ସତ୍ୟବାଦୀ ବନ ବିଦ୍ୟାଳୟ ନିକଟରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ପାନ୍ଥନିବାସରେ ହେବ ଅସ୍ଥାୟୀ କାର୍ଯ୍ୟାଳୟ, ତୁରନ୍ତ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର : ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ଇସ୍ତାହାରରେ କୁହାଯାଇଛି, ସତ୍ୟବାଦୀର ବକୁଳ ବନ ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିଲା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ କୃପାସିନ୍ଧୁଙ୍କ ମଣିଷ ତିଆରି କାରଖାନା ଥିଲା ବକୁଳ ବନ। ଏଣୁ ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏକ ଐତିହାସିକ ନିଷ୍ପତ୍ତି। ପଞ୍ଚସଖାଙ୍କ ଆଦର୍ଶର ପ୍ରଚାର ଓ ପ୍ରସାର ଦିଗରେ ଏହା ମଧ୍ୟ ସହାୟକ ହେବ। ସରକାର କହିଛନ୍ତି, ପରିବେଶ ଓ ଐତିହ୍ୟ ଉଭୟକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ କରାଯିବ। ବାଲିପଥରରେ ନିର୍ମିତ ଏକ ମହଲ ବିଶିଷ୍ଟ କୋଠାରେ ହିଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ। ଉପାଧ୍ୟୁତର ଶିକ୍ଷାଠାରୁ ଆରମ୍ଭ କରି ଏମ୍‌ଫିଲ୍‌ ଓ ପିଏଚ୍‌ଡି ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଉଚ୍ଚତର ଶିକ୍ଷା ଓ ଗବେଷଣା ଦିଗରେ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଖୁବ୍‌ଶୀଘ୍ର ଜଣେ ଓଏସ୍‌ଡି ନିଯୁକ୍ତି ଦିଆଯିବ। ଏହାର ଅସ୍ଥାୟୀ କାର୍ଯ୍ୟାଳୟ ସତ୍ୟବାଦୀ ପାନ୍ଥନିବାସରେ ରହିବ। ରାଜ୍ୟ ସରକାର ଏହି ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ବରାଦ ରଖିଛନ୍ତି। କୁଳପତି ଓ ରେଜିଷ୍ଟାର ଆଦି ପଦବିକୁ ମଧ୍ୟ ସୃଷ୍ଟି କରାଯାଇଛି। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଆବଶ୍ୟକ ପ୍ରାରମ୍ଭିକ କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ଉଚ୍ଚଶିକ୍ଷା ସଚିବ,ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ବକୁଳ ବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆଜି ପ୍ରଥମେ ନିଷ୍ପତ୍ତି ନେଇଥିଲେ। ସରକାର କହିଥିଲେ ଯେ ଏହା ପରିସରରେ ଗୋଟିଏ ବି ଗଛ କଟାଯିବ ନାହିଁ। ମାତ୍ର ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାଦ୍ୱାରା ବନ ବିଦ୍ୟାଳୟର ପରିଚୟ ହଜିଯିବ ଓ ଆଉ କିଛି ବର୍ଷ ପରେ ଲୋକେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଏହାକୁ ଚିହ୍ନିବେ। କେବଳ ସେତିକି ନୁହେଁ, ଥରେ ବିଶ୍ୱବିଦ୍ୟାଳୟ ହେଲେ, ଏହାର ମୌଳିକତା ନଷ୍ଟ ହେବ ଓ ଏହି ମହାନ ପୀଠର ଗରିମା ଚିରଦିନ ପାଇଁ ହଜିଯିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ତତ୍କାଳ ବିଧାନସଭାରେ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ। କହିଥିଲେ, ଗୋପବନ୍ଧୁଙ୍କ ନାଁ ଇତିହାସରୁ ଲିଭିଯିବାର ଭୟ ରହିଛି। ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ହେବାର ଆବଶ୍ୟକତା ରହିଛି। ଏହାକୁ ସମସ୍ତେ ସମର୍ଥନ ଦେବା ଦରକାର। ମାତ୍ର ବକୁଳ ବନ ପରିସରରେ ନୁହେଁ। ବକୁଳ ବନର ମହତ୍ୱ ଉଣା ନ କରିବା ଲାଗି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ସତ୍ୟବାଦୀଙ୍କ ସହିତ ତାଙ୍କର ସଂପର୍କ ନେଇ ମଧ୍ୟ ସେ ସୂଚନା ଦେଇଥିଲେ। ତାଙ୍କ ପୂର୍ବପୁରୁଷ ସତ୍ୟବାଦୀ ଅଞ୍ଚଳର ଓ ବୀରରାମଚନ୍ଦ୍ରପୁରର ଗ୍ରାମର ବୋଲି ସୂଚାଇଥିଲେ ବିରୋଧୀ ଦଳ ନେତା। ଏହି ଦୃଷ୍ଟିକୋଣରୁ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ନିବେଦନ କରିଥିଲେ। ପରେ ସରକାରଙ୍କ ପକ୍ଷରୁ ଆଉ ଏକ ପ୍ରେସ ଇସ୍ତାହାର ଜାରି କରାଯାଇ ଓଡ଼ିଆ ବିଶ୍ୱବିଦ୍ୟାଳୟ ବନ ବିଦ୍ୟାଳୟ ନିକଟରେ ହେବ ବୋଲି କୁହାଯାଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, ବିଶ୍ୱବିଦ୍ୟାଳୟ ସ୍ଥାନୀୟ ବାସୁକେରା ସଂଲଗ୍ନ ଅଞ୍ଚଳରେ ହେବ ଓ ଏଠାରେ ୨୩ ଏକର ଜମି ଚିହ୍ନଟ ହୋଇଛି। ଏହି ଜମି ପ୍ରଦାନ ପାଇଁ ଆଇନ ବିଭାଗ ଅନୁମତି ଦେଇ ସାରିଲେଣି।

ସମ୍ବନ୍ଧିତ ଖବର