ଗଭୀର ସମୁଦ୍ରରୁ ଉଦ୍ଧାର ହେଲେ ପଶ୍ଚିମବଙ୍ଗର ୬ ଶହ ମତ୍ସ୍ୟଜୀବୀ

ଭଦ୍ରକ/ଚାନ୍ଦବାଲି/ଧାମରା : ବାତ୍ୟା ‘ବୁଲ୍‌ବୁଲ୍‌ ଧୀରେ ଧୀରେ ଭୀଷଣ ରୂପ ଧାରଣ କରୁଥିବାବେଳେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ପଶ୍ଚିମବଙ୍ଗର ୬୦୦ ମତ୍ସ୍ୟଜୀବୀଙ୍କୁ ରାଜ୍ୟ ସରକାର ଉଦ୍ଧାର କରିଛନ୍ତି।

ଦୁଇ ଦିନ ତଳେ ପ୍ରାୟ ୫୦ଟି ଡଙ୍ଗାରେ ପଶ୍ଚିମବଙ୍ଗର ୬ ଶହ ମତ୍ସ୍ୟଜୀବୀ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ବାତ୍ୟା ‘ବୁଲ୍‌ବୁଲ୍‌ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କ ଡଙ୍ଗା ବାଟବଣା ହୋଇ ଦୀଘା ମୁହାଣରେ ଲାଗିପାରିନଥିଲା। ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିବା ଲାଗି ପଶ୍ଚିମବଙ୍ଗ ସରକାର ଅନୁରୋଧ କରିବା ପରେ ରାଜ୍ୟ ସରକାର ସେମାନଙ୍କୁ ଠାବ କରିବା ନିମନ୍ତେ ମତ୍ସ୍ୟ ବିଭାଗ ଓ ମେରାଇନ୍ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ସମୁଦ୍ରରେ ଅଟକିଥିବା ଏହି ମତ୍ସ୍ୟଜୀବୀଙ୍କୁ ଠାବ କରାଯିବା ପରେ ସମସ୍ତଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୩୭ଟି ଡଙ୍ଗା କେନ୍ଦ୍ରାପଡାର ତାଳଚୁଆ ଜେଟି ଏବଂ ଅବଶିଷ୍ଟ ୧୩ଟି ଡଙ୍ଗାକୁ ଭଦ୍ରକର ଧାମରା ଜେଟିରେ ରଖାଯାଇଛି। ବାତ୍ୟା ଟଳିବା ପର୍ଯ୍ୟନ୍ତ ୬୦୦ ମତ୍ସ୍ୟଜୀବୀଙ୍କର ରହିବା, ଖାଇବା ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଧାମରା ଜେଟିରେ ଆଶ୍ରୟ ନେଇଥିବା ୧୫୬ ଜଣ ମତ୍ସ୍ୟଜୀବୀ ବର୍ତ୍ତମାନ ସୁରକ୍ଷିତ ରହିଥିବା ଏଏଫଓ ବିଚିତ୍ରାନନ୍ଦ ଭୋଳ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଧାମରା ମୁହାଣରେ ମେରାଇନ ଥାନା, ଧାମରା ଥାନା ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର