କରୋନାର ତାଜା ସ୍ଥିତି: ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ଟି ରାଷ୍ଟ୍ରକୁ କରୋନା ବ୍ୟାପି ସାରିଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇଛନ୍ତି ୧,୮୩,୧୧୬ ଜଣ

ଭୁବନେଶ୍ୱର: କରୋନାର ତାଜା ସ୍ଥିତି ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ଣରେ ଗୀତଗୋବିନ୍ଦ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।

ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି ରାଜ୍ୟ ସରକାରଙ୍କର ମୁଖ୍ୟ ମୁଖପାତ୍ର ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଚୀନ୍‌ରୁ ନିଜର କାୟା ବିସ୍ତାର ଆରମ୍ଭ କରିଥିବା କରୋନା ଭାଇରସ୍‌ ଗତକାଲି (ସୋମବାର) ସୁଦ୍ଧା ବିଶ୍ୱର ୧୫୭ଟି ରାଷ୍ଟ୍ରକୁ ଆକ୍ରାନ୍ତ କରିଥିବା ବେଳେ ଆଜି (ମଙ୍ଗଳବାର) ଏହି ସଂଖ୍ୟା ୧୬୨ରେ ପହଞ୍ଚିଛି। ସେହିପରି ଗତକାଲି ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ପୀଡ଼ିତଙ୍କ ସଂଖ୍ୟା ୧,୭୦,୧୮୭ ରହିଥିବା ବେଳେ ଆଜି ଏହା ୧,୮୩,୧୧୬କୁ ବୃଦ୍ଧି ପାଇଛି। କରୋନା ଦ୍ୱାରା ବିଶ୍ୱର ସର୍ବାଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ରଗୁଡ଼ିକ ହେଲେ, ଚୀନ୍‌, ଇରାନ୍‌, ଇଟାଲୀ, ସ୍ପେନ୍‌ ଓ ଦକ୍ଷିଣ କୋରିଆ।

ଅନ୍ୟପକ୍ଷରେ, ଗତକାଲି (ସୋମବାର) ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧୧୫ ରହିଥିବା ବେଳେ ଆଜି (ମଙ୍ଗଳବାର) ଏଥିରେ ବୃଦ୍ଧି ଘଟି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬ରେ ପହଞ୍ଚିଛି। ସେହିପରି ଗତକାଲି ସୁଦ୍ଧା ସମଗ୍ର ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ରହିଥିବା ବେଳେ ଆଜି ଏହା ୩କୁ ବୃଦ୍ଧି ପାଇଛି। ତେବେ, ୯ ବର୍ଷରୁ କମ୍‌ ବୟସର କୌଣସି ଶିଶୁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିନାହାନ୍ତି।

କରୋନା ଚିହ୍ନଟ ହେବାର ୪୦ ଦିନ ପର୍ଯ୍ୟନ୍ତ ଏତେ ମାତ୍ରାରେ ବ୍ୟାପି ନଥିଲା; ତେବେ ୪୦ ଦିନ ପରେ ଏହାର ପ୍ରଭାବ ବହୁଗୁଣିତ ହୋଇ ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ଟି ରାଷ୍ଟ୍ରରେ କରୋନା ନିଜର କାୟା ବିସ୍ତାର କରି ସାରିଲାଣି। ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଏହା ଆଉ ଅନ୍ୟ ୩ ଜଣଙ୍କୁ ଶରୀରକୁ ବ୍ୟାପୁଛି ବୋଲି କହିଛନ୍ତି ଶ୍ରୀ ବାଗ୍‌ଚୀ।

ସମ୍ବନ୍ଧିତ ଖବର