ଜେଇଇ ମେନ୍‌ରେ ଭାଗନେବ ଓଡ଼ିଶା

ଆଜିଠାରୁ ଜାନୁଆରି ୧ ପର୍ଯ୍ୟନ୍ତ ଆବେଦନ

ନିଷ୍ପତ୍ତିକୁ ଓପେକାର ବିରୋଧ

ଭୁବନେଶ୍ୱର : ଦେଶ ତଥା ରାଜ୍ୟରେ ଥିବା ସରକାରୀ, ବେସରକାରୀ କଲେଜରେ ଇଞ୍ଜିନିୟରିଂ ଓ ଆର୍କିଟେକ୍‌ଚର ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍‌ ଦେବାକୁ ପଡ଼ିବ। ରାଜ୍ୟରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅଲଗା ପରୀକ୍ଷା କରିବାକୁ ଗତ ୩ ମାସ ହେଲା ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ତାହାକୁ ଅଗ୍ରାହ୍ୟ କରିଛନ୍ତି ରାଜ୍ୟ ସରକାର। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥଙ୍କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି।

ଏନ୍‌ଆଇଟି, ଆଇଆଇଟି, ଆଇଆଇଆଇଟି ସମେତ ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ୨୦୧୮ ଏପ୍ରିଲ ମାସରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‌) ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର(ଆଜି)ଠାରୁ ଛାତ୍ରଛାତ୍ରୀ ‘www.jeemain.nic.in’ରେ ଆବେଦନ କରିପାରିବେ। ଫର୍ମ ପୂରଣ ସମୟରେ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। ଆଧାର କାର୍ଡରେ ଉଲ୍ଲେଖ ଥିବା ନାମ, ଜନ୍ମ ତାରିଖ, ଠିକଣା ସଠିକ୍‌ ଭାବେ ଲେଖିବାକୁ ପରାମର୍ଶ ଦିଆଯାଇଛି। ୨୦୧୮ ଜାନୁଆରି ୧ ପର୍ଯ୍ୟନ୍ତ ଏହି ଆବେଦନ ପ୍ରକ୍ରିୟା ଚାଲିବ।

ଏପ୍ରିଲ ୮ରେ ଅଫ୍‌ ଲାଇନ୍‌ ଏବଂ ଏପ୍ରିଲ ୧୫ ଓ ୧୬ରେ ଅନ୍‌ଲାଇନ୍‌ରେ ପରୀକ୍ଷା ହେବ। ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ନାମଲେଖା ଲାଗି ଛାତ୍ରଛାତ୍ରୀ ଜେଇଇ ମେନ୍‌ରେ ଭାଗନେବା ବାଧ୍ୟତାମୂଳକ। ଯେଉଁମାନେ ଭାଗ ନ ନେବେ ସେମାନେ ୨୦୧୮-୧୯ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାରୁ ବଞ୍ଚିତ ହେବେ। ଏଥର ଭୁବନେଶ୍ୱର ସମେତ ବାଲେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର, ଅନୁଗୁଳ, ଜୟପୁରରେ ଏକାଧିକ ପରୀକ୍ଷା କେନ୍ଦ୍ର କରାଯିବ। ଓଜେଇଇ ଅଧ୍ୟକ୍ଷ ତୁଷାର ନାଥଙ୍କ କହିବାନୁଯାୟୀ ଗତ ୪ ବର୍ଷ ପରି ଏଥର ମଧ୍ୟ ଜେଇଇ ମେନ୍‌ ର‍୍ୟାଙ୍କଧାରୀ ଛାତ୍ରଛାତ୍ରୀ ଓଡ଼ିଶାରେ ଥିବା ସରକାରୀ ଏବଂ ଘରୋଇ କଲେଜରେ ନାମ ଲେଖାଇବେ। ତେଣୁ ପିଲାମାନେ ଜେଇଇ ମେନ୍‌ େଓ୍ଵବସାଇଟ୍‌ରେ ଥିବା ନିୟମଗୁଡ଼ିକୁ ଭଲ ଭାବେ ପଢ଼ି ନାମ ପଞ୍ଜୀକରଣ କରିବା ଆବଶ୍ୟକ।

ଅନ୍ୟପକ୍ଷରେ ଜେଇଇ ମେନ୍‌ରେ ଭାଗନେବା ନିଷ୍ପତ୍ତିକୁ ବିରୋଧ କରିଛି ଓପେକା। ଓପେକା ସମ୍ପାଦକ ବିନୋଦ ଦାଶ କହିଛନ୍ତି ଯେ ବିରୋଧ ସତ୍ତ୍ୱେ ଜେଇଇ ମେନ୍‌ରେ ଭାଗ ନେଉଛନ୍ତି ସରକାର। ଯଦି ସିଟ୍‌ ଖାଲି ପଡ଼ିବ ତାହା କିଭଳି ପୂରଣ ହେବ ସେନେଇ ଏବେଠାରୁ ସ୍ପଷ୍ଟ କରାଯାଉ। ନିଜ ଉପରୁ ଦୋଷ ଛଡ଼ାଇ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ରାଜ୍ୟ ସରକାର ଅନୁକମ୍ପା ଦେଖାଉଛନ୍ତି। ସିଟ୍‌ ଖାଲି ପଡ଼ିଲେ ସ୍ୱତନ୍ତ୍ର ଓଜେଇଇ କରାଯିବ କି ନାହିଁ ସ୍ପଷ୍ଟ କରାଯାଉ। ନ ହେଲେ ସଂଘ ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସେ କହିଛନ୍ତି।

ବୈଷୟିକ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ୭ ବର୍ଷ ହେଲା ସିଟ୍‌ ଖାଲି ରହୁଛି। ୯୦ କଲେଜରେ ଥିବା ୪୫ ହଜାର ସିଟ୍‌ରୁ ମାତ୍ର ୧୫ ହଜାର ପୂରଣ ହେଉଛି। ସିଟ୍‌ ଖାଲି ରହୁଥିଲେ ମଧ୍ୟ ସଂଖ୍ୟା ହ୍ରାସ କରିବାକୁ କୌଣସି କଲେଜ କହୁନାହାନ୍ତି। ଗୋଟିଏ ପରୀକ୍ଷା ହେବା ଦ୍ୱାରା ପ୍ରାୟ ୨୫ ହଜାର ଓଡ଼ିଆ ଛାତ୍ରଛାତ୍ରୀ ଦୁଇଟି ପରୀକ୍ଷା ଦେବା ଚିନ୍ତାରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧିତ ଖବର