ଓଡ଼ିଶା ଅଗ୍ନିଶମ ବାହିନୀକୁ ପଶ୍ଚିମବଙ୍ଗରେ ପ୍ରଶଂସା

କୋଲକାତାରୁ ଫେରିଲେ, ୧୪ ଦିନିଆ କ୍ବାରାଣ୍ଟିନ୍‌ରେ ରହିବେ ୩୭୨ ଅଧିକାରୀ ଓ କର୍ମଚାରୀ

କଟକ : ବାତ୍ୟା ‘ଅମ୍ଫାନ’ରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ୧୨ଦିନ ଧରି ଉଦ୍ଧାର କାର୍ଯ୍ୟ ଶେଷ କରିବାପରେ ଓଡ଼ିଶା ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀ ଆଜି ରାଜ୍ୟକୁ ଫେରିଛନ୍ତି। ସେମାନଙ୍କୁ ନରାଜସ୍ଥିତ ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନଠାରେ ମହାନିର୍ଦ୍ଦେଶକ ଡକ୍ଟର ସତ୍ୟଜିତ ମହାନ୍ତି ଓ ଆଇଜି ଅସିତ କୁମାର ପାଣିଗ୍ରାହୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ୧୪ଦିନ ପାଇଁ ଭୁବନେଶ୍ବର ଗୋଠପାଟଣା ରୋଡ୍‌ସ୍ଥିତ ରାଜସ୍ବ ଅଧିକାରୀ ପ୍ରଶିକ୍ଷକ ପ୍ରତିଷ୍ଠାନ ଓ ଉତ୍ତରାଛକସ୍ଥିତ କୃପାଜଳ ଇଞ୍ଜିନିୟରି˚ ମହାବିଦ୍ୟାଳୟରେ ହୋଇଥିବା କ୍ବାରାଣ୍ଟିନ୍‌ କେନ୍ଦ୍ରକୁ ପଠାଇ ଦିଆଯାଇଛି। ଏହି କ୍ବାରାଣ୍ଟିନ୍‌ ଅବଧି ମଧ୍ୟରେ ସରକାରୀ ନିୟମାବଳୀ ଅନୁଯାୟୀ ସମସ୍ତଙ୍କର ଡାକ୍ତରୀ ଯାଞ୍ଚ ଓ କୋଭିଡ୍‌-୧୯ ସ୍ବାବ ପରୀକ୍ଷା କରାଯିବ। ଏମାନଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ବର ସ୍ବାଇଁଙ୍କ ନେତୃତ୍ବରେ ୩୭୨ଜଣିଆ ଦଳ ମେ ୨୪ ତାରିଖରେ କୋଲକାତା ଗସ୍ତ କରିଥିଲେ। ଏହି ଦଳ ପାଵାର ସ, ଟାଵାର ଲାଇଟ୍‌, କମ୍ବିଟୁଲ୍ସ, ବୋଲ୍ଟ କଟର୍ସ, ଲାଇଫ୍‌ ଲାଇନ୍ସ ଇତ୍ୟାଦି ଉପକରଣ ସାଙ୍ଗରେ ନେଇ ଯାଇଥିଲେ। ସମସ୍ତଙ୍କୁ ୩୦ଟି ଛୋଟଛୋଟ ଦଳରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଦଳରେ ୧୦ଜଣ ଲେଖାଏ ଅଗ୍ନିଶମ କର୍ମଚାରୀ ସାମିଲ ରହୁଥିଲାବେଳେ ଜଣେ ଷ୍ଟେସନ୍‌ ଅଧିକାରୀ ଦଳର ନେତୃତ୍ବ ନେଉଥିଲେ। କୋଲକାତାର ୧୬ ପୌରାଞ୍ଚଳରେ ଏମାନେ ନିୟୋଜିତ ଥିବାବେଳେ ହାଵଡ଼ା ଡିସିପିଙ୍କ ଅଧିନରେ ୬ଟି ଦଳ କାର୍ଯ୍ୟ କରୁଥିଲା। କୋଲକାତା ସହରର ମୁଖ୍ୟ ରାସ୍ତାକୁ ଓଡ଼ିଶା ଅଗ୍ନିଶମ କର୍ମଚାରୀମାନେ ଦୁଇ ଦିନ ଭିତରେ ସଫା କରିଦେଇଥିଲା ବେଳେ ପୁଲିସ୍‌ ମୁଖ୍ୟାଳୟ, ସରକାରୀ ଡାକ୍ତରଖାନା, ସର୍କିଟ ହାଉସ ଇତ୍ୟାଦି ପରିସରରୁ ଭଙ୍ଗା ଗଛ, ବିଦ୍ୟୁତ ଖୁଣ୍ଟ, ଛିଣ୍ତା ତାର ଇତ୍ୟାଦି ହଟାଇଥିଲେ। ମେ ୩୦ ତାରିଖ ପରେ ବିଭିନ୍ନ ଘର ଓ ଆପାର୍ଟମେଣ୍ଟମାନଙ୍କ ଉପରେ ପଡ଼ିଥିବା ଗଛଗୁଡ଼ିକୁ କାଟି ସଫା କରିଥିଲେ। ଆଜିସୁଦ୍ଧା କୋଲକାତା ସହରର ରାସ୍ତାଘାଟ ଅବରୋଧ କରିଥିବା ୨୫୫୦ ଭଙ୍ଗା ଗଛ, ୭୧୭ ସ୍ଥାନରେ ଭଙ୍ଗା ବିଦ୍ୟୁତ ଖୁଣ୍ଟ ଇତ୍ୟାଦିକୁ ହଟାଯାଇଛି। ଏବେ କୋଲକାତାରେ ଜନଜୀବନ ସ୍ବଭାବିକ୍‌ ହୋଇଆସିବାରୁ ଅଗ୍ନିଶମ ବାହିନୀ ଓଡ଼ିଶା ଫେରିଛନ୍ତି। ଓଡ଼ିଶାର ଏହି ଯୋଦ୍ଧାମାନଙ୍କ କାର୍ଯ୍ୟକୁ ପଶ୍ଚିମବଙ୍ଗର ନଗର ଉନ୍ନୟନ ମନ୍ତ୍ରୀ, ବିପର୍ଯ୍ୟୟ ପରିଚାଳନା ସଚିବ, କୋଲକାତା ମେୟର, ଲୋକସେବକ ମଣ୍ତଳ ପକ୍ଷରୁ ପ୍ରଶ˚ସା କରାଯାଇଛି।

ସମ୍ବନ୍ଧିତ ଖବର