ଆରମ୍ଭ ହେଲା ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର

ଯୋଗଦେଲେ ପ୍ରଥମ ନିର୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା

ଭୁବନେଶ୍ବର : ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ସର୍ଦ୍ଦାର ପଟେଲ ଭବନ ପରିସର ତଥା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୁରୁଣା କ୍ୟାମ୍ପସରେ ଏହା ଆରମ୍ଭ ହୋଇଛି। ସାହିତ୍ୟିକ ତଥା ଭାଷାବିତ୍‌ ପ୍ରଫେସର ବସନ୍ତ କୁମାର ପଣ୍ଡା କେନ୍ଦ୍ରର ପ୍ରଥମ ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରାଥମିକ ଭାବେ ଶାସ୍ତ୍ରୀୟ ଓଡ଼ିଆ ଭାଷା ବିଷୟରେ ଗବେଷଣା, ତଥ୍ୟ ସଂଗ୍ରହ, ପ୍ରଚାର ପ୍ରସାର ଭଳି କାର୍ଯ୍ୟ ସମ୍ପାଦନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ପ୍ରଫେସର ପଣ୍ଡାଙ୍କୁ ସ୍ବାଗତ କରିଛନ୍ତି।

ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ଆରମ୍ଭ ପାଇଁ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ପାଣିଗ୍ରାହୀ ନୂଆଦିଲ୍ଲୀ ସହ ସମ୍ପର୍କରେ ରହି ପ୍ରୟାସ ଜାରି ରଖିଥିଲେ। ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ୨୦୧୪ ମସିହାରେ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଅନୁଯାୟୀ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଥିଲା। ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ପରେ ଆଜି ଏହା ସଫଳ ହୋଇଛି। ୨୦୧୩ରେ କେରଳର ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ବି ଏଯାଏ ନିର୍ଦେଶକ ନିଯୁକ୍ତ ହୋଇନଥିବା ବ‌େଳେ ଆମର ଏହି ଅଧ୍ୟୟନ କେନ୍ଦ୍ରରେ ନିର୍ଦେଶକ ନିଯୁକ୍ତ ହେବା ଖୁସିର ବିଷୟ। ପର୍ଯ୍ୟାୟକ୍ରମେ ଅନ୍ୟ କର୍ମକର୍ତାଙ୍କୁ ନିଯୁକ୍ତ କରାଯିବା ସହ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରାଯିବ ବୋଲି ସେ କହିଛନ୍ତି। ଏହି କେନ୍ଦ୍ର ପକ୍ଷରୁ ଶାସ୍ତ୍ରୀୟ ଭାଷା ଉତ୍ପତ୍ତିର ଉତ୍ସ ସମ୍ବନ୍ଧରେ ଗବେଷଣା ସହ ପାଣ୍ଡୁଲିପି ସଂଗ୍ରହ ଓ ତା’ର ଡିଜିଟାଇଜେସନ କରିବା, ଶାସ୍ତ୍ରୀୟ ଓଡ଼ିଆ ସମ୍ପର୍କିତ ପୁସ୍ତକ ପ୍ରକାଶନ କରିବା, ଜାତୀୟ ସ୍ତରରେ ଭାଷା କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ।

ସମ୍ବନ୍ଧିତ ଖବର