ରାଜ୍ୟ ପ୍ରଦୂଷଣ ବୋର୍ଡ ରିପୋର୍ଟ : ଜଲାନ କାର୍ବନ ଓ କେମିକାଲ୍ସ କରୁଛି ଜଳ ପ୍ରଦୂଷଣ

କଟକ : ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟ ପାଣିରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ରାସାୟନିକ ପଦାର୍ଥ ରହିଲେ ସେହି ଶିଳ୍ପ ସଂସ୍ଥାକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ। ସୁପ୍ରିମକୋର୍ଟଙ୍କର ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ରହିଥିଲେ ବି ଏହାକୁ ଅନେକ ଶିଳ୍ପ ସଂସ୍ଥା ଫାଙ୍କି ଚାଲିଥିବା ଅଭିଯୋଗ ହେଉଛି। ବର୍ଜ୍ୟପାଣିରୁ ରାସାୟନିକ ମାତ୍ରା ହ୍ରାସ କରିବାକୁ ଶିଳ୍ପସଂସ୍ଥା ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବା ଜରୁରି ବୋଲି ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ତାଳଚେର ସମଲ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମରେ ଥିବା ଜଲାନ କାର୍ବନ ଆଣ୍ଡ୍ କେମିକାଲ୍ସ ପ୍ରାଇଭେଟ ଲିମିଟେଡ୍ ଏଭଳି ନିୟମ ଖିଲାପ କରିଥିବା ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ ୨୦୦୯ରେ ଏହି ସଂସ୍ଥା ପ୍ରତିଷ୍ଠା ହୋଇଥିଲଶ। ୨୦୧୮, ସେପ୍ଟେମ୍ବର ୧୧ ତାରିଖରେ ରାଜ୍ୟ ପ୍ରଦୂଷଣ ବୋର୍ଡ କେନ୍ଦ୍ରୀୟ ଲାବ୍ରୋଟୋରି ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରୁ କଂପାନିରୁ ସଂଗୃହିତ ଜଳରେ ସାଇନାଇଡ୍ ଓ ଫିନଲ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ରହିଛି। କଂପାନିର ମୁଖ୍ୟ ଫାଟକରେ ଥିବା ଟାଙ୍କି, ବାହାରେ ଥିବା ନାଳ, ମୁଖ୍ୟ ଫାଟକ ସମ୍ମୁଖରୁ ନିର୍ଗତ ଜଳ, ଏକଘରିଆ ହରିଜନ ସାହିରେ ଥିବା ନଳକୂପର ଜଳ ନମୁନା ସଂଗ୍ରହ କରାଯାଇ ତାହାକୁ ପ୍ରଦୂଷଣ ବୋର୍ଡ ପରୀକ୍ଷା ପାଇଁ ପଠାଇ ଥିବା ବେଳେ ସେଥିରେ ବିଷାକ୍ତ ରାସାୟନିକ ସାମଗ୍ରୀର ମାତ୍ରା ଅଧିକ ଥିବା ଜଣା ପଡ଼ିଥିଲା। ଗୋଟିଏ ଲିଟର ପାନୀୟ ଜଳରେ ଫିନଲର ମାତ୍ରା ସର୍ବାଧିକ ୦.୦୦୧ ମିଲିଗ୍ରାମ ରହିବା କଥା। କିନ୍ତୁ ପାଣି ପରୀକ୍ଷାରୁ ମିଳିଥିବା ତଥ୍ୟ ଅନୁଯାୟୀ ଫିନଲ ମାତ୍ରା ରହିଛି ୦.୦୨୫ ମିଲିଗ୍ରାମ। ସେହିଭଳି ସାଇନାଇଡ ମାତ୍ରା ୦.୦୫ ମିଲିଗ୍ରାମ ରହିବା ସ୍ଥାନରେ ରହିଛି ୦.୫୫ ମିଲିଗ୍ରାମ। ଏହା ଭୂତଳ ଜଳକୁ ମଧ୍ୟ ଦୂଷିତ କରିବାର ସ୍ଥିତି ସୃଷ୍ଟି କରୁଛି।ଏଭଳି ରାସାୟନିକ ମାତ୍ରା ଅଧିକ ରହିବା, ଟ୍ରିଟମେଣ୍ଟ ପ୍ଲାଣ୍ଟ ନ ଥିବା ସତ୍ବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି କିଭଳି କାରଖାନା ଚାଲିଛି, ତାହାକୁ ନେଇ ଏକ ଘରିଆ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମର ଜଣେ ବ୍ୟକ୍ତି ବସନ୍ତ କୁମାର ଦାସ ମଧ୍ୟ ଓକିଲ ନୋଟିସ ଜରିଆରେ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଅବଗତ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ରହୁଥିବାରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର