ଫୋନି ବାତ୍ୟା ସମୟରେ ରୋଷେଇ ଗ୍ୟାସ, ପେଟ୍ରୋଲ-ଡିଜେଲ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ତେଲକମ୍ପାନିଙ୍କ ପଦକ୍ଷେପ

ଭୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ମହାବାତା ଫୋନି ଓଡ଼ିଶା ଆଡକୁ ମାଡିଆସୁଥିବାରୁ ତାହାର ମୁକାବିଲା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଲୋକମାନଙ୍କୁ ଯେପରି ଜରୁରୀ ସାମଗ୍ରୀ ମିଳିପାରିବ ସେ ଉପରେ ଗୁରୁତ୍ବ ଦିଆଯାଉଛି । ଏହି ବିପର୍ଯ୍ୟୟ ସମୟରେ ଯେପରି ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ, କିରାସିନି ଆଦି ଜରୁରୀ ତୈଳଜାତୀୟ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ ଗୁରୁତ୍ବ ଆରୋପ କରୁଛନ୍ତି ରାଷ୍ଟ୍ରାୟତ ତେଲ କମ୍ପାନି ।
ଏହି ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା କରିବା ନିମନ୍ତେ ଆଜି ଇଣ୍ଡିଆନ୍ ଅଏଲର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ସଂଯୋଜକ ଶୁଭଜିତ୍ ଘୋଷଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଇଣ୍ଡିଆନ ଅଏଲ ଭବନଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ତୈଳ ବିପଣନ କମ୍ପାନୀ (ଆଇଓସିଏଲ୍, ବିପିସିଏଲ୍ ଏବଂ ଏଚପିସିଏଲ୍) ଓ ଗେଲର ବରିଷ୍ଠ କର୍ମକର୍ତ୍ତା ଏହି ବୈଠକରେ ଯୋଗଦେଇ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଉପରୋକ୍ତ ସମସ୍ତ ଅଞ୍ଚଳରେ ଅବସ୍ଥାପିତ ଅତ୍ୟାବଶ୍ୟକ ତୈଳ ଯୋଗାଣ ଲାଇନଗୁଡ଼ିକୁ ସମ୍ପୃକ୍ତ ଅଧିକାରୀ ନିରୀକ୍ଷଣ କରି ଏଗୁଡ଼ିକର ଉପଯୁକ୍ତ ସ୍ଥିତି ନିର୍ଦ୍ଧାରଣ କରିବେ । ସମସ୍ତ ତୈଳ ଉଦ୍ୟୋଗର କର୍ମକର୍ତ୍ତାଙ୍କୁ ସତର୍କ ରହିବା ସହ ଏହି ଅତ୍ୟାବଶ୍ୟକ ତୈଳ ଉତ୍ପାଦ ଗୁଡ଼ିକର ଉପଲବ୍ଧତାକୁ ବଜାୟ ରଖିବା ଓ ଏହାର ସ୍ଥିତିକୁ ସୁନିଶ୍ଚିତ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ଯେପରିକି ରାଜ୍ୟର କୌଣସି ଲୋକ ଏହାର ଅଭାବକୁ ଅନୁଭବ କରିବେ ନାହିଁ । ରାଜ୍ୟରେ ହେବାକୁ ଥିବା ଝଡ଼ବାତ୍ୟା ନିମନ୍ତେ ରିଲିଫ୍ ସାମଗ୍ରୀ ଆୟୋଜନ କରିବା ନିମନ୍ତେ ଆଇଓସିଏଲ୍, ବିପିସିଏଲ୍, ଏଚପିସିଏଲ୍ ଏବଂ ଗେଲର ଅଧିକାରୀମାନଙ୍କୁ ନିୟୋଜନ କରାଯାଇଛି । ବିଭିନ୍ନ ଜିଲାରେ ଏହି ସମସ୍ତ ବ୍ୟବସ୍ଥାକୁ ସୁଚାରୂରୁପେ ସମ୍ପାଦନ କରିବା ସହ ଯୋଗାଣ ବ୍ୟବସ୍ଥାର ୨୪ ଘଣ୍ଟିଆ ନିରୀକ୍ଷଣ, ତଥା ପେଟ୍ରୋଲିୟମ ଉତ୍ପାଦ କେନ୍ଦ୍ରଠାରେ କୌଣସି ଅଘଟଣ/ବିପର୍ଯ୍ୟୟ ସମ୍ପର୍କରେ ସୂଚନା ପାଇବା ନିମନ୍ତେ ଇଣ୍ଡିଆନ ଅଏଲ ଭବନଠାରେ କେତେକ ପ୍ରତିନିଧିମାନଙ୍କୁ ନେଇ ଆସନ୍ତା ୨ ତାରିଖରୁ ବାତ୍ୟା ପରିସ୍ଥିତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏକ ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ସେଲ୍ ଗଠନ କରାଯିବ । ଏହି ନିୟନ୍ତ୍ରଣ କକ୍ଷ ବିଭିନ୍ନ ତୈଳ ବିପଣନ କମ୍ପାନୀ ମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ । ବିଭିନ୍ନ ଜିଲ୍ଲା ତଥା ବାତ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରୁ ସୂଚନା ସଂଗ୍ରହ କରି ଏହି କମ୍ପାନୀମାନେ ରିଲିଫ୍ ସାମଗ୍ରୀ ବଣ୍ଟନ କରିବାର ବ୍ୟବସ୍ଥା କରିବେ ।

ସମ୍ବନ୍ଧିତ ଖବର