ହଜାରେ କୋଟି ସରିଗଲାଣି, ଆଉ ଟଙ୍କା ଦିଅ

ଏନ୍‌ଡିଏମ୍‌ଏ ସଦସ୍ୟ ଏବଂ ରାଜ୍ୟ ସରକାରଙ୍କ ମିଳିତ ବୈଠକ, ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସରକାରଙ୍କ ସଫଳତାକୁ ପ୍ରଶଂସା

ଭୁବନେଶ୍ବର : ବାତ୍ୟା ପରେ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି(ଏନ୍‌ଡିଆର୍ଏଫ୍‌ରୁ ମିଳିଥିବା ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଗଲାଣି। ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆହୁରି ଅର୍ଥ ଦରକାର। ତେଣୁ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି ପୁନଃନିର୍ମାଣ କାର୍ଯ୍ୟ ପାଇଁ ଦାବି କରିଥିବା ୫ ହଜାର ୨୨୮ କୋଟି ଟଙ୍କା ତୁରନ୍ତ ଦେବାର ବନ୍ଦୋବସ୍ତ କରାଯାଉ। ଓଡ଼ିଶା ଗସ୍ତରେ ଆସି ‘ଫନି’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନ୍‌ଡିଏମ୍‌ଏ)ଙ୍କ ପ୍ରତିନିଧି ଦଳ ନିକଟରେ ଓଡ଼ିଶା ପକ୍ଷରୁ ଏହି ଦାବି କରାଯାଇଛି।

ଏହା ସହ ଆଗକୁ ଗୃହ ନିର୍ମାଣ, ବିଦ୍ୟୁତ ଭିତ୍ତିଭୂମି, ଟେଲିକମ ଓ ଜୀବିକା ନିର୍ବାହ କ୍ଷେତ୍ରରେ ଉଭୟ ରାଜ୍ୟ ସରକାର ଏବଂ ଏନ୍‌ଡିଏମ୍‌ଏ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ସମୟରେ ଯେପରି ବିଦ୍ୟୁତ, ଟେଲିଫୋନ ଓ ବାତ୍ୟା ନିରୋଧୀ ବାସଗୃହ ନିର୍ମାଣ କରିବା ପାଇଁ ବୈଷୟିକ ସହାୟତା ଯୋଗାଇଦେବାକୁ ପ୍ରତିନିଧି ଦଳକୁ ଅନୁରୋଧ କରାଯାଇଛି।

ଏନ୍‌ଡିଏମ୍‌ଏର ଚାରି ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ଆଜି ନୂଆଦିଲ୍ଲୀ ଫେରିଯିବା ପୂର୍ବରୁ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏନ୍‌ଡିଏମ୍‌ଏ କେନ୍ଦ୍ରୀୟ ଦଳ ସଦସ୍ୟ କମଲ କିଶୋର ପ୍ରାକୃତିକ ଦୁର୍ବିପାକ ମୁକାବିଲା କରିବାରେ ଓଡ଼ିଶା ସରକାରଙ୍କ ଦକ୍ଷତାକୁ ବେଶ୍‌ ପ୍ରଶଂସା କରିଥ‌ିଲେ। ଓଡ଼ିଶା ଯେପରି ମାନଦଣ୍ଡ ସୃଷ୍ଟି କରିଛି ତାହା ଜାତୀୟ ସ୍ତରରେ ଓ ଅନ୍ୟ ଦେଶ ପାଇଁ ଅନୁକରଣୀୟ ବୋଲି ସେ କହିଛନ୍ତି।

ବୈଠକ ସମ୍ପର୍କରେ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଥିଲେ, ବାତ୍ୟା ପୂର୍ବରୁ ସରକାରଙ୍କ ପ୍ରାକ ସତର୍କ ସୂଚନା ବ୍ୟବସ୍ଥାକୁ ଏନ୍‌ଡିଏମ୍‌ଏ ସଦସ୍ୟ ପ୍ରଶଂସା କରିଛନ୍ତି। ନ୍ୟାସନାଲ ସାଇକ୍ଲୋନ୍ ରିସ୍କ ମିଟିଗେସନ ପ୍ରୋଜେକ୍ଟ ବା ଏନସିଆରଏମପି ପାଣ୍ଠି ସହାୟତାରେ ରାଜ୍ୟର ୬ଟି ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀ, ରାସ୍ତା ନିର୍ମାଣ, ଲୁଣାବନ୍ଧ ସୃଷ୍ଟି କରାଯାଇଛି। ଏହି ପାଣ୍ଠିର ବଳକା ଅର୍ଥକୁ ନ ଫେରାଇ ସେଥିରେ ଅଧିକ ପ୍ରକଳ୍ପ କାର୍ଯ୍ୟ କରିବାକୁ ମଧ୍ୟ ଏନ୍‌ଡିଏମ୍‌ଏ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ସେହିପରି ‘ଆପଦା ମିତ୍ର’ ଯୋଜନାକୁ ପୁରୀ ଓ ଜଗତସିଂହପୁର ଜିଲ୍ଲା ବ୍ୟତୀତ ଅନ୍ୟସବୁ ଜିଲ୍ଲାକୁ ସଂପ୍ରସାରଣ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରାକୃତିକ ଦୁର୍ବିପାକ ବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ୨୦୦ ଲେଖାଏଁ ସ୍ବେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହାବ୍ୟତୀତ ବାତ୍ୟା ହେଉକି ବନ୍ୟା ଟେଲିକମ ଯୋଗାଯୋଗ କ୍ଷେତ୍ରରେ ଅପରେଟର ଓ ଟାଵାର ପରିଚାଳନା କରୁଥିବା ସଂସ୍ଥାମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୁର କରିବାକୁ ଟେଲିକମ ନିୟାମକ ପ୍ରାଧୀକରଣ (ଟ୍ରାଇ) ଦ୍ବାରା ଧାର୍ଯ୍ୟ କରାଯାଉଥିବା ନିୟମାବଳୀର ଅନୁପାଳନ ହେଉଛି କି ନାହିଁ ସେ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଏନ୍‌ଡିଏମ୍‌ଏ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ପ୍ରାକୃତିକ ଦୁର୍ବିପାକରେ ବିଦ୍ୟୁତ ସରବରାହ ବ୍ୟାହତ ହେଲେ ଜେନେରେଟର ସେଟ୍‌ ନ ଥିବାରୁ ଟେଲି ଯୋଗାଯୋଗର ପୁନରୁଦ୍ଧାର ନ ହେବାରୁ ବ୍ୟାପକ ଅସୁବିଧା ସୃଷ୍ଟି ହେଉଛି।

ଶ୍ରୀ ସେଠୀ ଆହୁରି ଦର୍ଶାଇଥିଲେ, ‘ଫନି’ ବାତ୍ୟାରେ ପ୍ରାୟ ୧ ଲକ୍ଷ ୩୫ ହଜାର ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ୧ ଲକ୍ଷ ୪୦ ହଜାର ପକ୍କା ଘର ଗୁରୁତର କ୍ଷତିଗ୍ରସ୍ତ ହୋଇଥିବାବେଳେ ୨ ଲକ୍ଷ ୭୨ ହଜାର କଚ୍ଚାଘର ଆଂଶିକ ଭାବେ ଭାଙ୍ଗିଯାଇଛି। ୭ ହଜାର ୫୪୭ଟି କୁଡ଼ିଆ ଏବଂ ୧ ଲକ୍ଷ ୧୯ ହଜାର ଗୁହାଳ ସମ୍ପର୍ଣ୍ଣ ଭାବେ ନଷ୍ଟ ହୋଇଛି। ପ୍ରାୟ ୧୪ ଲକ୍ଷ ୬ ହଜାର ୩୧୧ ହେକ୍ଟର ଜମିରେ ଶତକଡ଼ା ୩୩ ଭାଗରୁ ଅଧିକ ଫସଲ ନଷ୍ଟ ହୋଇଛି। ପାଖାପାଖି ୬ ହଜାର ୨୮୧ଟି ଗୃହପାଳିତ ପଶୁ ଏବଂ ୫୩ ଲକ୍ଷ ୨୬ ହଜାର କୁକୁଡ଼ା କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟା ଯୋଗୁଁ ୭୧ ହଜାର ୬୦ ପାରମ୍ପରିକ ହସ୍ତଶିଳ୍ପୀ, ୪୨ ହଜାର ୪୮୮ ହସ୍ତତନ୍ତ ବୁଣାକାର, ୧୨ ହଜାର ୧୩୫ ରେଶମ ଚାଷୀଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାଛଡ଼ା ୬ ହଜାର ୪୧୬ଟି ମାଛଧରା ବୋଟ ଏବଂ ୮ ହଜାର ୮୨୮ଟି ମାଛଧରା ଜାଲ ନଷ୍ଟ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କର ଜୀବିକା ନଷ୍ଟ ହୋଇଯାଇଛି। ୫୭୩ଟି ଅଣୁ ଓ କ୍ଷୁଦ୍ର ଶିଳ୍ପ ସମେତ ଲୁଣ ଖଳା ନଷ୍ଟ ହୋଇଛି।
ଏହି ବୈଠକରେ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, ଏନ୍‌ଡିଏମ୍‌ଏ ସଚିବ ପ୍ରଦୀପ କୁମାର, ବରିଷ୍ଠ ପରାମର୍ଶଦାତା ସ୍ବାତୀ ସୁଲଗ୍ନାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାେନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର