କୋଭିଡ୍‌, ଅମ୍ଫାନ ପାଇଁ ପୁଲିସକୁ ପ୍ରଶଂସା

ସଂଯମ ଓ ମାନବିକତାକୁ ନବୀନଙ୍କ ସାବାସୀ
ଥାନାରେ ଏଣିକି ଅଧିକ କର୍ମଚାରୀ ମୁତୟନ ହେବେ
୧୫ ଦିନରେ ପ୍ରସ୍ତାବ ଦେବାକୁ ଡିଜିଙ୍କୁ ନିର୍ଦେଶ

ଭୁବନେଶ୍ବର : କରୋନା ଓ ଅମ୍ଫାନ ମୁକାବିଲାରେ ପୁଲିସ ଯେଭଳି ମାନବିକତା ଓ ସଂଯମ ପ୍ରଦର୍ଶନ କରିଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ପରାମର୍ଶ ଦେଇଛନ୍ତି, ଏଭଳି କାର୍ଯ୍ୟ ସେମାନେ ଜାରି ରଖନ୍ତୁ। କରୋନା ମୁକାବିଲା କ୍ଷେତ୍ରରେ ପୁଲିସ ସତର୍କତା ଅବଲମ୍ବନ କରିବା ସହିତ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ରହିବା ଉଚିତ୍। ଏହି ଅବସରରେ ନବୀନ ଥାନାରେ ଅଧିକ କର୍ମଚାରୀ ନିଯୁକ୍ତି ଉପରେ ଗୁରୁତ୍ବାରୋପ କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଏ ସଂକ୍ରାନ୍ତରେ ଠୋସ୍ ପ୍ରସ୍ତାବ ଦେବାକୁ ପୁଲିସ ମହାନିର୍ଦେଶକ ଅଭୟଙ୍କୁ ନିର୍ଦେଶ ଦେଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏସ୍‌ପି ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଓଡିଶା ପୁଲିସ ଯେଭଳି ଉଚ୍ଚମାନର ସଂଯମ ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ଓଡିଶା ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ କୁହାଯାଇଥିଲା। ସେମାନେ ଚାଲିବା ଉଚିତ୍ ନୁହେଁ ବୋଲି ସରକାର ନିର୍ଦେଶ ଦେଇଥିଲେ। ପୁଲିସ ଉତ୍ତମ ସମନ୍ବୟ ରଖି ଯେଭଳି ସଫଳତାର ସହ ଏହାକୁ କାର୍ଯ୍ୟକାରୀ କଲେ ତାହା ଓଡିଶା ପୁଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ନବୀନ କହିଥିଲେ। ସେ ଆହୁରି କହିଥିଲେ, ବାତ୍ୟା ଅମ୍ଫାନ ସମୟରେ ଓଡ୍ରାଫ୍‌ ଓ ଅଗ୍ନିଶମ କର୍ମଚାରୀ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। କରୋନା ଭୟ ସତ୍ତ୍ବେ ସେମାନେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାହା ମଧ୍ୟ ପ୍ରଶଂସନୀୟ। ସେମାନଙ୍କର ଏହି କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି ଓ ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ। କୋଲକାତାରୁ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ନବୀନ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଉପଲବ୍‌ଧ ଅଛି।ପୋଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ଦରକାର। ଏସପିମାନେ ଏହି କାର୍ଯ୍ୟ କରନ୍ତୁ। ଏହି ଅବସରରେ ଡିଜି ଅଭୟ ପୁଲିସ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ମହିଳାମାନଙ୍କ ବିରୋଧରେ ଘରୋଇ ହିଂସାକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ୯୨୦୫ ଜଣ ମହିଳାଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରାଯାଇଛି। ଏଥିରେ ୫୩ଟି ମାମଲାରେ ଘରୋଇ ହିଂସାର ସୂଚନା ମିଳିଥିଲା, ଯେଉଁଥିପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି। ସେହିଭଳି ୮୦୦୨ଟି ସାମୟିକ ମେଡିକାଲ କେନ୍ଦ୍ରର ସୁରକ୍ଷା ଦାୟିତ୍ବ ନିଆଯାଇଛି। ପ୍ରାୟ ୨୪ ହଜାର ୫୮୭ ଆନ୍ତରାଜ୍ୟ ପଥଚାରୀ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପୁଲିସ ପଠାଇଛି।

ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି କହିଥିଲେ, ଏପ୍ରିଲ ୨୫ରେ ୩୭୨ ଜଣ ଯବାନ କୋଲକାତା ଯାଇ ୧୨ ଦିନ ପର୍ଯ୍ୟନ୍ତ ନିୟୋଜିତ ହୋଇଥିଲେ। ସେମାନଙ୍କ କାର୍ଯ୍ୟକୁ କୋଲକାତାବାସୀ ପ୍ରଶଂସା କରିଥିଲେ। ସେମାନେ ଯେତେବେଳେ କୋଲକାତା ଓ ହାଓଡାର ରାସ୍ତାରେ ଯାଉଥିଲେ, ସେତେବେଳେ ଦୁଇ ପାର୍ଶ୍ବର ଜନତା ଛିଡାହୋଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରୁଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଲକାତାରୁ ଫେରିଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କହିଥିଲେ,ବର୍ତ୍ତମାନ ସମୟରେ ବିଭିନ୍ନ ଲକ୍‌ଡାଉନ ନିୟମାବଳୀକୁ ପୁଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିପାରିଛି। ଯେ କୌଣସି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା କ୍ଷେତ୍ରରେ ପୁଲିସ ଯେପରି କାର୍ଯ୍ୟଦକ୍ଷତା ଦେଖାଇଛି, ତାହା ପ୍ରଶଂସନୀୟ। ସମସ୍ତ ନିର୍ଦ୍ଦେଶାବଳୀକୁ ପୁଲିସ ଅତ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟକାରୀ କରିଛି। ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବାରେ ପୁଲିସ ସଫଳ ହୋଇଛି ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୟୁରଭଂଜ, ସୁନ୍ଦରଗଡ, ମାଲକାନଗିରି, ଗଞ୍ଜାମ, ବରଗଡ, ଗଜପତି ଓ ଭଦ୍ରକ ଜିଲ୍ଲାର ଏସ୍‌ପିଙ୍କ ସହିତ କଥା ହୋଇଥିଲେ। ଗୃହ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର