ଓଡ଼ିଶା ପୁଲିସ-ଏନ୍‌ଏଲ୍‌ୟୁ ରାଜିନାମା: ପୁଲିସର ବଢ଼ିବ ଆଇନଗତ ଜ୍ଞାନ

ପୁଲିସ ବିଭାଗରେ ଇଣ୍ଟର୍ଣ୍ଣସିପ‌୍ କରିବେ ଆଇନ ଛାତ୍ରଛାତ୍ରୀ

କଟକ : ପୁଲିସର ଆଇନଗତ ଜ୍ଞାନ ବୃଦ୍ଧି ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ପୁଲିସ ଓ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (ଏନ୍‌ଏଲ୍‌ୟୁ) ମଧ୍ୟରେ ବୃତ୍ତିଗତ ସମନ୍ବୟ, ସହଯୋଗ ପାଇଁ ଓଡ଼ିଶା ପୁଲିସ ଓ କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନ୍‌ଏଲ୍‌ୟୁ) ମଧ୍ୟରେ ଏକ ରାଜିନାମା (ଏମଓୟୁ) ସ୍ବାକ୍ଷର ହୋଇଛି। ଓଡ଼ିଶା ପୁଲିସ ଡିଜି ସୁନିଲ କୁମାର ବଂଶଲ ଓ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ବେଦ କୁମାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ଆର.କେ ପାଢୀ ସ୍ମାରକୀ ପ୍ରେକ୍ଷାଳୟରେ ଓଡ଼ିଶା ପୁଲିସ ପକ୍ଷରୁ ଆଇ.ଜି କ୍ରାଇମବ୍ରାଞ୍ଚ ଅମିତେନ୍ଦ୍ର ନାଥ ସିହ୍ନା ଓ ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳସଚିବ ରଂଗିନ ପଲ୍ଲଭ ତ୍ରିପାଠୀ ଏହି ଚୁକ୍ତିରେ ସ୍ବାକ୍ଷର କରିଛନ୍ତି।

ଏହି ଚୁକ୍ତି ଦ୍ବାରା ଓଡ଼ିଶା ପୁଲିସ ଓ ଆଇନ ବିଶ୍ବବିଦ୍ୟାଳୟ ମଧ୍ୟରେ ବୃ୍ତ୍ତିଗତ ସଂପର୍କ ସୁଦୃଢ଼ ହେବ। ଉଭୟଙ୍କ ମଧ୍ୟରେ ସମନ୍ବୟ ରଖି କାମ କରାଯାଇପାରିବ। ଏହି ଚୁକ୍ତି ଦ୍ବାରା ଉଭୟ ଅନୁଷ୍ଠାନକୁ ନେଇ ‘ପୁଲିସ ଏକାଡେମିଆ ଇଣ୍ଟର ଆକସନ ଫୋରମ’( ପିଏଆଇଏଫ) ଗଠନ କରାଯିବ। ଏହି ଫୋରମ୍‌ ଦ୍ବାରା ଓଡ଼ିଶା ପୁଲିସ ଓ ବିଶ୍ବବିଦ୍ୟାଳୟର ଶେଷବର୍ଷ ଛାତ୍ରଛତ୍ରୀଙ୍କ ମଧ୍ୟରେ ବିଭିନ୍ନ ଆଇନଗତ ଦିଗ ଉପ‌ରେ ଭାବ ବିନିମୟ, କର୍ମଶାଳା, ଆଲୋଚନାଚକ୍ର ଆୟୋଜନ କରାଯିବ। ଏହାଦ୍ବାରା ଓଡ଼ିଶା ପୁଲିସର ତଦନ୍ତକାରୀ ଅଧିକାରୀମାନଙ୍କର ଆଇନଗତ ଜ୍ଞାନ ବଢ଼ିବ। ଏଥିସହିତ ଏନ୍‌ଏଲ୍‌ୟୁର ଶେ‌ଷ ବର୍ଷ ଛାତ୍ରଛାତ୍ରୀମାନେ ଓଡ଼ିଶା ପୁଲିସରେ ଇଣ୍ଟର୍ଣ୍ଣସିପ୍ କରିପାରିବେ। ସେମ‌ାନେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ, ଅର୍ଥନୈତିକ ଅପରାଧ ଶାଖା, ଏସଟିଏଫ୍‌ ଓ ଫ‌ରେନ୍ସିକ୍‌ରେ ପ୍ରଶିକ୍ଷଣ ନେଇପାରିବେ।

ଡିଜି ସୁନିଲ ବଂଶଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହା ଉଭୟ ଓଡ଼ିଶା ପୁଲିସ ଓ ଆଇନ ବିଶ୍ବବିଦ୍ୟାଳୟ ମଧ୍ୟରେ ସମନ୍ବୟ ବୃଦ୍ଧି କରିବ ବୋଲି ଆଶାପ୍ରକଟ କରିଥିଲେ। କୁଳପତି ପ୍ରଫେସର ବେଦ୍ କୁମାରୀ କହିଥିଲେ, ଏହି ଚୁକ୍ତିନାମା ଉଭୟ ପକ୍ଷ ପାଇଁ ଫଳପ୍ରଦ ହେବ। କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ସ୍ବାଗତ ଭାଷଣ ଦେଇଥିଲେ। ଏହାପରେ ଆଇଆଇଟି ଓ ଆଇଆଇଏମ ଭଳି ପ୍ରତିଷ୍ଠାନ ସହିତ ମଧ୍ୟ ଏଭଳି ଚୁକ୍ତି କଥା ବିଚାରକୁ ନିଆଯିବ ବୋଲି ସେ କହିଥିଲେ। ଆଇଜି ସିଫିନ ଅହମ୍ମଦ ଧନ୍ୟବାଦ ଦେଇଥିଲେ। ସ୍ବତନ୍ତ୍ର ଡିଜି ଏଚଆରପିସି ଏସ.ଏମ୍ ନରଭଣେ, ଅତିରିକ୍ତ ଡିଜି ଅରୁଣ ଷଡଙ୍ଗୀ, ନିର୍ଦ୍ଦେଶକ ଏସସିଆରବି ବିନୟ ତୋଷ ମିଶ୍ର, ନିର୍ଦ୍ଦେଶକ ଭିଜିଲାନ୍ସ ୱାଇ.କେ. ଜେଠୱା, ଏଡିଜି ମଡର୍ଣ୍ଣ‌ାଇଜେସନ୍ ସଂଜୟ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର