ରାଜ୍ୟ ବଢ଼ାଇଲା ତେଲ ଦର

ପେଟ୍ରୋଲ୍‌ର ଲିଟର ପିଛା ୩ ଟଙ୍କା ୧୧ ପଇସା ଏବଂ ଡିଜେଲ୍‌ରେ ୧ ଟଙ୍କା ୩ ପଇସା ବୃଦ୍ଧି ପାଇଛି

ଭୁବନେଶ୍ବର : ରାଜ୍ୟ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ବୃଦ୍ଧି କରିଛନ୍ତି। ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ଉପରେ ଭାଟ୍ ୩ ଟଙ୍କା ୧୧ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ୍‌ରେ ୧ ଟଙ୍କା ୩ ପଇସା ବୃଦ୍ଧି ପାଇଛି। ପୂର୍ବରୁ ପେଟ୍ରୋଲ୍‌ରୁ ୧୩ ଟଙ୍କା ୪୯ ପଇସାର ଭାଟ୍‌ ଆଦାୟ କରାଯାଉଥିବା ବେଳେ ତାହାକୁ ୧୬ ଟଙ୍କା ୬୦ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଡିଜେଲ୍‌ ଉପରେ ଭାଟ୍‌ ୧୩ ଟଙ୍କା ୩୧ ପଇସାରୁ ବୃଦ୍ଧି ପାଇ ୧୪ ଟଙ୍କା ୩୪ ପଇସା ହୋଇଛି। ଭାଟ୍‌ରେ ହୋଇଥିବା ବୃଦ୍ଧି ଆସନ୍ତାକାଲି ଠାରୁ ଲାଗୁ ହେବ ଓ ସେହି ଅନୁସାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ରେ ବୃଦ୍ଧି ଘଟିବ। ୨୦୧୯-୨୦ରେ ରାଜ୍ୟ ସରକାର ତେଲ ଭାଟ୍‌ ବାବଦରେ ୫,୫୦୦ କୋଟି ଟଙ୍କା ଆୟ କରିଥିଲେ।

କିଛି ଦିନ ତଳେ କେନ୍ଦ୍ର ସରକାର ପେ‌‌ଟ୍ରୋଲ୍‌ରେ ୧୦ ଟଙ୍କା ଓ ଡିଜେଲ୍‌ରେ ୧୩ ଟଙ୍କାର ଟିକସ ବଢ଼ାଇଥିଲେ। କିନ୍ତୁ, ଟିକସରେ ହୋଇଥିବା ବୃଦ୍ଧିର କୌଣସି ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିନଥିଲା। ଏହାର ପରବର୍ତୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଅନେକ ରାଜ୍ୟ ଏହି ଦୁଇ ପ୍ରକାର ଇନ୍ଧନ ଉପରେ ଭାଟ୍‌ ବୃଦ୍ଧି କରିଥିଲେ। କିଛି ସପ୍ତାହର ଅନ୍ତର ପରେ ଓଡ଼ିଶା ସରକାର ଭାଟ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ଉପରେ ରାଜ୍ୟ ସରକାର ୨୬ ପ୍ରତିଶତ ଭାଟ୍ ଲଗାଇଥିଲେ। ଏବେ ପେଟ୍ରୋଲ୍‌ରେ ଭାଟ୍‌କୁ ୩୨ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ବେଳେ ଡିଜେଲ୍‌ରେ ଭାଟ୍‌ ୨୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

କରୋନା ସଙ୍କଟର ମୁକାବିଲା ଲାଗି ରାଜ୍ୟ ସରକାର ବିପୁଳ ପରିମାଣର ବ୍ୟୟ କରୁଥିବା ବେଳେ ଲକ୍‌ଡାଉନ୍ ପ୍ରଭାବରେ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଥିବାରୁ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏମିତିରେ ନିଜସ୍ବ ଟିକସ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ ପାଖରେ ବହୁତ କମ୍ ବିକଳ୍ପ ରହିଛି। କେବଳ ମଦ, ପେଟ୍ରୋଲିୟମ୍ ସାମଗ୍ରୀ ଓ ସମ୍ପତ୍ତି ଟିକସ ଜରିଆରେ ରାଜ୍ୟଗୁଡ଼ିକ ନିଜସ୍ବ ଟିକସ ବଢ଼ାଇବାକୁ ଉଦ୍ୟମ କରିଥାନ୍ତି। ତେଲ ଉପରେ ଟିକସ ବଢ଼ାଇ ରାଜସ୍ବ ହାସଲ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର