ୯ଜଣ ଗୁରୁତର ଆହତ ହୋଇଥିଲେ। ଖୁଣ୍ଟୁଣୀ ଥାନା ପୁଲିସ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଖୁଣ୍ଟୁଣୀ ଟ୍ରକ୍‌ ମାଲିକ ସଂଘ ଆମ୍ବୁଲାନ୍ସ ଓ ଆଠଗଡ଼ ମେଡିକାଲ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଥିଲେ। ମାତ୍ର ବାଟରେ ଢେଙ୍କାନାଳ ଆନନ୍ଦନଗରର ସ୍ମୃତିରଞ୍ଜନ ରାୟଚୌଧୁରୀ (୫୮)ଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି। ଦୁର୍ଘଟଣାରେ ଗୁରୁତର ଆହତ ଢେଙ୍କାନାଳ ଆନନ୍ଦନଗର ଅଞ୍ଚଳର ଦେବଯାନୀ ମହାନ୍ତି(୫୪), ସୌମ୍ୟରଂଜନ ରାୟଚୌଧୁରୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ସଞ୍ଚିତ ପ୍ରଧାନ(୨୫) ଏବଂ ଭୁବନେଶ୍ୱର ୟୁନିଟ-୯ ଖାରବେଳନଗରର ସ୍ବର୍ଣ୍ଣଲତା ମହାରଣା(୪୬), ବ୍ରଜବନ୍ଧୁ ମହାରଣା(୫୭), ପ୍ରିୟମ୍ବଦା ମହାରଣା(୨୬), ଅଲିସା ମହାରଣା(୨୪), ମନୋଜ ମହାରଣା(୩୦) ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତମାନଙ୍କୁ ଯଥାଶୀଘ୍ର ଡାକ୍ତରଖାନା ପଠାଇ ଚିକିତ୍ସା ବ୍ୟବସ୍ଥା କରାଇବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପାରାଲିଗାଲ ସ୍ବେଚ୍ଛାସେବୀ ବିଭୁତି କୁମାର ରାୟ, ଆମ୍ବୁଲାନ୍ସ କର୍ମଚାରୀ ଟୁକୁନା ଦାସ, ପ୍ରୀତିରଞ୍ଜନ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର