ତିନିଦିନରେ ୨ ଗୁଣ ନଷ୍ଟ : ମାଡ଼ୁଛି ଚକଡ଼ା

ଗରମ ଓ ମେଘୁଆ ପାଗ ବଢ଼ାଉଛି ରୋଗପୋକ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଚକଡ଼ା ଓ ମାଟିଆଗୁଣ୍ଡି ପୋକ ସମସ୍ୟା ବଢ଼ିବାରେ ଲାଗିଛି। ଚଳିତ ଖରିଫ ଧାନ ଫସଲ ପାଇଁ ଏହା ଭୟଙ୍କର ବିପଦ ସୃଷ୍ଟି କରୁଛି। ତିନିଦିନ ତଳେ ରାଜ୍ୟରେ ୪୮୭୪୫ ହେକ୍ଟରର ଧାନ ଫସଲରେ ଚକଡ଼ା ପୋକ ଲାଗିଥିବାର ସୂଚନା ମିଳିଥିଲା। ଆଜି ସୁଦ୍ଧା ଏହି ପୋକ ଦ୍ୱାରା ଆକ୍ରାନ୍ତ ଫସଲ ପରିମାଣ ଦୁଇଗୁଣ ହୋଇସାରିଛି।

ଆଜି କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚକଡ଼ା ପୋକ ରାଜ୍ୟର ମୋଟ ୯୬୧୦୨ ହେକ୍ଟର ଧାନ ଫସଲକୁ ଆକ୍ରାନ୍ତ କରିସାରିଛି। କେବଳ ସୋନପୁର ଜିଲ୍ଲାରେ ୩୨୬୫୦ ହେକ୍ଟର ଜମି ପ୍ରଭାବିତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ୨୦୭୫୩ ହେକ୍ଟର, ଗଞ୍ଜାମରେ ୧୩୦୦୮ ହେକ୍ଟର, କଳାହାଣ୍ଡିରେ ୮୦୩୮ ହେକ୍ଟର, ବଲାଙ୍ଗୀର ଜିଲ୍ଲାରେ ୩୭୫୬ ହେକ୍ଟର, ସମ୍ବଲପୁରରେ ୨୮୯୭ ହେକ୍ଟର, ଖୋର୍ଧାରେ ୨୨୭୪ ହେକ୍ଟର, ବାଲେଶ୍ୱରରେ ୧୩୯୬ ହେକ୍ଟର, କୋରାପୁଟରେ ୧୨୧୪ ହେକ୍ଟର ଜମିର ଫସଲ ପ୍ରଭାବିତ ହୋଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ କମ୍‌ ପରିମାଣରେ ହେଲେ ବି ଏହି ପୋକ ଦେଖିବାକୁ ମିଳିଛି।

ଚକଡ଼ା ତଳକୁ ମହିଷା ରୋଗରେ ୧୦୯୩୪ ହେକ୍ଟର ଧାନ ଫସଲ ଆକ୍ରାନ୍ତ ହୋଇଛି। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୮୨୦ ହେକ୍ଟର ଜମି ରହିଛି।

ଏସବୁ ରୋଗ ସହିତ କାଣ୍ଡବିନ୍ଧା, ପତ୍ରପୋଡ଼ା, ମୂଳପଚା, ମୂଳସଢ଼ା, ଗନ୍ଧିପୋକ ରୋଗ ଆଦି ରୋଗରେ ରାଜ୍ୟର ମୋଟ ୧ଲକ୍ଷ ୫୬ ହଜାର ୯୭୧ ହେକ୍ଟର ଧାନ ଫସଲ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ କୁହାଯାଇଛି। କିନ୍ତ ବାସ୍ତବ ସ୍ଥିତି ଆହୁରି ସାଂଘାତିକ ବୋଲି ଅଭିଯୋଗ ହେଉଛି।

ଏବେ ରାଜ୍ୟର ପାଣିପାଗ ଏହି ରୋଗ ପୋକ ବୃଦ୍ଧିରେ ସହାୟକ ହେଉଛି। ଥଣ୍ଡା ପଡ଼ିଲେ ଏସବୁ ରୋଗପୋକ କମିଯିବା କଥା। କିନ୍ତୁ ଯେତିକି ପରିମାଣର ଶୀତ ଅନୁଭୂତ ହେବା କଥା ରାଜ୍ୟରେ ସେତିକି ହେଉନାହିଁ। ଏଥିସହ ଆସନ୍ତାକାଲି ଓ ପରଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହା ଫଳରେ ତାପମାତ୍ରା ହ୍ରାସ ପାଇବ ଓ ଏହା ପୋକର ବଂଶବୃଦ୍ଧି କରିବାରେ ସହାୟକ ହେବାର ଆଶଙ୍କା ସୃଷ୍ଟି କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ବଜାରରେ ମିଳୁଥିବା କୀଟନାଶକ କି ସରକାର ଯୋଗାଇ ଦେଉଥିବା କୀଟନାଶକ ଏହି ପୋକ ଦମନ କରିବାରେ ଶହେ ପ୍ରତିଶତ ସଫଳ ହୋଇ ପାରୁନି। ତେଣୁ ଚକଡ଼ା ମାଡ଼ି ମାଡ଼ି ଯାଉଛି ଓ ଫସଲ ଉଜୁଡ଼ିବାରେ ଲାଗିଛି। ଏଥିସହ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡୁଛି।

ଜୀବନ ହାରିଲେ ଆଉ ଜଣେ ଚାଷୀ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଲେମ୍ବୁପାଳ ଗାଁ’ରେ ଜଣେ କ୍ଷୁଦ୍ରଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ନାଁ ବାସୁ ହେମ୍ବ୍ରମ୍‌ (୪୮)। ଗତ ୩୧ ତାରିିଖ ରାତିରେ ଘରେ ବିଷ ପିଇ ଗୁରୁତର ହୋଇପଡ଼ିବା ପରେ ବାସୁଙ୍କୁ ପରିବାର ଲୋକେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଏବଂ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ବାସୁଙ୍କ ପୁଅ ବିକାଶ ହେମ୍ବ୍ରମ୍‌ଙ୍କ ସୂଚନା ଅନୁସାରେ, ତାଙ୍କ ବାପା ଧାନଚାଷ ପାଇଁ ୩୦ ହଜାର ଟଙ୍କା ହାତଉଧାରି କରିଥିଲେ। ସ୍ୱଳ୍ପବୃଷ୍ଟି କାରଣରୁ ଚଳିତବର୍ଷ ଫସଲ ଉଜୁଡି ଯାଇଥିଲା। ବାସୁ ଟଙ୍କା ପରିଶୋଧ ଚିନ୍ତାରେ ଥିବା ବେଳେ ଏହାକୁ ନେଇ ପରିବାର ମଧ୍ୟରେ କଳିଝଗଡା ହେଉଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ତାଙ୍କ ବାପା ଆତ୍ମହତ୍ୟା କରିଥିବା ବିକାଶ ଏବଂ ପରିବାର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର